ବିଂଶ ଏକବିଂଶରେ ଜୀବନ ଯାତ୍ରା
ବିଂଶ ଏକବିଂଶରେ ଜୀବନ ଯାତ୍ରା
ପ୍ରତି ଦିନ ପୂର୍ବାକାଶ ମାଖେ ଅରୁଣିମା
ଯେବେ ବାଳ ରବି ହସି ଦେଇଯାଏ ଚୁମା |
ହୃଦରେ ଲହଡି ଭାଙ୍ଗେ କେତେ ନୂଆ ଆଶା
ମନେ ଜାଗେ ଉଦ୍ଦୀପନା କର୍ତ୍ତବ୍ୟର ନିଶା |
ସବୁ ଚିହ୍ନ ହଜିଯାଏ ପୂରୁବ ଆକାଶେ
ଦିବସର ଅଗ୍ରସରେ ଉଜ୍ଜ୍ୱଳ ପ୍ରକାଶେ|
ଦିବସର ଅନ୍ତ ହୁଏ ଲୁଚିଯାଏ ରବି
ଧରଣୀ ଧାରଣ କରେ ଘନ କଳା ଛବି |
ଅନ୍ଧକାର ମାଡିଆସେ ଆଶା ମରିଯାଏ
ନିଦ୍ରାଦେବୀ କୋଳେ ସର୍ବ ପ୍ରାଣୀ ନିଦ୍ରାଯାଏ|
ରାତି ପାହିଯାଏ ପୁଣି ଆସଇ ପ୍ରଭାତ
ନୂଆ ଆଶା ନେଇ ଜନ ହୁଅଇ ଜାଗ୍ରତ |
ଦିନ ରାତି ଚକ୍ରାକାରେ ଯାଆସ ଏମନ୍ତ
କରୁଥାଏ ମଣିଷକୁ ନିତି ହନ୍ତସନ୍ତ |
ବିଂଶଉନବିଂଶ ଆଣି କରୋନା ରାକ୍ଷସ
ସାରା ବିଶ୍ବେ ତ୍ରସ୍ତ କରି ରଚିଲା ସନ୍ତ୍ରାସ |
ବିଂଶ ବିଂଶ କଟିଗଲା ଗୃହବନ୍ଦୀ ହୋଇ
ସର୍ବ ନେତ୍ରେ ଦିଶୁଥିଲା ମୃତ୍ୟୁ କଳା ଛାଇ |
ଛଡାଇଲା ରୋଜଗାର ଛଡାଇଲା ପେଷା
ସାରା ପୃଥିବୀର ଜନେ ଭୋଗିଲେ ଦୁର୍ଦ୍ଦଶା |
କ୍ରୀଡାଙ୍ଗନେ ଶୁଭିଲାନି ପିଲାଙ୍କ ଚିତ୍କାର
ବିଦ୍ୟାଳୟ ବନ୍ଦ ହେଲା ଦୁର୍ଦ୍ଦିନ ଶିକ୍ଷାର |
ଆଶଙ୍କାର ମଧ୍ୟେ ବିଂଶ ବିଂଶ ହେଲା ଶେଷ
ନୂଆ ଆଶା ନେଇ ଆସି ବିଂଶ ଏକବିଂଶ |
ପୃଥିବୀର ବୁକୁପରେ ଆଶାର ସଂଚାର
କରି ବିଂଶ ଏକବିଂଶ ଆସିଲା ଏଥର |
ପ୍ରତିକାର ପାଇଁ ନର ହୋଇଲା ତତ୍ପର
ମହାମାରୀ ଚକ୍ମା ଦେଇଗଲା ବାରମ୍ବାର|
ଆଲ୍ଫା ଡେଲ୍ଟା ଠାରୁ ଓମିକ୍ରନ୍ ରୂପରେ
ମହାମାରୀ ସନ୍ତାଇଲା ନାନାଭାବେ ନରେ|
ପୃଥିବୀରୁ ନେଇ କେତେ ଅମୂଲ୍ୟ ଜୀବନ
ରଚିଗଲା ହାହାକାର ଅତିଷ୍ଠ କରିଣ |
ଧୀରେ ଧୀରେ ସ୍ବାଭାବିକ ହେଉଛି ଜୀବନ
ଭୀତ ତ୍ରସ୍ତ ଅବସ୍ଥାରେ ପୃଥିବୀର ଜନ |
ବିଂଶ ଏକବିଂଶ ଦେଇ ନୂତନ ଭାକ୍ସିନ
ଆଣ୍ଟିବଡି ସୃଷ୍ଟିକରି ବଞ୍ଚାଏ ଜୀବନ |
ସତର୍କତା ସବୁଠାରୁ ଜରୁରୀ ଅଟଇ
ମହାମାରୀ ପ୍ରତିରୋଧ ପ୍ରତିକାର ପାଇଁ |
ପ୍ରତିରୋଧ ପ୍ରତିହତ କରିବାଠୁ ଭଲ
ଏହି କଥା ମନେ ରଖ ଭାବ ନାହିଁ ଗେଲ |
