ତୁମେ କେବେ ଆସି କେବେ ଫେରିଯାଅ ଶୀତ
ଜମା ଜାଣିହୁଏ ନାହିଁ
ନୀଳକଇଁ ଖାଲି ନଖରେ କାଟେ ଗାର
ରାତି ପରେ ଦିନ ଆସିଥାଇ
ଟିପି ଟିପି ଏଇ କାକର ଟୋପାରେ
ଜହ୍ନ ମନ ବୋଧେ ଓଦା
ନୀଳକଇଁ କେବେ ଭାବିନାହିଁ
ଶୀତ ଦେବ ଏତେ ବାଧା ଯେତେସବୁ ଅସୁବିଧା
ଖରାରେ ଗରମ ବରଷାରେ ଝଡି
ଶୀତରେ ଆଖି ଯାଏ ପରା ମୁଦି
ରୁପା ପାଉଁଜି ଟା ଛମ ଛମ ସ୍ଵରେ
କାକର ଟୋପାରେ ଛନ୍ଦି ବାନ୍ଧି
ମେଘ ପରି ଓଦା କରେ ନୀଳକଇଁ ମୁଁହଁ
ଶୀତ କହେ କାନ୍ଦ ନାହିଁ
ଫୁଲ ଫଗୁଣ ପୁଣି ଯେ ଶ୍ରାବଣ ନକରିଛି ଯାହା
କରିଦେଖେଇବି ମୁହିଁ
ନୀଳକଇଁ ଆଖି ପତା ମୁଦି ଦେଖେ
ଜହ୍ନଟା ଚାଦର ଢାଙ୍କି
କହେ ଶୀତ ଅମାବାସ୍ୟା ଆସିବ ଏମିତି
ମନରୁ ପୋଛି କି ପାରିବି ତୁମକୁ ଫାଙ୍କି
ଶୀତ ହିଁ କୁମୁଦ ଶୀତ ହିଁ ଚାନ୍ଦ
ମକରନ୍ଦ ଆସି ଆଣିଛି ଦୁହିଁଙ୍କ ପାଇଁ
ମନଦୁଃଖ ଆଉ ନାହିଁ
ଫେରିଯିବ ଶୀତ ଧରି ରଖ ଛନ୍ଦି ହାତେ ହାତ
ମନାଉଣା ଜମା ନୀଳକଇଁ କରନାହିଁ