ବିରହୀ
ବିରହୀ
କବିସୌରଭ ଅନୁପ ସିଂହ ଦେବ
ରାଜା ଖଡ଼ିଆଳ
ନିୟତି-ସ୍ରୋତେ ଭାସେ ଜୀବନ-ତରୀ
ପୁଣି ଖେଳଇ ତହିଁ ଆଶା-ଲହରୀ ।
ଚାରୁ ଚନ୍ଦ୍ର କିରଣେ ସରସୀ କଇଁ
ହସଇ ସ୍ମିତ ହସ ନ ପଡ଼ି ନଇଁ ।
ଜ୍ୟୋତ୍ସ୍ନା ରାତ୍ରେ ଆନନ୍ଦେ ଖେଳେ ଚକୋର
ସ୍ନେହ ଥିବାରୁ ସିନା ଚନ୍ଦ୍ରେ ତାହାର ।
ରବି କିରଣ ତାପେ ପାଟଳ ପଦ୍ମ
ଫୁଟି ଦିଶଇ ଆହା କି ମନୋରମ ।
ବସନ୍ତେ ଫୁଟିବାରୁ ନାନା ସୁମନ
ଭ୍ରମର ଭ୍ରମି ଚୁମେ ତା'ର ଲପନ ।
ଗାଏ ପଞ୍ଚମ ତାନ କୋକିଳ ଧରି
ଶ୍ରବଣେ ତାହା ସତେ କି ମନୋହାରୀ !
ବଟ ବୃକ୍ଷ ଗ୍ରୀଷମେ ପ୍ରକାଶି ଛାୟା
ଦିଅଇ ଶାନ୍ତି କରି ପଥିକେ ଦୟା ।
ଶାନ୍ତି ନ ଲଭେ କିନ୍ତୁ ମୋହର କାୟା
ମୋହ ଉପରେ ନିକି ବିଧିର ମାୟା !
ସୁଆତି ଘନନୀରେ ଚାତକ ପରି
ମନ ମୋହର ସଦା ହୁଅଇ ଘାରି,
ଘନ ନୀଳ ବାଦଲେ କଳାପୀ ସରି
ଶୂନ୍ୟ ଗଗନେ ଚାହେଁ ଦିବା ଶର୍ବରୀ ।
କେତେ ମାସ ବରଷ ଗଲାଣି ଚାଲି
ଆଶାର ଆସନ ମୋ ରହିଛି ଖାଲି ।
ସୁନାର ଦେହ ମୋର ହେଲାଣି ଚୂନା
ଆଉ କି ଦଶା ଅଛି ବିହିକୁ ଜଣା !
ସମାପ୍ତ