ବିଲୁଆ ବିଚାର
ବିଲୁଆ ବିଚାର
ଧର୍ମ ନାମେ ଚାଲେ ଏଠି
ଯେତେ ବ୍ୟଭିଚାର
ପ୍ରତ୍ୟୁଷ ପ୍ରହରୁ ଚାଲେ
ବିଲୁଆ ବିଚାର ll
ପୂଜା ପାଠ ନାମେ ଚାଲେ
ହିଂସାର ହିଲ୍ଲୋଳ
ପୁଣ୍ୟ ନାମେ ପ୍ରସ୍ଫୁଟିତ
ଅହଂର ପ୍ରାବଲ୍ୟ ll
ସ୍ନେହ ପ୍ରୀତି ନାମେ ଶୋହେ
କାମନାର ବହ୍ନି
ଆତ୍ମୀୟ ସ୍ୱଜନ ସ୍ଵରେ
ଛଳନା ର ଅଗ୍ନି ll
ପ୍ରେମ ନାମେ ପାଶବିକ
କର୍ମ ଇସ୍ତାହାର
କାହା ପାଇଁ ସ୍ୱର୍ଗ ସାଜେ
ନର୍କର ଜହର ll
ପାଣି ଭଳି ପାନୀୟ ରେ
ନାହିଁ ମାଦକତା
ସୁରାର ସାନ୍ନିଧ୍ୟ ପାଇଁ
ସଭିଏଁ ଉଦ୍ୟକ୍ତା ll
ସତ୍ୟ ଏଠି ଶାନ୍ତ ନୁହେଁ
ମିଥ୍ୟା ର ଭାଉରେ
ନିରୀହ ନିଧନ ହୁଏ
ଭୋକ ର ଦାଉରେ ll
ନାବାଳିକା ନଗ୍ନ ଦେହ
ବିକ୍ରୀହୁଏ ନିତି
ବିଚ ବଜାରରେ ଚାଲେ
ଏଭଳି ଦୁସ୍ଥିତି ll
କର୍ମ ନାମେ କାରୁଣ୍ୟର
କଷଣ କପାଳ
ଫଳ ଶୂନ୍ୟ ବୃକ୍ଷ ଏଠି
ସତେ ଦିଗ ପାଳ ll
ଜ୍ଞାନୀ ଜନ ନଇଁ ପଡ଼େ
ସଂଭ୍ରମ ସୌଜନ୍ୟେ
ଅଜ୍ଞାନ ତାଣ୍ଡବ ରଚେ
ଗୁଳି ବା କାମାଣେ ll
କାହା ପାଇଁ କିଏ ଏଠି
ବଳି ପଡ଼େ ନିତି
ଦେଖି ଦେଖି ମର୍ମ ବାଧେ
ଅସହ୍ୟ ସ୍ୱୀକୃତି ll
ତଥାପି ସମାଜ ନିଶ୍ଚେ
ବଂଚିଛି ବଞ୍ଚିବ
ଯୁଗ ପରେ ଯୁଗ ପୁଣି
ପ୍ରବାହିତ ହେବ ll