ବଳିଦାନ
ବଳିଦାନ
ବଳିଦାନ କଥା ମନେ ପଡିଗଲେ
ଅତୀତ ସ୍ମୁତି ଯେ ଆସେ
ଗୋଟି ଗୋଟି କରି ଜୀବନ୍ତ କାହାଣୀ
ଆଖି ପଲକରେ ଭାସେ ।
କେତେ ବଳିଦାନ କିଏ ଦେଇଛନ୍ତି
ବହିଛି ରକ୍ତର ନଈ
ସେ ରକ୍ତ ନଈର ଛିଟା ଟା ଏବେବି
ରହିଅଛି ଛାପି ହେଇ ।
ଲିଭି ନାହିଁ କେବେ ସେଇ ଦୃଶ୍ୟପଟ୍ଟ
ଅଛି ହୃଦୟ ଇଲାକା
କିଏ କେତେ ବଳିଦାନ ଦେଇଅଛି
କିଏ ଦେଇଅଛି ଧୋକା ।
ପୁରାଣ ପୋଥିଠୁ ଆରମ୍ଭ କରିଣ
ଇତିହାସ ପୃଷ୍ଠା ଦେଖ
ଆଜିକାଲି ପ୍ରତି ଘରେ ଘରେ ତ୍ୟାଗ
ବଳିଦାନକୁ ପରଖ ।
ଦୁନିଆର ସୁଖ ଶାନ୍ତି ପାଇଁ କିଏ
କେତେ ବଳିଦାନ ଦ୍ୟନ୍ତି
ନିଜ ଅହଂମିକା ସମ୍ପତ୍ତି ଲାଳସା
ପାଇଁ କାହାକୁ ଲୁଟନ୍ତି ।
ମହାଭାରତରେ ପାଣ୍ଡବଙ୍କ ଥିଲା
ତ୍ୟାଗ ବଳିଦାନ କେତେ
ପିତାମହ ଭୀଷ୍ମ ବଜ୍ରର ଶପଥ
ବଳିଦାନ ପଢ ନେତ୍ରେ ।
ଦେଶ ରକ୍ଷା ପାଇଁ ଆଠ ବରଷର
ବାଳକ ବାଜି ରାଉତ
ନିଜ ଜୀବନକୁ ବଳିଦାନ ଦେଇ
ରଖିଲା ମାତୃ ମହତ ।
ଜାତି ଭାଇ ଟେକ ରଖି ଧର୍ମପଦ
କୋଣାର୍କ ମୁଣ୍ଡି ମାରିଲେ
ଜୀବନକୁ ବଳିଦାନ ଦେଇ ସିଏ
ନଦୀ ଗର୍ଭକୁ ଡେଇଁଲେ ।
ନାରୀ ବଳିଦାନ କହି ତ ନୁହଁଇ
ସାତ ସାଗରଠୁ ବେଶୀ
ତିନି ରୂପ ଧରି ଦିଏ ବଳିଦାନ
ସବୁ ସହି ହସି ହସି ।
ଦେଶର ସୁରକ୍ଷା ପାଇଁ ଦେଶପ୍ରେମୀ
ଆମର ବୀର ଯବାନ
ଶତ୍ରୁ ସଙ୍ଗେ ଲଢି ବଳିଦାନ ଦ୍ୟନ୍ତି
ହସି ନିଜର ଜୀବନ ।
ନିଃସ୍ବାର୍ଥପରର ବଳିଦାନ ଗାଥା
ସର୍ବଦା ଅମର ରହେ
ଏ ସାରା ଜଗତ ତା'ର ଯଶକୀର୍ତ୍ତି
ଜୟଗାନ କରୁଥାଏ ।
ବଳିଦାନ ଯିଏ ଦେଇଥାଏ ଯିଏ
ଜାଣେ ମହତ୍ତ୍ଵ ତାହାର
ଅନ୍ୟ ମାନେ ତାକୁ କେମିତି ବୁଝିବେ
ସ୍ବାର୍ଥ ପରା ତାଙ୍କ ଘର ।
ବଳିଦାନ ନୁହେଁ ଛୋଟିଆ କଥାଟି
ତା ପାଖେ ନୁଅଁଇ ମଥା
ଯୁଗ ଯୁଗ ପାଇଁ ଉଜ୍ଜୀବିତ ଚିର
ସ୍ମରଣୀୟ ରହେ ଗାଥା ।
