ବିଧବା
ବିଧବା
ଫରୁଆ ଭିତରେ ସିନ୍ଦୂର ଭରିଲେ
ଆଉ କିସ ହେବ କୁହରେ ,
ସିନ୍ଦୂରର ଗାର କପାଳରେ ତା'ର
ଶୂନ୍ୟ ରହିଗଲା ସିନ୍ଥିରେ।
ଅତି ଶରଧାରେ ନାଲି ଚୁଡ଼ି ଶାଢ଼ୀ
ସାଇତି ଥିଲା ସେ' ପେଡ଼ିରେ ,
ବିଧବାର ବେଶ ସବୁ ସାରିଦେଲା
ଆଉ ନାହିଁ ତାହା ଭାଗ୍ୟରେ ।
ସୁମଧୁର ସ୍ମୃତି ସାବିତ୍ରୀ ଶଙ୍ଖାକୁ
ଉତ୍ତାରି ଗାଧୁଆ ତୁଠରେ ,
ଖାଲି ହାତ ପରା ବିଧାତା ଲେଖିଛି
ହତଭାଗିନୀ ତା' କପାଳେ ।
କେତେ ସରାଗରେ ମାଆ ଦେଇଥିଲା
ଗହଣା ଗାଣ୍ଠି ତା' ବାକ୍ସରେ ,
ସେହି ସବୁ ଆଉ ଲୋଡ଼ା ନାହିଁ କିଛି
ପିନ୍ଧିବାକୁ ପୂଜା ପର୍ବରେ ।
ସୁହାଗିନୀ ବୋଲି କେହି ଡାକିବେନି
ମାଙ୍ଗଳିକ ଶୁଭ କର୍ମରେ,
ବିଧବା ନାମରେ କଳଙ୍କର ଟୋପା
ଲାଗି ଯାଇଛି ତା' ମଥାରେ ।
ଆୟୁଷ ଅଛି'ତ ବଞ୍ଚିବାକୁ ହେବ
ସଙ୍ଘର୍ଷ ପୂର୍ଣ୍ଣ ସମାଜରେ ,
ଘୃଣିତା ନୁହେଁ ସେ ଘୃଣାର ଚକ୍ଷୁରେ
ଲୋକେ ଦେଖନ୍ତି ସଂସାରରେ ।
କାହାର ଝିଅ ସେ' ଭଉଣୀ'ବି କା'ର
ବଧୂ, ପତ୍ନୀ ଅବା "ମାଆ" ରେ,
ସବୁ ସମ୍ପର୍କଟା ପରିହାସ କରେ
ବିଧବା ନାରୀ କପାଳରେ।
ବଡ଼ ନିଷ୍ଠୁର ଏ' ଦଇବ ପ୍ରହାର
ସହି ହୁଏ ନାହିଁ ମହୀରେ ,
କିଏସେ ଫେଡିବ ଅଭାଗିନୀ ଦୁଃଖ
ବିଧବା ଜୀବନ ହାଏରେ ।
ନିଜ ପରିବାର ନିଜର ଲୋକଙ୍କ
ଅତ୍ୟାଚାର ସହେ ଗୃହରେ ,
ଆଜି ଆଧୁନିକ ସମାଜରେ ମଧ୍ୟ
ଅଶୁଭ ରୂପେ ସେ ଗଣାରେ ।
ବିଧବା ଜୀବନ ହାଏରେ......