ବିଚ୍ଛେଦ ବେଦନା
ବିଚ୍ଛେଦ ବେଦନା
ହେ ମଧୁ ମଳୟ
ଚାଲି ଗଲ ତୁମେ
ଥରେ ତ ଭାବିଲ ନାହିଁ
ତୁମେ ଗଲା ପରେ
କିପରି ଚଳିବ
ତପତ ଧରଣୀ ଭୂଇଁ ।
ପାଦ ଚାଲୁ ଥିବ
ଭାଜିବା ବାଲିରେ
ହୃଦେ ଜାଗୀ ହୁତାଶନ
ଅଭୂଲା ଅଲିଭା
ସ୍ମୃତି ଗାଥା ସବୁ
ଧୀରେ ହେବ ଉନ୍ମୋଚନ ।
ନେତ୍ର ପାରାବାର
ପଡ଼ିବ ଉଛୁଳି
ନପାଇ ଆଶାର କୂଳ ।
ମନ ସ୍ରୋତସ୍ଵିନୀ
ବହିବ ଉଜାଣି
ପ୍ଲାବିତ ଦୁଃଖର ଜଳ ।
ତୁମେ ସ୍ପର୍ଶ ପାଇ
ପୁଲ୍ଲକିତ ହୋଇ
ଜ୍ଞାତ ହୁଏ ସ୍ନେହ ପ୍ରେମ
କିବା ଅନୁରାଗ
ଉତ୍ପନ୍ନେ ଲିଭିଲା
ମାନସେ ଫଳିତ ଭ୍ରମ ।
ତୁମେ ଗଲା ପରେ
ମରୁଦ୍ୟାନ ପରି
ପ୍ରତ୍ୟହ ଜୀବନ ପଥ
ସମ୍ମୁଖେ ଯେସନେ
ଝାମୁର ଅନଳେ
ଶତୃର ସଜ୍ଜିତ ରଥ ।
ତୁମେ ଗଲା ପରେ
ଅନୁଭୂତ ହୁଏ
ଏକାକୀ ବଞ୍ଚିଛି ମୁହିଁ
ମରଣ କୋଳରେ
ନିତି ଜୁଇ ଜଳେ
ତୁମକୁ ଭୂଲିବା ପାଇଁ ।
ହାରିଛି ହାରିବି
ହାରି ଯିବି ଜାଣି
ଜିତାଇ ରଖିବି ତୁମେ
ବାହୁଡିବ ନିଶ୍ଚେଁ
ଶୁଷ୍କ ଜଗତକୁ
ଶୀତଳ ପୂର୍ଣ୍ଣତା ଦାନେ ।
