ବଇଶାଖୀ ବାଆ
ବଇଶାଖୀ ବାଆ
ମଧୁମାସ ଶେଷେ ବଇଶାଖ ଆସେ
ପ୍ରଚଣ୍ଡ ଉତ୍ତାପ ଘେନି
କେଡେ ଘୋର କାଳ ସତେ ସେହି ବେଳ
ଅମ୍ପନ ହେଉ କି ଫନି।
ନାହିଁ ତିଳେ ଦୟା କେମନ୍ତ ତୁ ବାଆ
କିମ୍ପା ଆସୁ ଏଇ ଦିନେ
ଭୂତାଣୁ ଦାନବ ରଚୁଛି ତାଣ୍ଡବ
ବଢେ ଭୀତି ଜନ ମନେ।
ଏ ଘୋର କାଳରେ ଉତ୍କଳ କୋଳରେ
ଦେଖା ଦେଉ ତୁ କିମ୍ପାଇଁ
କାଳ ବଇଶାଖୀ ତୋର ରୂପ ଦେଖି
ଡାକେ ରଖ ମୋତେ ସାଇଁ।
ବଙ୍ଗୋପସାଗର ଜନନୀ ତୋହର
ଥିଲୁ ଗଭୀର ଗହ୍ବରେ
ଓଡିଶା ମାଟିରେ କି ଯଶ ପାଉରେ
ଖେଳ ଖେଳୁ ମନୋହରେ।
ତୋର ଏଇ ଖେଳ ଜୀବ ପାଇଁ କାଳ
ସେ କଥା ବୁଝିବୁ କାହିଁ
ନିର୍ଘୋଷ ଭ୍ରମଣ କରିବାକୁ ଧନ
ପାଇଛୁ ଉତ୍କଳ ଭୂଇଁ!