STORYMIRROR

Krushna Chandra Lenka

Drama Romance Action

4  

Krushna Chandra Lenka

Drama Romance Action

ବଇଶାଖୀ ସ୍ମୃତି

ବଇଶାଖୀ ସ୍ମୃତି

1 min
242

ବଇଶାଖ ମାସେ ଯେବେ ଝଡ଼ ଆସେ

  ମନେ ପଡେ ତୁମ କଥା,

ସେଇ କଥା ଭାଳି ପାରେ ନାହିଁ ଚଳି

   ସେପାଇଁ ଲାଗଇ ବ୍ୟଥା।


ଜୀବନ ଜଞ୍ଜାଳେ ସଞ୍ଜ ସକାଳେ

  ଥାଏ ବ୍ୟସ୍ତ ନିତି ମୁହିଁ,

ଏତେ ଦିନ ଧରି  ସତେ ତୁମ ପରି

   କେ' ଜଣେ ମିଳିଲେ ନାହିଁ।


ଆଜ କାହିଁ ମନେ ଆସି ମୋ ସପନେ

  ଉଭା ହୁଅ ଏଇ କ୍ଷଣି,

ବଇଶାଖୀ ବାଆ  କଥା ଭାଳୁ ଭାଳୁ

   ନୟନେ ଦିଶେ ସେ ଠାଣି।


ସେ ଚୋରା ଚାହାଣୀ  ମନ ନେଲା କିଣି

   ଯେବେ ତମେ ଦେଲ ହସି,

ସେ ହସ ତୁମର  କେଡେ ଯେ ସୁନ୍ଦର

   ଲାଗେ ସତେ ବାରମାସି।


ଆଜ ଏ ପ୍ରଭାତେ  କରମ ସହିତେ

  କାହିଁ ତୁମେ ପଡ଼ ମନେ,

ସକଳ କରମେ ପ୍ରାଣ ପ୍ରିୟା ତମେ

   ଭାସି ଆସ ମୋ' ନୟନେ।


ସେଇ ଝଡ଼ ନିଶି ମନେ ଆସେ ଭାସି

    ଚମକାଇ ଦିଏ ତନୁ,

ତୁମ ସେଇ ବାଣୀ  ହୃଦ ନେଲା ଜିଣି

    ଭୁଲି ହୁଏ ନାହିଁ ମନୁ।


ମୋର ମନ କଥା  ଅବା ସେ କବିତା

   ଭାଳି ହୁଅ କି ଗୋ ଦିନେ,

ଅତୀତର କଥା ଭାଳି ମୋର ପରି

   ଆସେ କି ପାଣି ନୟନେ?


ଭୁଲି କି ପାରିବି  ତୁମକୁ ଗୋ ତିଳେ

   କେମନ୍ତ ଭୁଲିବି କହ,

ସର୍ବ ସୁଖ ମେଳେ  ବାଧେ ଭାରି ମତେ

    କିମ୍ପାଇଁ ତୁମ ବିରହ!


ଜାଣେ ମୁହିଁ ଭଲେ  ଭୁଲି ନାହଁ ମତେ

   ଭୁଲିବନି ଏ ଜୀବନେ,

ତୁମ ପରି ଜଣେ  ସାଥୀଟିଏ କାହିଁ

   ମିଳିବ କି ଏ ଭୁବନେ?


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama