STORYMIRROR

Papu parida

Abstract Drama Classics

4  

Papu parida

Abstract Drama Classics

ବିକୃତ ହେଲାଣି ପୁରାଣ

ବିକୃତ ହେଲାଣି ପୁରାଣ

1 min
391


ଆମରି ପୁରାଣ   ଆମ ଲୋକକଳା 

    ଆମ ସଂସ୍କୃତିର ପ୍ରତୀକ

ଆଧୁନିକତାର    ଅସଭ୍ୟ ସ୍ପର୍ଶରେ

    ବିକୃତ ହେଲା ତା ରୂପ।


ମର୍ଯ୍ୟାଦା ପୁରୁଷ   ଶ୍ରୀରାମଙ୍କ ବେଶ

   ମର୍ଯ୍ୟାଦାର ବାର୍ତ୍ତା ପଢେ

ସେଇ ଚରିତ୍ରରେ    ଆମ କଳାକାର

   କାମମୟ ଗୀତ ଛାଡେ।


ସତୀତ୍ୱର ଦେବୀ    ଜନକ ନନ୍ଦିନୀ

    ସମଗ୍ର ବିଶ୍ୱର ମାତା

ଉଦଣ୍ଡି ନାୟିକା    ସେଇ ବେଶ ଧରି

    ଦେଖାଉଛି ଉଦଣ୍ତତା।


ପ୍ରେମ ନିବେଦନ    କାରଣରୁ ସିଏ

    ଛେଦିଲେ ସୁନ୍ଦରୀ ନାକ

ସେହି ଚରିତ୍ରଟେ   ତରୁଣୀ ଙ୍କ ମେଳେ

     ଦିଏ ଗୁଆ ଘିଅ ଡାକ?


ସରଳ ନିରୀହ   ପ୍ରଭୁପ୍ରେମୀ ଭକ୍ତ

    ମାରୁତି ଙ୍କୁ ନ ଛାଡିଲେ

ଅର୍ଦ୍ଧଲଙ୍ଗୁଳି ଙ୍କ   ସାଙ୍ଗରେ ନଚାଅ

    ହାଏ ମାର ଦଲ ଦଲ।


ସଂଳାପରେ କରି   ପରିବର୍ତ୍ତନ ଯେ

    ରାମାୟଣ ନଷ୍ଟ ହେଲା

ସଂଳାପ ଛାଡ଼ିଣ    ରାବଣ କହୁଛି

   ଝୁକେଗା ନହିଁରେ ଶାଲା।


ମଞ୍ଚକୁ ନଦେଇ   ସମ୍ମାନ ଶରଧା

    ମଦ ପିଏ କଳାକାର

ଚରିତ୍ରର ଜ୍ଞାନ    ନଜାଣି ଅଧମ

  ଭାଙ୍ଗେ ଟେବୁଲ ଚେୟାର।


ହାତରେ ଗୋଡ଼ରେ  ଅଲଗା ଜାଗାରେ

      ଲକ୍ଷ୍ମଣ ମାରନ୍ତି ତୀର

ମର୍ଯ୍ୟାଦା ପୁରୁଷ    ମର୍ଯ୍ୟାଦା ଭୁଲିଣ

     ଡେଇଁକି ମାରେ ଅସୁର।


ପୁରା ନାଟକରେ    ମାତିଥାଏ ଖାଲି

     ମାଙ୍କଡ଼ ଙ୍କ ଉତୁପାତ

ବକାସୁର ବଧେ    କେଜାଣି କିପରି

    ମାଙ୍କଡ ଦେଖାନ୍ତି ଦାନ୍ତ।


ପ୍ରୀତିହାସିନୀର     ପ୍ରତିବଦଳ ରେ

     ଶୁଭେ ସାକି ସାକି ସ୍ୱର

ପଞ୍ଚବଟି ଦୃଶ୍ୟେ    ପୁଷ୍ପ ବାଟୀକାରେ

    ବାଜେ ଇସାରାରେ ତୋର।


ପୁରାଣ ମଧ୍ୟରେ   ମନୋରଞ୍ଜନ ର 

    ଆବଶ୍ୟକତା ପଡୁଛି

ରାଜା ଦଶରଥ    ମରୁ ନ ମରୁଣୁ

   ମଞ୍ଚେ ବୋତଲ ଗଡୁଛି।


ପ୍ରତିଟି ନାଟକେ   ଥାଆନ୍ତି କିଛି ଟା

   କୁନି କୁନି କଳାକାର

ତାଙ୍କ ସମ୍ମୁଖରେ   ଏହି ଭାବଭଙ୍ଗୀ

   ବିଗାଡୁ ନାହିଁ ସଂସ୍କାର ?


ତାଙ୍କରି ଆଗରେ   ପିଅନ୍ତି ମାଦକ 

    ଦିଅନ୍ତି ଅଭଦ୍ର ଗାଳି

କେହି କରନ୍ତିନି   ପ୍ରତିବାଦ ଟିକେ

    ଓଲଟି ମାରନ୍ତି ତାଳି।


ଉଚ୍ଚ ଶବ୍ଦ କରି    ଖାଲି କିରି କିରି

    ସଂଳାପ ଶୁଭେନି ଜମା

କିଛି ନ କହି ବି   ଛାତି ବାଡେଇଲେ

   ହୁଏସେ ଶେରେଷ୍ଠ ନାମା।


ପୁରାଣ ପ୍ରଚାର   ଉଦ୍ଧେଶ୍ୟେ ନାଟକ

     କାହିଁ କର ଅପଭ୍ରଂଶ

ଚରିତ୍ରର ଜ୍ଞାନ     ନାହିଁ ଯଦି ନାହିଁ

     କାହିଁକି କରୁଛ ଧ୍ବଂସ ?


କାହିଁକି ଉଠୁନି   ସଂସ୍କୃତି ପ୍ରେମୀଙ୍କ 

    ବିଦ୍ରୋହରେ ଭରା ସ୍ୱର

ନା ଯେ ପୁରାଣର   ଏହି ଜୀର୍ଣ୍ଣ ରୂପ 

   ଦେଖିକି ଲାଗେ କାକର ?


ସବୁ ଦେଖି ଶୁଣି   ସବୁ ଜାଣି ଜାଣି

    କାହିଁକି ସାଜିଛେ ଅନ୍ଧ

ସଭିଙ୍କ ମନରେ   ମନୋରଞ୍ଜନ ଟା

    ଭରି ଦେଲାକି ଆନନ୍ଦ ?


ବିଶ୍ୱ ଚିତ୍ରପଟେ    ପରିଚୟ ଦେଲା

   ଯେଉଁ କାଳଜୟୀ ପୁରାଣ

କାହିଁକି ଲେଖୁଛ   ଅସଭ୍ୟ କଲମେ

    ଭିନ୍ନ ଏକ ରାମାୟଣ।


Rate this content
Log in

Similar oriya poem from Abstract