STORYMIRROR

Ajit Kumar Raut

Abstract

3  

Ajit Kumar Raut

Abstract

ବିଚିତ୍ର ସଂସାର

ବିଚିତ୍ର ସଂସାର

1 min
239


ଅଗାଧ ସାଗର ବିଚିତ୍ର ସଂସାର

ପ୍ରଭୁଙ୍କ ଭିଆଣ ଏହୁ,

ସେହୁ ହିଁ ଜାଣନ୍ତି କାରଣ ତାହାର

ତାଙ୍କରି ରଚନା ଏହୁ।୧।


ଖୁସିର ଲହରୀ ମାଡ଼ି ଆସେ କେବେ

ଖୁସି ହେଉ ଥାନ୍ତି ଜନ,

ଦୁଃଖର ପାହାଡ ଖସି ପଡେ ପୁଣି

ଅଥୟ କରେଟି ମନ।୨।


ଲଲାଟ ପଟଳେ ଧାତାଙ୍କ ଲିଖନ

ଆନ ହେବ ନାହିଁ କେବେ,

ଅବଶ୍ୟ ଘଟିବ ମିଥ୍ୟା ନାହିଁ କିଛି

ଲେଖି ଦେଇଛନ୍ତି ଯେବେ।୩।


କର୍ମର ନିମନ୍ତେ ମନୁଷ୍ୟ ଜୀବନ

ଆବିର୍ଭାବ ହୁଏ ଏଠି,

କର୍ମ ସରି ଗଲେ ନଦୀ ତୀରେ ଯାଏ

ସତ୍ୟବଚନଟି ଏଠି।୪।


ଅମୂଲ୍ୟ ସମ୍ପଦ କର୍ମ କରି ସେହୁ

ଉପାର୍ଜନ କରି ଥାଏ,

ନଦୀ ତୀରେ ଗଲେ ସବୁ ରହି ଯାଏ

କିଛି ନ ନିଏଟି ସିଏ।୫।


ସୁକର୍ମର ଫଳ ସ୍ମୃତି ରେଟି ରୁହେ

ଇତିହାସ ହୋଇ ଯାଏ,

କରେ ଅନୁସରଣ ଜନତା ତାହାକୁ

ସ୍ମୃତିରେ ସେ ରହି ଯାଏ।୬।


ଗୃହର ମୂର୍ଦ୍ଧନା ପିତା ମାତା ସେହୁ

ଘରର ମୁଖିଆ ସଧ୍ୟ,

କାଳ କବଳରୁ ଲୀଳା ସରି ଯାଏ

ପ୍ରଭୁଙ୍କ ଲିଖନ ମଧ୍ୟ।୭।


ନଦୀ ତୀର ହୁଏ ସମସ୍ତଙ୍କ ସ୍ଥାନ

କେହୁ ଆଗେ କେହୁ ପଛେ,

ବୃଦ୍ଧ ଶିଶୁ ନୂହେଁ କପାଳ ଲିଖନ

ସ୍ମୃତି ରଖି ଦିଏ ପଛେ।୮।


ରୋଦନର ରାବ୍ ଶୁଭୁ ଥାଏ ଗୃହେ

ସବୁ ଦିନ ପାଇଁ ନୂହେଁ,

କିଛିହିଁ ସମୟ ରୁହେ ତହିଁ ଦୁଃଖ

କ୍ରିୟା କର୍ମେ ଯୂଟେ ତହିଁ।୯।


ଲୀଳା ହିଁ ପ୍ରଭୁଙ୍କ ଅପୂର୍ବ ହିଁ ଅଟେ

ନ ପାରନ୍ତି ବୁଝି କେହୁ,

କର୍ମରେ ଜଡ଼ିତ କର୍ମ କରୁ ଥାନ୍ତି

ପ୍ରଭୁଙ୍କ ଭିଆଣ ଏହୁ।୧୦।


ରଙ୍ଗମଞ୍ଚ ଏହୁ ଅଭିନୟ ହୁଏ

ଜୀବନର ମୂଲ୍ୟ ନାହିଁ,

ଅଭିନୟ କରି ନଦୀ ତୀରେ ଯିବ

ସ୍ମୃତି ରହି ଯିବ ତହିଁ।୧୧।


ଅଗାଧ ସାଗର ବିଚିତ୍ର ସଂସାର

ପ୍ରଭୁଙ୍କ ଭିଆଣ ଏହୁ,

ସେହୁ ହିଁ ଜାଣନ୍ତି କାରଣ ତାହାର

ତାଙ୍କରି ରଚନା ଏହୁ।୦।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract