ବିଚିତ୍ର ବ୍ୟବହାର
ବିଚିତ୍ର ବ୍ୟବହାର
ଆଧୁନିକ ସଭ୍ୟତାର ବିକଳ ଚରିତ
ମାତୃ ସ୍ନେହରୁ ବଞ୍ଚିତ ଶିଶୁ ବିପରୀତ।
ଆଧୁନିକ ମାତା ସ୍ତନ୍ୟ ପାନ ଦିଏ ନାହିଁ
ଧାଇଁ ହାତେ ଟେକି ଦିଏ ସୌନ୍ଦର୍ଯ୍ୟର ଦ୍ୱାହି।
ମାତୃ ସ୍ନେହରୁ ବଞ୍ଚିତ ଶିଶୁ ବିପରୀତ
ଚରିତ୍ର ଗଠନ ତା'ର ହୃଏ ବିଡମ୍ବିତ ।
ପଶୁ ସମାଜରେ ଦେଖି ଭିନ୍ନ ବ୍ୟବହାର
ବଡ ଆଚମ୍ବିତ ଲାଗେ ନୁହେଁ ସ୍ୱାର୍ଥପର।
ସିଂହୀ ଠାରୁ ମୃଗ ଶିଶୁ ସ୍ତନ୍ୟ ପାନ କରେ
ସିଂହ ଶିଶୁ ଯାଏ କାହିଁ ହସ୍ତୀର ଶୁଣ୍ଢରେ।
ଗଧ ପରେ ବସିଥାଏ କାହିଁ ବ୍ୟାଘ୍ର ଶିଶୁ
ଭଲ୍ଲୁକ କୋଳେ ମାର୍ଜାର ବିପରୀତ ଦିଶୁ ।
କ୍ଷୁଧିତ ନ ହେଲେ ହିଂସ୍ର ବଦ୍ଧ କରେ ନାହିଁ
ନହେଲେ ନିରୀହ ପଶୁ ଥାଆନ୍ତେ କି ରହି ।
ମାନବର ହିଂସା ଦ୍ବେଷ ଆସୂୟା ଆଶକ୍ତି
ଛଳନା କପଟାଚାର ଅପଚୟ ଶକ୍ତି।
ମେଣ୍ଟେନାହିଁ ଶୋଷ ତାର ମରେନାହିଁ କ୍ଷୁଧା
ମଣିଷକୁ ମାରିବାକୁ ତିଳେ ନାହିଁ ଦ୍ୱିଧା ।
ଆଶ୍ରିତକୁ ଛଳନାରେ ମାରେ ଗୃହସ୍ୱାମୀ
ଗୃହସ୍ୱାମୀକୁ ସେବକ କରେ ସ୍ୱର୍ଗ ଗାମୀ।
ବିନା ଶତୃତାରେ ସୁପାରି ଘାତକ ମାନେ
ଜୀବନ ନିଅନ୍ତି କେତେ ଚିନ୍ତା ନାହିଁ ମନେ।
ବିନା ସ୍ୱାର୍ଥେ ସ୍ନେହ ପ୍ରେମ ଦୂରୁହ ବ୍ୟାପାର
ସ୍ୱାର୍ଥ ଯୁକ୍ତ ସ୍ନେହ କିବା ସ୍ନେହର ବିଚାର !
ବିଚାର ବିବେକ ଚିନ୍ତା ଶକ୍ତି ମାନବର
ପଶୁଠାରେ ନାହିଁ ପଶୁ ସ୍ୱଭାବରେ ହିଂସ୍ର।
ହିଂସ୍ର ପଶୁ ଡରେ ସୁରକ୍ଷିତ ଗୃହ ରଚେ
ହିଂସ୍ର ପଶୁ ମାନବକୁ ଦେଖି ଆଜି ଲୁଚେ।
ଖାଦ୍ୟ ଖାଦକର ସଜ୍ଞା ଭିନ୍ନ ଭିନ୍ନ ଦେଖି
ଇଛା ହୁଏ ହେ ଈଶ୍ବର କିବା ମୂକ ସାକ୍ଷୀ !
