STORYMIRROR

Samita Swain

Classics

4  

Samita Swain

Classics

ବିଶ୍ବ ଜନନୀ ମୋ ମା

ବିଶ୍ବ ଜନନୀ ମୋ ମା

1 min
440

ବନ୍ଦେ ମା'ଜନନୀ ଶକ୍ତି ପ୍ରଦାୟିନୀ 

   ପରଂବ୍ରହ୍ମ ସ୍ବରୂପିଣୀ 

ମା ସିଂହ ବାହିନୀ  ଜଗତ ତାରିଣୀ 

   ଦୁର୍ଗା ଦେବୀ ନାରାୟଣୀ ।


ତୁ ମାତା ପ୍ରକୃତି ପୁଣି ମହାଶକ୍ତି

   ଭକ୍ତି ମୁକ୍ତି ଜ୍ଞାନ ଦାତ୍ରୀ 

ମାଆ ତୁ' ଶାରଦା  ଆଦି ମାତା ସଦା 

   ମହାଗୌରୀ କାଳରାତ୍ରି ।


ସନ୍ତାନ ବତ୍ସଳା  କୃପାମୟୀ ମାଆ

   ସର୍ବଦା ତୁ ଅଦ୍ବିତୀୟା

ତୋର କୃପାବିନା  ନାହିଁ ଆନଗତି

   ବିପଦେ କରିବୁ ଦୟା।


ତୁ ମାତା ଈଶ୍ବରୀ  ଶୁଣିବୁ ଗୁହାରୀ 

   ଦେବୁତୁ କରୁଣା ଝାରି

ସକଳେ ପୂଜିତା  ମାଆ ସର୍ବରୂପା

   ଦିବ୍ୟ ରୂପ ମନୋହାରୀ ।


ଦୁଃଖ ନାଶିନୀ ମା'  ସୁଖ ଦାୟିନୀ ତୁ'

    ଦୁର୍ଗେ ଦୁର୍ଗତି ନାଶିନୀ 

ଲୋଡା ନାହିଁ ମୋର  ଟଙ୍କା ସୁନା ଧନ

     ଦୁଃଖ ନ ଦେବୁ ଜନନୀ ।


ତୋ କରୁଣା ବିନା ଏ ସାରା ଦୁନିଆ 

   ଜଳେ ଅଶାନ୍ତିର ନିଆଁ 

ସର୍ବଜନ ହୃଦ   ପଦ୍ମେ ବିରାଜି ତୁ '

  ଦେବୁ ଦିବ୍ୟ ଜ୍ଞାନ ମାଆ ।


ତୁହି ସର୍ବେଶ୍ବରୀ  ମା ଆଦି ଜନନୀ 

   ଦୟାମୟୀ କୃପାମୟୀ

ପୁଣି ଶୂନ୍ଯରୂପା  ତୁ ଶକ୍ତି ମଣ୍ଡିତା 

   କାତ୍ଯାୟନୀ ମହାମାୟୀ ।


ମହିଷାମର୍ଦ୍ଦିନୀ  ଦୈତ୍ୟ ବିନାଶିନୀ 

  ମାଆ ମୋ ବିଶ୍ବଜନନୀ

ବିଜୟା ଦଶମୀ ପୁଣ୍ଯ ପାର୍ବଣରେ

  ପୂଜେ ତୋର ପାଦବେନି ।


ପ୍ରଣିପାତ କରେ  ତୋପଦ କମଳେ

   ଶ୍ରୀଦେବୀ ତୁ ସିଦ୍ଧିଦାତ୍ରୀ 

ତୋ ମହିମା କିବା  ବର୍ଣ୍ଣି ମୁଁ ପାରିବି

   ତୁ ସାରା ସଂସାର ଧାତ୍ରୀ ।


 ବନ୍ଦେ ମା' ଭବାନୀ  ଘେନିବୁ ଦୟିନୀ 

     ଦେବୁ ଅଭୟ ଆଶିଷ

ତୋର ଦୟା ବଳେ  ହସିବ ଏ ବିଶ୍ବ 

     ତାମସ ହେବ ବିନାଶ ।

      


Rate this content
Log in

Similar oriya poem from Classics