ବନ୍ଧୁତା ମୋ' ତମ ପାଇଁ
ବନ୍ଧୁତା ମୋ' ତମ ପାଇଁ
ବନ୍ଧୁତା ଦିବସେ ବାନ୍ଧବୀ ହେ ମୋର
ଘେନ ହୃଦୟର ଭାବ,
କେତେ ରାଗ କେତେ ଅନୁରାଗ ବୋଳା
ଥିଲା ଯେତେ ଅଭିଯୋଗ ।
ସମୟର ଡାକେ ଭୁଲି ମୁଁ ଯାଇଛି
ସ୍ମୃତି ସବୁ ଏବେ ଫିକା ,
ଅମାନିଆ ବୋଲି କବିର କଳ୍ପନା
ନିତି ନିତି ଖାଏ ଧୋକା ।
ରକତ ସମ୍ପର୍କ ପାଣିରଗାର ଯେ
ଡେଇଁଛି ଲକ୍ଷ୍ମଣ ରେଖା,
ସମୟ ଆସିଲେ କହିବି ସଜନୀ
ଯଦି କେବେ ହୁଏ ଦେଖା ।
ଏକା ଏକା ସିନା ଗଢିଛି ସଂସାର
ନିଃସଙ୍ଗ ମୁଁ ନିର୍ଯ୍ୟାତିତ,
ମାନସିକ ସ୍ଥିତି ଅତି ଦୁଃର୍ବିସହ
ଗାଏ ମୋ'କବିତା ଗୀତ ।
ଆପଣାର ଜନେ ନିନ୍ଦା ଅପବାଦେ
ପୋତିଦେଲେ ରସାତଳେ,
ତଥାପି ବଞ୍ଚିଛି ଭାଗ୍ଯକୁ ଆଦରି
ଆପଣା କରମ ବଳେ ।
ବନ୍ଧୁ ବୋଲି କେହି ନାହିଁ ତ ନିକଟେ
କା' ଆଗେ କହିବି ଆଉ,
ସ୍ଵାର୍ଥପର ସିନା ଆଜିର ଦୁନିଆ
ଭାବ ଥାଉ ମହାବାହୁ ।
ସ୍ବାର୍ଥନ୍ବେଷୀ ଏଠି ଆପଣା ସମ୍ପର୍କ
ଭାଇ ଭଉଣୀ ସଭିଏଁ,
ଓକିଲାତି କରି କହିଥାନ୍ତି କଥା
ବଡପଣ ଶୋଭା ପାଏ ।
ଜାଣେନା ମୋ'ଭାଗ୍ଯେ ଶନି ଯୋଗ ଅବା
ଅଛି କିବା ରାହୁ କାଳ,
ପ୍ରତି ମୁହୂର୍ତ୍ତରେ ମରି ମରି ବଞ୍ଚେ
ହୁଏ ଡହଳ ବିକଳ ।
ବନ୍ଧୁ ଖୋଜେ ନାହିଁ ପିଠାମିଠା ଚର୍ଚ୍ଚା
ଖୋଜେ କେବଳ ଆଦର
ଆପଣା ଖୋଜନ୍ତି ବଡଲୋକି ଢାଞ୍ଚା
ନ ବୁଝି ମନ କାହାର ?
କେତେଦିନ ଏଇ ଧରାର କୁଣିଆ
ବଞ୍ଚିବା ବା କେତେଦିନ,
ସ୍ବାର୍ଥନ୍ବେଷୀ ଜନ ଛଳ କପଟରେ
ଦେଖୁଥାଏ ପର ଧନ ।
ଧନ ତ ନଥିଲେ ନମିଳେ ସମ୍ପର୍କ
ଥିଲେ ଥାଉ ଯଶ ଗୁଣ ,
ଧନୀ ଚିହ୍ନେ ଧନୀ ବାନ୍ଧେ ସେ ବନ୍ଧୁତା
କାନ୍ଦେ ଗରିବ ପରାଣ ।
ଯଶ ଗୁଣ ବଳେ କି ଖ୍ୟାତି ମିଳଇ
ଏତ କଳିଯୁଗ ରୀତି,
ନିତି ନିତି ଘାସ କାଠ କାଟୁଥାଅ
ନମିଳେ ଭାଇ ପୀରତି ।
ଆପଣା କରମ ବଳେ ନିଜ ଭାଗ୍ୟ
କାହାକୁ କହିବି ଆଉ,
ଅଦିନିଆ ମେଘ ଭଳି ମୋ' ସମ୍ପର୍କ
ହେଲେ ହୃଦେ ରହିଥାଉ।
କେହିତ ରହିନି ରହିବେନି ସଦା
ଏ ଜୀବ ନାଟ୍ୟ ମଣ୍ଡଳେ,
ତଥାପି କାହିଁକି ନିର୍ଯ୍ୟାତିତ ପ୍ରାଣ
ତାଙ୍କରି କଥାକୁ ଭାଳେ।
ବନ୍ଧୁତା ଦିବସେ ଏତିକି କହିବି
ନ ହେବ ଭଉଣୀ ଭାଇ,
ବନ୍ଧୁଟିଏ ହୋଇ ରହିଥିବା ଯଦି
ସରଗ ସୁଖ ମିଳଇ ।
କଟିସୂତ୍ର ଯଦି ହୁଏ ବିଷଧର
ରକତ ଫାଟଇ ପାଣି,
ଭାଗ୍ଯେ ଦ୍ୱାହି ଦେଇ ବଞ୍ଚିବାକୁ ହୁଏ
ଭବିଷ୍ୟକୁ ଜାଣି ଜାଣି ।
ଧନରେ ଗରିବ ହେଲେ ହେବି ସିନା
ମନ ତ ଗରିବ ନୁହଁ,
ସେଥିପାଇଁ ବୋଲି ନିତି କଷ୍ଟ ଭୋଗି
ସହିଯାଏ ଏଇ ଦେହ ।
ଶ୍ରଦ୍ଧା ଭକତିର ଏ ପୁଣ୍ୟ ସମ୍ପର୍କ
ପବିତ୍ର ବନ୍ଧୁତା ହୋଇ,
ବଞ୍ଚି ରହିଥାଉ ହୃଦୟ କୋରଡେ
ଦୁଃଖ ବିତରିବା ପାଇଁ ।
ଆନ୍ତରିକ ସ୍ନେହ ମୋ ଅଭିନନ୍ଦନ
ନ ହେଉ ଆଜିର ପାଇଁ,
ଚିର କାଳ ରହୁ ସ୍ମୃତି ବିଜଡ଼ିତ
ବନ୍ଧୁତା ମୋ' ତୁମ ପାଇଁ ।
