ବିଂଶପାଣି
ବିଂଶପାଣି


ଜନ୍ମଭେଦ ଜାଣି ଦୈତ୍ୟ ବିଂଶପାଣି
ମୁକ୍ତିମାର୍ଗ ଅନ୍ବେଷଣେ
ହତ ହେବା ସ୍ଥିର କଲା ରଘୁବୀର
ସାଥେ ଯୁଝିବାକୁ ରଣେ ।
ସମୀକ୍ଷକ ମଣେ ରାବଣ ବି ଜଣେ
ଧୁରନ୍ଧର ଜ୍ଞାନୀ ବୋଲି ,
ଥିଲେ ଶାସ୍ତ୍ରଜ୍ଞାନ କରି ଅନୁଧ୍ୟାନ
କହେ କେହି ଖୋଲାଖୋଲି ।
ଖଗପତି ପତି ପଦାମ୍ଵୁଜ ପ୍ରତି
ଚିତ୍ତେ ରଖି ଅନୁରକ୍ତି ,
ଛାଡ଼ି ପ୍ରାଣଭୀତି ଖଳବୃତ୍ତି ନିତି
କଲେ ମଧ୍ୟ ଥାଏ ଭକ୍ତି ।
ଆୟୁଷ ଭିତ୍ତିରେ ରହି ସେ କ୍ଷିତିରେ
କାଳଜୟୀ ନିରବଧି ,
ଗଣ୍ଡା'ରେ ଛପନ ଯୁଗର ସପନ
ପାରିବେନି କେହି ବଧି ।
ବୈରୀଭାବେ ହରି ନଯୁଝିଲେ ମରି
ନପାରିବ ମନେକରି ,
ଯେବେ ପୀତବାସ ଗଲେ ବନବାସ
ସୀତାଙ୍କୁ ନେଲା ସେ' ହରି ।
ଚାହିଁଲା ମନରେ ଅଶୋକ ବନରେ
ମାତାଙ୍କୁ ରଖିଲେ ଆଣି ,
ଛଳେ ସେ' ଉପେକ୍ଷି ବିଜନତା ଦେଖି
ପୟରେ ଯୋଡିବ ପାଣି ।
ଛଦ୍ମଵେଶ ଧରି ବଳେ ଅପହରି
ନେବାକୁ ବିଚାରେ ମନେ,
ଛାଏଁ କୃପାକରି ଆସିଵେ କି ହରି
ନେବା ପାଇଁ ପ୍ରାଣଧନେ ।
ଜାଣି ପାପଦ୍ରୋହେ ମଜ୍ଜିଯାଇ ମୋହେ
ଆଜ୍ଞାକୁ ଅଵଜ୍ଞା କରି ,
ଏକାନ୍ତ କାନନ ଦେଖି ଦଶାନନ
ବିରାଜଇ ଅବତରି ।
ଆସି ବିପ୍ରବେଶେ ତହିଁ ବନଦେଶେ
ବିନୟ ବଚନ ଭାଷେ ,
ବୋଲେ ଭିକ୍ଷାଂ ଦେହି ରହିଅଛି କେହି
ଚାରିଦିନ ଉପବାସେ ।
ନପାଇ ଅଶନ ସହୁଛି କଷଣ
ଶୁଣ ଗୋ ରମଣୀବର ,
ସମୟ ସଙ୍ଗତେ କହିବେ ଜଗତେ
ଅଭ୍ଯାଗତ ପ୍ରାଣହର ।
ଆନକଥା ଚିନ୍ତି ଟାଳଟୁଳ ନୀତି
ଧରିଲେ ମରିବି କ୍ଷଣେ ,
ଟେକିଦିଅ ଭିକ୍ଷା ଥିଲେ କୁଳଦୀକ୍ଷା
ଭାଗୀ ହୁଅ ଧର୍ମାର୍ଜନେ ।
ଠୁଳ କଲେ ସତୀ ଫଳମୂଳ ଭର୍ତ୍ତି
ଡାଲାଟିଏ ପାଶେ ଆଣି ,
ନିଅନ୍ତୁ ପିଅର ଏ' ରେଖା ଦିଅର
ଯାଇଛନ୍ତି ଯେଣୁ ଟାଣି ।
ସ୍ଵର୍ଣ୍ଣମୃଗ ଦେଖି ସଭିଙ୍କୁ ଉପେକ୍ଷି
ଅଳି କଲି ତତକ୍ଷଣେ ,
ଧରି ତୀକ୍ଷ୍ଣ ତୀର ଧନୁର୍ଦ୍ଧର ଧୀର
ଯାଇଛନ୍ତି ବୀରପଣେ ।
ପଲ୍ଲବେ ପ୍ରଚ୍ଛନ୍ନ ଥିଲେ ବି ମୋ' ମନ
ରଖିବାକୁ ଗଲେ ପତି ,
ଶୁଣି ଆର୍ତ୍ତନାଦ ମଣିଲି ପ୍ରମାଦ
ଥିବ ବୋଲି ତାଙ୍କ ପ୍ରତି ।
ମୋ' ହିତ ମନାସି ଗଲେ ଅବିନାଶୀ
ଅନୁଜଙ୍କୁ ପେଷି ପାଶେ ,
ନଥିଲା ତ ସାଧ୍ୟ ହୋଇଲି ଅବାଧ୍ୟ
ଦାନବଙ୍କ ମାୟା ତ୍ରାସେ ।
ତିନିପୁର ଜ୍ଞାତା ସ୍ଵାମୀଙ୍କର ଭ୍ରାତା
ବାରଣ କରନ୍ତେ ଭଣି ,
ତୁଚ୍ଛ ମୃଗ ଏକ ଧରିବାରେ ଦେଖ
ଅଯୋଗ୍ୟ କି ରଘୁମଣି ?
ଭୟ ଥିଲା ବେଶି ଦେବରଙ୍କୁ ପେଷି
କହିଲି ଏ' କେଉଁ ନ୍ୟାୟ ,
ଦେଖ କେଉଁ ପରି ବିପଦକୁ ବରି
ଡାକୁଛନ୍ତି ରଘୁରାୟ ।
ଧରି ଧନୁର୍ବାଣ ଯାଇଛନ୍ତି ଜାଣ
ଦେବର ମୋ' ଅନୁରାଗେ ,
ତିନି ଗାର କାଟି କହିଛନ୍ତି ମାଟି
ନଡେଇଁଵି ସେହି ଦାଗେ ।
ଆଜ କି ଅନର୍ଥେ ଶୁଣି କର୍ଣ୍ଣ ପଥେ
ପତିଙ୍କ ବିକଳ ସ୍ଵର ,
ଜାଗିଲା ବିକାର କଲି ଯେ ଧିକ୍କାର
ଦେବର ଗଲେ ସତ୍ବର ।
ଥରୁଛି ମୁଁ ରହ ମହାଭାଗ କହ
ଲଙ୍ଘିଲେ ଲକ୍ଷ୍ମଣରେଖା ,
ଯଦି ଆମ୍ଭ ପ୍ରତି ପଡିବ ବିପତ୍ତି
ପାଇବି କି ତାଙ୍କ ଦେଖା ?
ନାହିଁ ମୋର ଚାରା ବାରଣ ଏ' ସାରା
ନମାନି ଭୋଜନ ଦେବି ,
କର ବାରେ କ୍ଷମା ପାରିବିନି ଜମା
ପାପେ ପଛେ ଭାଗୀ ହେବି ।
ବିପ୍ର ବେଶଧାରୀ କହେ ଶୁଣ ନାରୀ
ଅତିଥି ଅବଜ୍ଞା ଶାପେ ,
ଯାହା ଅଛି ଯୋଗ କରି ଫଳଭୋଗ
ଭାଳୁଥାଅ ପଶ୍ଚାତାପେ ।
ଅଧିକ ନଇଚ୍ଛି ଦୂରେଇ ରହିଛି
ଶୂନ୍ୟହସ୍ତେ ଗଲେ ଫେରି ,
କରୁନାହିଁ ବାଧ୍ୟ ଏହି ଅପରାଧ
ପରିଣାମ ନୋହୁ ଡେରି ।
ନପାଇ ଭୋଜନ ଯାଉଛି ଯୋଜନ
ଦୂରକୁ ପଛେ ମୁଁ ଭଲେ ,
ହେବ ସୂର୍ଯ୍ୟବଂଶ ପ୍ରତି ଅପଯଶ
କ୍ଷୁଧାର୍ତ୍ତ କେହିବି ମଲେ ।
ଧର୍ମ କଦାଚିତ ନୋହେ ଅବାଞ୍ଛିତ
ରଘୁକୁଳ ହିତେ ଆଜ ,
ଭିକ୍ଷାଶୀ ବର୍ଜନେ କୁଖ୍ୟାତି ଅର୍ଜନେ
ଅବଧପୁରୀକୁ ଲାଜ ।
ଭିକ୍ଷାନ୍ନକୁ ତୁମେ ରଖନାହିଁ ଭୂମେ
ଫେରିଯାଅ ପର୍ଣ୍ଣବାସେ ,
ଭ୍ରମେ ଯେତେ ପଥ ଜାଣ ମୋ' ଶପଥ
ନଛୁଇଁବି ତହୁଁ ଗ୍ରାସେ ।
ପ୍ରଚଣ୍ଡ ଏ' ଗୀର ଶୁଣି କଲେ ସ୍ଥିର
ଅନୁଶୋଚନାରେ ସୀତା ,
ବିପ୍ର କଲେ କ୍ରୋଧ ନାହିଁ ପ୍ରତିରୋଧ
କି ବୋଲିବେ ନିଜ ପିତା ?
ସବୁକିଛି ଜାଣି ଲକ୍ଷ୍ମଣଙ୍କ ବାଣୀ
ଲଙ୍ଘିଲେ ନିୟମ ଟାଳି ,
ଭିକ୍ଷାଶୀଙ୍କ କରେ ବଢାଇଲେ ଖରେ
ଭୋଜନର ଏକ ଥାଳି ।
ବିଶ୍ରବାନନ୍ଦନ ପୁଷ୍ପକ ସ୍ୟନ୍ଦନ
ଆବାହନ କରି ତୁରେ ,
ଶଠତାରେ ନ୍ୟସ୍ତ ପ୍ରସାରି ତା' ହସ୍ତ
ଆକର୍ଷଣ କଲା କ୍ରୁରେ ।
ଛଳରେ ଅକ୍ଳେଶେ ନେଇଗଲା ଶେଷେ
ବ୍ୟୋମଯାନ ଆରୋହଣେ ,
ସଙ୍କଟ ନାଶନେ ନଥିଲେ ଆସନ୍ନେ
ବନସ୍ତରେ କେହି ଜଣେ ।
ନିଶ୍ଛଳା ସେ ନାରୀ ଯାଇଥିଲେ ହାରି
ମାୟାବୀ ସେ' ଲଙ୍କାପତି ,
ତରୁଲତା ପ୍ରାୟ ଥିଲେ ନିରୁପାୟ
ବିବଶତା ଥିଲା ଅତି ।
ଦୈତ୍ୟ ମନେ ଶଙ୍କା ନଥିଲା ଯେ ଲଙ୍କା
ନାଶ ଯିବ ଏହାପରେ ,
ଅଶୋକ ବାଟିକା ସଂଜ୍ଞାନେ ନାଟିକା
ଉଡ଼ିବ ହିଁ ନିଶ୍ଚେ ଖରେ ।
ମିଥ୍ୟା ବିଦ୍ରୂପରେ ଜଳଧି ଉପରେ
ଘେନି ଯାଉଯାଉ ନଭେ ,
ଅଟ୍ଟହାସ୍ୟ କରି ପ୍ରଭୁଙ୍କୁ ସୁମରି
ଦଶାନନ ତୃପ୍ତି ଲଭେ ।
ଗୋଲକବିହାରୀ ସ୍ବହସ୍ତେ ସଂହାରି
ନେବେ ବୋଲି ଦୃଢ଼ମତି ,
ଶ୍ରୀନିବାସ ପଦେ ଅତୀବ ଆନନ୍ଦେ
ଚିନ୍ତଇ ପରମଗତି ।