ବନ୍ଦୀ
ବନ୍ଦୀ
ବନ୍ଦୀର ଜୀବନ
ମରୁଭୂମି ବାଲି ପରି
ଖୁବ ଉତ୍ତପ୍ତ ଆଉ ନିର୍ଜନ ବି,
ନା ଥାଏ ତ ତା’ର କିଛି ଆଶା,
ନା ପାଇବାର ଆନନ୍ଦ
ନା ହରାଇବାର ହତାଶା,
ଶିକୁଳି ବନ୍ଧା ତାର ସେଇ
ପାଦ ଯୋଡାକ ଖୋଜେ ତ କେବଳ
ମୁକ୍ତ ଜୀବନର ପରିଭାଷା !
ଘନ ଅନ୍ଧକାର ମଧ୍ୟରେ
ମୁକ୍ତିର ଆଲୋକ ପାଇବାକୁ
ସତତ ପ୍ରୟାସ ଭିତରେ
କେବେ ହେବାକୁ ପଡେ
ଅଦ୍ୱିତୀୟ ସୂର୍ଯ୍ୟ ସମ ତ
ପୁଣି କେବେ ସଂସାର ହାଟରେ
ମରୀଚିକା ଭଳି ମନରେ
ଆସେ ଅପୂର୍ଣ୍ଣ ଯେତେ ଭ୍ରମ !
ନିଃସହାୟ ଲାଗେ ତାକୁ ସବୁ
ସାହା ନାହିଁ କେହି ଯେମିତି
ଆଖି ଲୁହ ବ୍ୟତିରେକ
କେହି ନୁହନ୍ତି ନିଜର
କଲମରୁ ଝରି ଆସି
କାଳି ଧାରରୁ ସତେ ଯେମିତି
ଏକାନ୍ତ ଜୀବନର ସହଚର ମାନେ
ଆଉ ଆବେଗରେ ଭରିଦେବାକୁ
ଅପ୍ରତ୍ୟାଶିତ କଳରୋଳ !
ବନ୍ଦୀର ବୃତ୍ତାନ୍ତ ନୁହେଁ ଏ
ଖୁବ ଦୁର୍ବିସହ ଏ ଆତ୍ମ ବିଳାପ
ଏ ସବୁରି ଜୀବନର ଆତ୍ମକଥା,
ପରାଧୀନ ମୂର୍ମୁଷୁ ପ୍ରଚ୍ଛଦରେ
ବହୁ ଦୂରରେ ସ୍ଵାଧୀନତା
ଶୂନ୍ୟ କାରାଗାରେ
ବନ୍ଦୀ ଜୀବନଟା ଖୁବ୍ ବେସାହାରା
ନଥାଏ ଯାର ମୁକ୍ତିର ଚାବିକାଠି,
ବର୍ଷା ଧାର ଆଉ ଲୁହର ପାର୍ଥକ୍ୟ
କିଏ ବା ବୁଝିବ ଏଠି ??
