STORYMIRROR

sudarsan mahapatra

Classics

4  

sudarsan mahapatra

Classics

ବୋଉ

ବୋଉ

1 min
259


ମାଗିଥାଏ ଯେବେ ରୁଟି ମୁଁ ଗୋଟିଏ 

ବୋଉ ବାଢୁଥାଏ ଚାରୋଟି 

ଗଣିବା ଆସେନି ସଂଖ୍ୟା ଏକ,ଦୁଇ 

ବୋଉକୁ ଜୀବନେ ସତେକି ।।


ଭଲ ଭଲ ଯେତେ ଖାଇବା ଦରବ

ମୋତେ ଖୋଇଦିଏ ଯଚେଇ

କହେ ସେ ଆଗରୁ ଖାଇ ସାରିଛି ମୁଁ 

ମିଛକୁ ସହଜେ ଲୁଚେଇ ।।


ମୋ ବହି କଲମ ପୋଷାକ ଚପଲ 

ମିଳେନାହିଁ ମୋତେ ସହଜେ

ବୋଉକୁ ଖୋଜିଲେ ମିଳିଯାଏ ସବୁ

କାହିଁକି , ଧରେନା ମଗଜେ ।।


ପାଦେ ମାଛଖିଆ ଗୋଇଠିରେ ଫାଟ

ବୋଉ ଚାଲୁଥାଏ ଛୋଟେଇ

ମନ୍ଦିର ବେଢାରେ ନିଜେ ଧଇଁସଇଁ 

ମୋତେ ନିଏ କିନ୍ତୁ କାଖେଇ ।।


କରିଲେ ଦୁଷ୍ଟାମି ଭାଙ୍ଗିଲେ ଖେଳନା

ବୋଉ ଗରଗର ମିଛରେ 

ବାପାଙ୍କ ଗାଳିରୁ ମୋତେ ସେ ବଞ୍ଚାଏ

ନେଇ ସବୁ ଦୋଷ ମଥାରେ ।।


ପରୀକ୍ଷା ଦିଏ ମୁଁ ଫଳ ଜାଣିବାକୁ

ବୋଉ ରହେ କିଆଁ କାନେଇ

ଅଖିଆ ଅପିଆ ତୁଚ୍ଛା ବସିଥାଏ 

ଅଖଣ୍ଡଦୀପଟେ ଜଳେଇ ।।


'ବୋଉ ଲୋ' ତୋ'ପରି ଏଇ ଜଗତରେ 

ଆଉ କିଏ କହ ହବ କି !

'ପାଗଳା' ତୁ ସତେ ଗେହ୍ଲାପୁଅ ମୋର

ବୋଉ କହେ ଅଳ୍ପ ହସିକି ।



Rate this content
Log in

Similar oriya poem from Classics