STORYMIRROR

Chaturbhuja Sahoo

Classics

4  

Chaturbhuja Sahoo

Classics

ବନ୍ଧୁତା ମୋ' ତମ ପାଇଁ

ବନ୍ଧୁତା ମୋ' ତମ ପାଇଁ

1 min
269


ବନ୍ଧୁତା ଦିବସେ ବାନ୍ଧବୀ ହେ ମୋର 

    ଘେନ ହୃଦୟର ଭାବ,

କେତେ ରାଗ କେତେ ଅନୁରାଗ ବୋଳା 

   ଥିଲା ଯେତେ ଅଭିଯୋଗ ।

ସମୟର ଡାକେ     ଭୁଲି ମୁଁ ଯାଇଛି

    ସ୍ମୃତି ସବୁ ଏବେ ଫିକା ,

ଅମାନିଆ ବୋଲି    କବିର କଳ୍ପନା

    ନିତି ନିତି ଖାଏ ଧୋକା ।

ରକତ ସମ୍ପର୍କ      ପାଣିରଗାର ଯେ

    ଡେଇଁଛି ଲକ୍ଷ୍ମଣ ରେଖା,

ସମୟ ଆସିଲେ    କହିବି ସଜନୀ

   ଯଦି କେବେ ହୁଏ ଦେଖା ।

ଏକା ଏକା ସିନା    ଗଢିଛି ସଂସାର

   ନିଃସଙ୍ଗ ମୁଁ ନିର୍ଯ୍ୟାତିତ,

ମାନସିକ ସ୍ଥିତି     ଅତି ଦୁଃର୍ବିସହ

    ଗାଏ ମୋ'କବିତା ଗୀତ ।

ଆପଣାର ଜନେ   ନିନ୍ଦା ଅପବାଦେ

    ପୋତିଦେଲେ ରସାତଳେ,

ତଥାପି ବଞ୍ଚିଛି    ଭାଗ୍ଯକୁ ଆଦରି

    ଆପଣା କରମ ବଳେ ।

ବନ୍ଧୁ ବୋଲି କେହି  ନାହିଁ ତ ନିକଟେ

    କା' ଆଗେ କହିବି ଆଉ,

ସ୍ଵାର୍ଥପର ସିନା     ଆଜିର ଦୁନିଆ

    ଭାବ ଥାଉ ମହାବାହୁ ।

ସ୍ବାର୍ଥନ୍ବେଷୀ ଏଠି   ଆପଣା ସମ୍ପର୍କ

    ଭାଇ ଭଉଣୀ ସଭିଏଁ,

ଓକିଲାତି କରି     କହିଥାନ୍ତି କଥା

    ବଡପଣ ଶୋଭା ପାଏ ।

ଜାଣେନା ମୋ'ଭାଗ୍ଯେ ଶନି ଯୋଗ ଅବା

    ଅଛି କିବା ରାହୁ କାଳ,

ପ୍ରତି ମୁହୂର୍ତ୍ତରେ    ମରି ମରି ବଞ୍ଚେ

   ହୁଏ ଡହଳ ବିକଳ ।

ବନ୍ଧୁ ଖୋଜେ ନାହିଁ  ପିଠାମିଠା ଚର୍ଚ୍ଚା

   ଖୋଜେ କେବଳ ଆଦର 

ଆପଣା ଖୋଜନ୍ତି  ବଡଲୋକି ଢାଞ୍ଚା

   ନ ବୁଝି ମନ କାହାର ?

କେତେଦିନ ଏଇ   ଧରାର କୁଣିଆ

   ବଞ୍ଚିବା ବା କେତେଦିନ,

ସ୍ବାର୍ଥନ୍ବେଷୀ ଜନ   ଛଳ କପଟରେ

   ଦେଖୁଥାଏ ପର ଧନ ।

ଧନ ତ ନଥିଲେ    ନମିଳେ ସମ୍ପର୍କ 

   ଥିଲେ ଥାଉ ଯଶ ଗୁଣ ,

ଧନୀ ଚିହ୍ନେ ଧନୀ ବାନ୍ଧେ ସେ ବନ୍ଧୁତା

    କାନ୍ଦେ ଗରିବ ପରାଣ ।

ଯଶ ଗୁଣ ବଳେ   କି ଖ୍ୟାତି ମିଳଇ

     ଏତ କଳିଯୁଗ ରୀତି,

ନିତି ନିତି ଘାସ    କାଠ କାଟୁଥାଅ

     ନମିଳେ ଭାଇ ପୀରତି ।

ଆପଣା କରମ   ବଳେ ନିଜ ଭାଗ୍ୟ

     କାହାକୁ କହିବି ଆଉ,

ଅଦିନିଆ ମେଘ   ଭଳି ମୋ' ସମ୍ପର୍କ

    ହେଲେ ହୃଦେ ରହିଥାଉ।

କେହିତ ରହିନି    ରହିବେନି ସଦା

    ଏ ଜୀବ ନାଟ୍ୟ ମଣ୍ଡଳେ,

ତଥାପି କାହିଁକି   ନିର୍ଯ୍ୟାତିତ ପ୍ରାଣ

    ତାଙ୍କରି କଥାକୁ ଭାଳେ।

ବନ୍ଧୁତା ଦିବସେ     ଏତିକି କହିବି

    ନ ହେବ ଭଉଣୀ ଭାଇ,

ବନ୍ଧୁଟିଏ ହୋଇ     ରହିଥିବା ଯଦି

    ସରଗ ସୁଖ ମିଳଇ ।

କଟିସୂତ୍ର ଯଦି      ହୁଏ ବିଷଧର

    ରକତ ଫାଟଇ ପାଣି,

ଭାଗ୍ଯେ ଦ୍ୱାହି ଦେଇ  ବଞ୍ଚିବାକୁ ହୁଏ

     ଭବିଷ୍ୟକୁ ଜାଣି ଜାଣି ।

ଧନରେ ଗରିବ  ହେଲେ ହେବି ସିନା

     ମନ ତ ଗରିବ ନୁହଁ,

ସେଥିପାଇଁ ବୋଲି ନିତି କଷ୍ଟ ଭୋଗି

    ସହିଯାଏ ଏଇ ଦେହ ।

ଶ୍ରଦ୍ଧା ଭକତିର    ଏ ପୁଣ୍ୟ ସମ୍ପର୍କ

    ପବିତ୍ର ବନ୍ଧୁତା ହୋଇ,

ବଞ୍ଚି ରହିଥାଉ    ହୃଦୟ କୋରଡେ

    ଦୁଃଖ ବିତରିବା ପାଇଁ ।

ଆନ୍ତରିକ ସ୍ନେହ    ମୋ ଅଭିନନ୍ଦନ

    ନ ହେଉ ଆଜିର ପାଇଁ,

ଚିର କାଳ ରହୁ     ସ୍ମୃତି ବିଜଡ଼ିତ

    ବନ୍ଧୁତା ମୋ' ତୁମ ପାଇଁ ।



Rate this content
Log in

Similar oriya poem from Classics