ବର୍ଷ ଶେଷର କବିତା
ବର୍ଷ ଶେଷର କବିତା
ବିଦାୟ ମାଗୁଛି ତେଇଶି ମସିହା
ଚବିଶି ଆସିବ କାଲି,
ଦିନ, ବାର ସିନା ସମାନ ରହିବ
ଆଜି ହେବ ଗତକାଲି ।୧)
ସମୟ ବଦଳେ ପ୍ରତି ମୁହୂର୍ତ୍ତରେ
ଵଦଳେ ମାସ, ବରଷ,
ନିଜ ଲୋକ ଯେବେ ବଦଳି ଯାଆନ୍ତି
ମନରୁ ଲିଭେ ହରଷ ।୨)
କାହା ଉପକାର ଭୁଲିଯିବା ନାହିଁ
ଭୁଲିବା ନାହିଁ ଶରଧା,
କୃତଜ୍ଞ ରହିବା ଜୀବନଟା ସାରା
ଆସୁ ପଛେ ଯେତେ ବାଧା ।୩)
ଅଢେ଼ଇ ଦିନିଆ ଜୀବନ ଆମର
କେତେବେଳେ ଯିବ ସରି,
ଆଲୋକର ଛିଟା ସରିଯିବ ଯେବେ
ଲିଭିଯିବ ଫୁଲଝରି ।
ଜାଣିଛି ଜୀବନେ ଭରିଛି ବିଷାଦ
ଖାଲି ହଜେଇବା କଥା,
ସେହିସବୁ ଯଦି ମନରେ ରଖିବା
ମିଳିବ ତୁଚ୍ଛାରେ ବ୍ୟଥା ।୫)
ଫେରିବାକୁ ହେବ ଆଗପଛ ହୋଇ
କିଏ ଵା ଦେଖିଛି କାଲି ?
ଆନନ୍ଦ ଖୋଜିବା ଜୀବନରେ ଏବେ
ସବୁ ପଛକଥା ଭୁଲି ।୬)
ଆସ ମିଳିମିଶି କଥା ପଦେ ହେବା
ହସିବାରେ ଭରି ମନ,
ଏକାଠି ଗାଇବା ଵିଭୂ ବନ୍ଦନା
ପରିପୂର୍ଣ୍ଣ ହେବ ପ୍ରାଣ ।୭)
