ବଇନା
ବଇନା
ବଇନା ଦେଲାଣି କାଳ ଯିବି ମୁହିଁ ସ୍ବର୍ଗଦ୍ବାର
କିଆଁ ଆଉ ଅହଂକାର ଧରି ହେବି ହରବର
ନଖୋଜି ମୁକତି ପଥ ଭିଡ଼ି ମୋ ଜୀବନ ରଥ
ନେଉଥିବି ଲୋଭ ମୋହେ କରି ମନ ବଶୀଭୂତ ।
ଦିନେ ମାଟି ଦେହ ପାଇଁ କେତେ ପ୍ରେମ ଥିଲା ରହି
ହୁଏ ଆଲୋଡି଼ତ ମନ ଯାହା କଳ୍ପି ନ ହୁଅଇ
ତା'କୁ ସୁଖ ଦେବାପାଇଁ ଥିଲି ବିପଥରେ ଧାଇଁ
ପରିଣାମ ଆଜି ମୋତେ ସେସବୁ ଦିଏ ବୁଝାଇ ।
ଯାହା ନୁହଁଇ ନିଜର କହି ତା'କୁ ମୋର ମୋର
ମିଛେ ହେଉଥିଲି ବାଇ ଚିନ୍ତି ମନେ ନିରନ୍ତର
ସାଂସାରିକ ସୁଖବଳ ଶରୀର ପାଇଁ କେବଳ
ଆତ୍ମା ଛାଡ଼ି ଚାଲିଗଲେ ଶବ ବୋଲିବେ ସକଳ ।
ଆସିଥିଲି ଶୂନ୍ୟ ହସ୍ତେ ଯିବି ପୁଣି ଶୂନ୍ୟ ହସ୍ତେ
ଛ'ଖଣ୍ଡ କାଠ କେବଳ ମଶାଣିକୁ ଯିବ ସାଥେ
ଜୁଇ ପରେ ଜଳୁଥିବ ପଞ୍ଚଭୂତର ଶରୀର
କର୍ମ ଅନୁଯାୟୀ ଆତ୍ମା ପ୍ରାପତ ନବ ଶରୀର ।