ବିଜନତା
ବିଜନତା
କେବେ କେବେ ଶୀତ ରାତିର ସେ ବିଜନତା
ଅଧିକରୁ ଅଧିକ ଭୟଭୀତ କରାଏ ମନକୁ
ବହୁ ପ୍ରଶ୍ନବାଚୀର ଦୋ'ଛକିରେ ଛିଡ଼ା ହୋଇ
ଏ ମଣିଷ ଏକୁଟିଆ ପାଏ ସେବେ ନିଜକୁ ,
ଆକାଶର ହାତଧରି ପୃଥିବୀ ଚାଲିଥାଏ
ଖାଁ ଖାଁ ଅନ୍ଧାରରେ ଆପଣାର ପଥରେ
ହେଲେ ଦରଦୀ ମଣିଷଟା ବଢିପାରେ
ନା ଆଗକୁ ନା ପଛକୁ ସେ ବିଜନ ବେଳାରେ ,
ପଛକୁ ଫେରି ଚାହିଁଲେ ଦିଶିଯାଏ ଅତୀତ
ବର୍ତ୍ତମାନର ଝର୍କାରୁ ପରଦା ଆଡେଇ,
ଅନ୍ଧାର ଅପସରି ଯାଇଛି ସିନା ଆଖିରୁ
ନିର୍ଜନତା ଏବେ ବି ଶୋଇଛି କଡ଼େଇ ,
ଶୀତଟା ବି ସବୁଦିନେ ମନେହୁଏ ଯେମିତି ରକ୍ତଝରା
ଆସୁ ଆସୁ ହୋଇଥାଏ ବେପରୁଆ ଦିଗହରା
ତାକୁ ଦେଖିଲେ ହିଁ ଛାଇ ଯାଏ ବିଜନତା ଚାରିଆଡେ
ସତେ ଅବା ଏଠି ସେଠି ସବୁଠି ସହର ସାରା ,
କେହି ଜଣେ ପ୍ରଶ୍ନ ପଚାରେ ମାଘର ସଂଜରେ
କି ସମ୍ପର୍କ ମଣିଷର ବିଜନତା ସହିତ,
ଉତ୍ତର ମିଳେ , ଏ ପରିବ୍ୟାପ୍ତ ଦୁନିଆରେ
ସେ ଦୁହେଁ ଛାଇପରି ଅଙ୍ଗାଙ୍ଗୀ ଜଡିତ ।