STORYMIRROR

Biswanath Nayak

Tragedy

4  

Biswanath Nayak

Tragedy

ବୋଉ

ବୋଉ

1 min
506


ମାଘ ମାସ କାଠୁଆ ଶୀତରେ,

ବୋଉ ମୋତେ ଜଡ଼େଇ ଧରିଛି ତା ପଣତ ତଳେ।

ବାହାରେ ତୁହାକୁ ତୁହା କାଲୁଆ ପବନ,

ପତରରୁ ଖସୁଥିବା କାକରର ଟିପ୍ ଟିପ୍ ଶବ୍ଦ।

ଦୁନିଆ ଶୋଇଯାଇଛି ନିଘୋଡ଼ ନିଦରେ।

ମୁଁ ଆଜି ଶିଶୁ,ଅସହାୟ ,ହାତଗୋଡ଼ ହଲାଉଛି,

ଶୋଇଛି ବୋଉ କୋଳରେ,ଉଷୁମ ଟାଣୁଛି।

ମୋ ମୁହଁରେ ତା ବୁକୁର ଅମୃତର ଧାରା।

ଜଗତରେ କାହାରିକୁ ଭୟ ନାହିଁ।

ବୋଉର ପଣତ ମୋର ଓଦା ହୋଇଗଲା ବାତ୍ସଲ୍ୟ ନୀରରେ,

ମମତାର ସ୍ପର୍ଶକୁ ସେ ଅନୁଭବ କଲା।

ଓଦା ପଣତକୁ ତାର ଆପଣେଇ ନେଲା,

ବିକାରହୀନ ଯଶୋଦା ଅତି ଆନନ୍ଦରେ।

ସତେକି ଅନେକ ଦିନୁ ଅପେକ୍ଷାରେ ଥିଲା ଏଥିପାଇଁ।

ଏ ଆନନ୍ଦ ସବୁଦିନେ ମିଳନ୍ତାକି?

ଏଥିରେ ତ ତାହାର ପୂର୍ଣ୍ଣତା।

ଏହା ବିନା ମା ଯେ ଅଧୂରା।

ସବୁ ଓଦା କାନି ନିଜେ ଘୋଡ଼ି ହୋଇ,

ମୋ ଉପରେ ଢ଼ାଙ୍କି ଦେଲା ଶୁଖିଲା ପଣତ।

କାଳେ ମୋତେ ଥଣ୍ଡା ଲାଗିଯିବ!

ବୋଉର ସେ ମମତାର ଭାବ,

ମୋ ପାଖକୁ ଟାଣି ଆଣେ ନିଦ ମାଉସୀକୁ।

ମୁଁ ଶୋଇଯାଏ ନିଘୋଡ଼ ନିଦରେ।

*      *       *      *

ଏବେ ବୋଉକୁ ମୋର ଅଶୀ ଛୁଇଁଲାଣି।

ପାଚିଲା କେଶରେ ତାର ବୟସର ବୋଝ।

ଯଶୋଦା ହାତରେ ଆଜି ଶକ୍ତି ନାହିଁ ଦଧି ମନ୍ଥିବାକୁ।

ଯିଏ ଦିନେ ସବୁ କାମକୁ ସାଉଁଟି ତା କାନିରେ ବାନ୍ଧୁଥିଲା,

ସମୟ ଲାଗୁଛି ତାକୁ ଶେଯରୁ ଉଠିବା ପାଇଁ।

ସମୟେ ସମୟେ ଶେଯ ଓଦା କରିଦିଏ ,ଶିଶୁଟିଏ ପରି।

ଭୟାର୍ତ୍ତ ଆଖିରେ ମୋତେ ଚାହେଁ!

ଯେମିତିକି କଣ ଗୋଟେ ଭୁଲ୍ ହୋଇଗଲା।

ସେ ଶେଜକୁ ମୁଁ ବଦଳାଏ ,କର୍ତ୍ତବ୍ୟର ତାଡ଼ନାରେ,

ମାପିଚୁପି ,ଖୁବ୍ ସନ୍ତର୍ପଣରେ।

ବୋଉ ଭଳି ନିର୍ବିକାର ହୋଇପାରେ ନାହିଁ।

ବାତ୍ସଲ୍ୟ ମମତା ତାର ପେଷି ହୋଇଯାଏ ,

କର୍ତ୍ତବ୍ୟର ଶଗଡ଼ ଗୁଳାରେ।

ଆନ୍ତରିକତା କମିଲେ କର୍ତ୍ତବ୍ୟଟା ବୋଝ ପରି ଲାଗେ।

ଯିଏ ଦିନେ ଠାକୁରଙ୍କୁ ମାଗୁଥିଲା, ମୋ ପାଇଁ କୋଟି ପରମାୟୁ।

ମୁଁ ଆଜି ତା ପାଇଁ ଠାକୁରଙ୍କୁ ଡାକେ,

ବୋଉ ମୋର ଚାଲିଯାଉ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy