ବିଚ୍ୟୁତ
ବିଚ୍ୟୁତ
ଇଚ୍ଛାମାନ ଯେତେ ସବୁ
ନେବା ପରେ ସଲିଳ ସମାଧି
ନା ଉଡିବାର ଥାଏ ଆକାଂକ୍ଷା
ନା ବୁଡ଼ିବାର ଆଶଂକା
ଜ୍ୟୋସ୍ନା ରେ ନଥାଏ ଆଉ ମାଦକତା
ଅବଶେଷ ରହିଯାଏ କେବଳ
ସ୍ନିଗ୍ଧ ସଫେଦ ସଜୀବତା
ଠିକ୍ ଯେମିତି ବରଫ କବର ତଳର ଶୀତଳତା
ଦ୍ୱନ୍ଦାତୀତ ଭାବ ରେ
ଠିକ୍ ଠିକ୍ ପଢି ହୁଏ
ଧ୍ୟାନରତ କେଉଁ ଏକ
ମଉନ ମୁନି ର ଆଖିର ଗଭୀରତା
ଗତାନୁଗତିକ ଧାରାରେ
ପୃଥିବୀ ଘୂରିବୁଲେ ନିଜ କକ୍ଷପଥରେ
ଜୀବନ ଜୀବିକା ଧାଇଁ ଚାଲିଥାଏ ଅନବରତ
କୋଳାହାଳମୟ ଅନିର୍ଦ୍ଦିଷ୍ଟ ପଥରେ
ହେଲେ ବିଚ୍ୟୁତ ହୋଇ ନିଜ ଅକ୍ଷ ରୁ
କେହି ତ ଜଣେ
ସଂପୂର୍ଣ୍ଣ ଭାବେ ନିମଜ୍ଜିତ ଥାଏ
ନିଜେ ନିଜ ଭିତରେ....।।।