ବିଷ
ବିଷ
ନିଃଶ୍ୱାସେ ବିଶ୍ୱାସେ ବନ୍ଧନେ ବି ଅଛି ବିଷ,
ଭୋଜନେ ପାନୀୟେ ବିଷମୟ ସାରା ବିଶ୍ୱ।
କେବେ ମାଟି ପୁଣି କେବେ ଯେ ଆକାଶେ ବିଷ,
ବିଷ ପରିମାଣ ବଢ଼ଇ ଯେ ଚଉପାଶ।
ଭଲ ପଦେ କଥା କହେ ନାହିଁ କା'ର ମୁଖ,
ଇର୍ଷାରେ କେ' ଜଳେ ଦେଖି ପର ଜନ ସୁଖ।
ଭରି ରହିଥିବା ମନ୍ଦ ଭାବନାଟି ମନୁ,
ବିଷ ବୀଜ ହୋଇ ବଢ଼ାଏ ତାହାର ତନୁ।
ସେ ଦ୍ରୁମେ ଫଳଇ ବିଷ ଫଳ ଯେତେ ଯେତେ,
ତାର ସେ ପ୍ରଭାବେ ସୁଧା ହୁଏ ବିଷ ସେତେ।
ପର ଲାଗି ବିଷ ମଞ୍ଜି ବୁଣୁଥିବ ଯହିଁ,
ସେପାଇଁ ଜୀବନେ ଅମୃତ ପାଇବ କାହିଁ ।
ସାମାଜିକ ପ୍ରାଣୀ ହେତୁ ଏ ମଣିଷ ଭାଇ,
ଜଣଙ୍କ ପ୍ରଭାବ ପଡେ ଅନ୍ୟ ପରେ ତହିଁ।
କା'ର ମନେ ଯଦି ଦେଇ ନାହଁ ସୁଖ ତିଳେ,
କିମ୍ପାଇଁ ତାହେଲେ ଦୁଃଖ ଦିଅ କେଉଁ ବଳେ ।
ସୁଖ ସଂସାରର ଅମୃତ ଭାଣ୍ଡରେ ଯହିଁ,
ସୁଖ ତିଳେ ଭରି ନପାରୁଚୁ ଯେବେ ତୁହି।
ତେବେ ତୁ କିମ୍ପାଇଁ ବିଷ ଟୋପାଟିଏ ଆଣି,
ଅମୃତ ଭାଣ୍ଡକୁ ବିଷମୟ କରୁ ଜାଣି।
ତୁମେ ପରା ଅଟ ଅମୃତ ସନ୍ତାନ ବିଶ୍ୱେ,
ତେବେ କାହିଁ ମନ ବଳାଇଛ ବିଷ ପାଶେ ।
ସ୍ୱାର୍ଥ ପାଇଁ ଯଦି ବିଶ୍ୱାସେ ଦେଉଚ ବିଷ,
ସେ ବିଷ ବଳୟେ ହେବ ଦିନେ ସର୍ବନାଶ।
ମଣିଷ ବଚନେ ଅଛି ସୁଧା ଆଉ ବିଷ,
ଯେମନ୍ତ ଯେ' ଢଙ୍ଗେ କରଇ ଏଠି ପ୍ରକାଶ।
ଅମୃତ ବଚନ ଯଦି ବୋଲାଏ ମଣିଷ,
ସେ ବଚନେ ପ୍ରାଣୀ ଜାଣ ହୁଏ ଏଠି ତୋଷ।
ମନ୍ଦବାଣୀ ସଦା ବିଷମୟ ହୁଏ ବିଶ୍ୱେ,
ଜୀବନଟି ନଷ୍ଟ ହୁଅଇ ତାର ସକାଶେ।
ମନେ ପଡେ ଆଜି ଗାନ୍ଧିଜୀଙ୍କ ସେଇ ବାଣୀ,
ନମ୍ର ବ୍ୟବହାର ସଦା ମନ ନିଏ ଜିଣି।
