STORYMIRROR

Sambit Srikumar

Abstract Classics Inspirational

4  

Sambit Srikumar

Abstract Classics Inspirational

ବିଦ୍ରୋହୀର କବିତା

ବିଦ୍ରୋହୀର କବିତା

1 min
240


ମୁଁ' ବି ତ ଦିନେ ତୁମ ପରି ଚାହୁଁଥିଲି

ଲେଖିବାକୁ ନିରୁତା ପ୍ରେମର ରସସିକ୍ତ କବିତା

କଳହଂସ - ବଙ୍ଗଳାଶ୍ରୀ - କେଦାର ରାଗରେ

ଗାଇବାକୁ ଚାହୁଁଥିଲି ତୁମ ସାଥେ ମହ୍ଲାର ରାଗରେ 

କେଜାଣି କାହିଁକି ପାରିଲିନି ଲେଖି ମୁଁ କବିତା 

ତୁମ ପରି ସୁର ତାଳ ଛନ୍ଦ ଓ ଲୟରେ!!


ଅବଶୋଷ ନାହିଁ ତିଳେ ମୋର ପାରିଲିନି ବୋଲି 

ତୁମ ପରି ଲେଖି ସୁଲଳିତ ସାବଲୀଳ ସୁନ୍ଦର କବିତା

କାରଣ ତୁମେ ଆଙ୍କ ବିଳାସୀ ଛବି କଳ୍ପନାର କାନଭାସରେ 

ସୁନିର୍ବାଚିତ ଉଚ୍ଚକୋଟିର ଭାବ ଓ ଶବ୍ଦ ବିନ୍ୟାସରେ 

ରଚୁଥାଅ ତୁମେ ଉଚ୍ଚାଙ୍ଗ ଦରବାରୀ ସାହିତ୍ୟ 

ସାରଗର୍ଭକ ଭାଷାର ସୂକ୍ଷ୍ମ କାରୁକାର୍ଯ୍ୟରେ!! 


ମୁଁ ଦେଖେ ଚର୍ମ ଚକ୍ଷୁରେ ଭୋକର ଭୂଗୋଳରେ 

କ୍ଷୁଧାଗ୍ରସ୍ତ ବୁଭୁକ୍ଷୁ ମଣିଷର କଙ୍କାଳସାର କଳେବର 

ଶୁଣେ କାନ ଡ଼େରି ହାଃ ଅନ୍ନର କରୁଣ ଚିତ୍କାର 

ବିଳପି ଉଠେ ଜାଗତିକ ସତ୍ତା ଅନ୍ତରାତ୍ମା ମୋର 

ଲୋମକୂପ ସବୁ ପଡ଼ନ୍ତି ଉଛୁଳି ହାଃ ହତାଶାରେ 

କେମିତି ଲେଖିବି କୁହ ଦାରୁଣ ଯନ୍ତ୍ରଣା ବୋଧରେ?? 


ବଦଳିଗଲା ପାଠ୍ୟକ୍ରମ ବିଶ୍ବବିଦ୍ୟାଳୟ ମାଟି ଛୁଇଁବାପରେ 

ବଦଳିଲା କାବ୍ୟାଦର୍ଶ ନୂତନ ଦର୍ଶନ ଚିନ୍ତନର ପ୍ରଭାବରେ 

ବିଦ୍ରୋହର ସ୍ୱର ତୋଳିଲି ଅନ୍ତତଃ କଥାରେ ଓ ଲେଖାରେ 

ଯୁଝିଲି ଯୁଝୁଛି ଯୁଝୁଥିବି ଦି' ପଇସା ରୋଜଗାରର ଆଶାରେ 

ପ୍ରେମ ରହିଗଲା ବହୁ ଦୂରରେ ପଛରେ ଭାତହାଣ୍ଡିର ଦାୟରେ 

ପ୍ରେମିକଟି ମରି ହଜିଗଲା କେଉଁ ଅଜ୍ଞାତ ଅନ୍ଧାରୀ ଗଳିରେ!! 


ଦାରିଦ୍ର୍ୟ ଅନାହାର ଅପପୁଷ୍ଟି ବିସ୍ଥାପନ ଶୋଷଣ କଷଣ 

ବିରୁଦ୍ଧରେ ମୁହିଁ ଯେ ଲଢୁଥିଲି ଲଢ଼ୁଛି ଲଢ଼ୁଥିବି ଚିରଦିନ 

ଲେଖି ମୁଁ ପାରୁଛି ଆଜି ଜୀବନର ଲଙ୍ଗଳା ଫୁଙ୍ଗୁଳା ସତ୍ୟ 

ସେଥି ଲାଗି ମୋ' କବିତା ରସହୀନ ଛନ୍ଦହୀନ ଭାବଶୂନ୍ୟ 

ସାରସ୍ଵତ ସାଧନାରେ ପୁରସ୍କାର ପ୍ରାପ୍ତିର ଆଶା ମୁଁ ରଖିନି 

କହିପାର ମୋତେ ତୃପ୍ତି ମିଳିନି କି ଲେଖିବାର ସ୍ପୃହା ବି କମିନି!! 




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract