ବଂଶୀଧର
ବଂଶୀଧର
କାହାକୁ କହିବି ମୋ ଦୁଃଖ ଲୋ ସଖୀ
କାହାକୁ କହିବି କହ
ସବୁ ଜାଣି ଶୁଣି ହୃଦୟ ଦେଇଛି
କାହ୍ନୁଠି ଲାଗିଛି ମୋହ ।।
ରାଧା ପାଇଁ ବାଜେ କାହ୍ନୁର ବଇଁଶୀ
ମୋ ପାଦ ଅଧୀର ହୁଏ
ଜାଣି ଜାଣି ସେ ତ ଲଗାଉଛି ନାଟ
ବୁଝି କି ପାରିବ କିଏ ?
ଜନମିଛି ସିଏ ଦେବକୀ ଗର୍ଭରୁ
ଯଶୋଦା କୋଳକୁ ଗଲା
ବସୁଦେବ ସୁତ ହୋଇ ପୁଣି ସେ ତ
ନନ୍ଦର ନନ୍ଦନ ହେଲା ।।
ମାୟା ଲଗାଇଲା ରାସ ସେ ରଚିଲା
ଛାଡିଦେଲା ଗୋପପୁର
ରାଧା ରାଧା ବୋଲି ଜପି ହେଉଥିଲା
କିପରି କରିଲା ପର ।।
ସବୁ ଜାଣି ଜାଣି ହୃଦୟ ଦେଇଛି
ବଂଶୀଧର କଲା ବାଇ
ଯୁଗ ଗଲା ବିତି ତଥାପି ତା ପ୍ରୀତି
ଏଯାଏଁ ସରି ତ ନାହିଁ ।।
ହୃଦୟ କୁଞ୍ଜରେ ବଇଁଶୀ ବଜାଇ
ଅସ୍ଥିର କରୁଛି ମନ
ଆଖି ବୁଜିଦେଲେ ନୀରବେ ଶୁଣିଲେ
ଶୁଭୁଛି ବଂଶୀର ସ୍ଵନ ।।
