ବିଦାୟ-୨
ବିଦାୟ-୨
ବିଦାୟ ନେଇଛି ପୁରୁଣା ବରଷ
ଦେଇଣ ଅନେକ ଦୁଃଖ
ନୂଆ ବରଷରେ ଦେଇଛନ୍ତି ପାଦ
ମିଳିବକି ମନେ ସୁଖ ।
ବିଗତ ଦିନର ରାଗ ଅଭିମାନ
ରହିଛି ଅନେକ ମନେ
ରଖିବାନି ଆଉ ମନର ମଧ୍ୟରେ
କହିବାନି କାହା କାନେ ।
ସୁଖ ବି ମିଳିଛି ଦୁଃଖ ବି ମିଳିଛି
ମିଳିଛି କେତେ ଯନ୍ତ୍ରଣା
ଭୁଲିଯାଇ ସବୁ ଆଗେଇ ଚାଲିବା
ସଭିଙ୍କୁ କରି ଆପଣା ।
ଜାଣତରେ କିମ୍ବା ଅଜାଣତେ ହେଉ
ରହିଛି ନିଶ୍ଚୟ ଭୁଲ୍
ଗର୍ବ ଅହଂକାର ମନ ମଧ୍ୟେ ରଖି
କରିବାନି ଆଉ ରୋଲ୍ ।
ଆତ୍ମାକୁ ବାଧିବା ଭଳି ଶବଦକୁ
କରିବାନି ବ୍ଯବହାର
ଦେବା ନାହିଁ କାହା ମନରେ ଆଘାତ
ସମସ୍ତେ ଆମ୍ଭେ ନିଜର ।
ନୀତି ନିୟମକୁ ଜଣାଇ ସମ୍ମାନ
କରିବା ସମସ୍ତେ କର୍ମ
ବେନିୟମ ପ୍ରତି ହେବା ସାବଧାନ
ଅରଜିବା ଯେବେ ଧର୍ମ ।
ବିଧାତା ନିକଟେ ସମସ୍ତେ ସମାନ
ଏକ ପରିବାର ଭଳି
ମିଳିମିଶି ସର୍ବେ ଏକତ୍ର ଚଳିବା
ନକରିବା କେବେ କଳି ।
ଜାଣତରେ କେବେ ଦେଇ ନାହିଁ ଦୁଃଖ
ଅଜାଣତେ ହୋଇଥିବ
ନଧରିବ ଦୋଷ କରୁଛି ପ୍ରାର୍ଥନା
ନିଜଗୁଣେ କ୍ଷମା ଦେବ ।
ଅତୀତରେ ସେହି ପୁରୁଣା ରାଗକୁ
ଭାଳିବାନି ରାତି ଦିନ
ଯୋଡହସ୍ତେ ମୁହିଁ ଜଣାଉଛି ଆଜି
ଘେନ ମୋର ନିବେଦନ ।
ନୂତନ ବର୍ଷର ନୂତନ ଆଲୋକ
ଆଣିଛନ୍ତି ଆମ୍ଭେ ଖୋଜି
ଫିଙ୍ଗିଦେଇ ରାଗ ଅଭିମାନ ସବୁ
ପଦାରେ କରିବା ଭୋଜି ।
ହସିହସି ଆମ୍ଭେ ବିଦାୟ ଯେ ଦେଲେ
ପୁରୁଣା ବର୍ଷ ଦିନକୁ
ସ୍ବାଗତ କରିବା ନୂତନ ବର୍ଷକୁ
ଆଦରି ନେଇ ସୁଖକୁ ।
ଧର୍ମ ପଥେ ରହି କରିଯିବା କର୍ମ
ସୁଧାରିବା ସମାଜକୁ
ଲେଖନୀ ମୁନରେ ଲେଖିବା ସାହିତ୍ୟ
ରହିବ ଯୁଗ ଯୁଗକୁ ।
ସାହିତ୍ୟ ଉନ୍ନତି ଦେଶ ପ୍ରଗତିରେ
ହୋଇବା ଆମେ ସହାୟ
ସ୍ନେହ ମମତାରେ ବନ୍ଧା ମୋ ଜୀବନ
ହେଲେ ମୁଁ ଯେ ନିଃସହାୟ ।
ଆତୁର କଣ୍ଠରେ କରୁଛି ଗୁହାରୀ
ଶୁଣ ମୋ ଭାଇ ଭଉଣୀ
ନେଇଛି ବିଦାୟ ପୁରୁଣା ବରଷ
ନୂତନକୁ ହେବା ଗୁଣି ।
ସାହିତ୍ୟ ରଥରେ ହୋଇବା ସାରଥୀ
ଜଗତକୁ ଯିବା ଜିଣି
ବିଦାୟ ବେଳାର ଆଗନ୍ତୁଙ୍କ ପାଇଁ
ରଚିବା ନୂଆ କାହାଣୀ ।