STORYMIRROR

Surjyakanta Dash

Abstract Inspirational Others

3  

Surjyakanta Dash

Abstract Inspirational Others

ବିବର୍ଣ୍ଣ ସମୟ

ବିବର୍ଣ୍ଣ ସମୟ

2 mins
232

ନୂଆଣିଆଁ ଚାଳ ଘରର ଅଳନ୍ଧୁ ଲଗା ଦଉଡିରେ

ଓହଳି ଜଳୁଥିଲା ଲଣ୍ଠନ ମିଞ୍ଜି ମିଞ୍ଜି

କାଚରେ ଲାଗିଥିଲା ବହଳେ ଅନ୍ଧାରର କଳା

ସେ ଅନ୍ଧାର ବୋଧେ ସୂଚେଇ ଦଉଥିଲା

ହରିଆ ମାଆର ଅତୀତ ଜୀବନ କଥା

କେମିତି ମାଡ଼ି ଆସିଥିଲା ଅନ୍ଧାର

ତା ଖୁସିର ସଂସାରରେ

ଏମିତି ଭାଙ୍ଗି ରୁଜି ଯିବ

ସେ କେବେ ଚିନ୍ତା କରି ନଥିଲା

ପୁଅ,ବୋହୂ, ନାତି ନାତୁଣୀରେ

ପୁରି ଉଠୁଥିଲା ତା ପରିବାର

ଗାଁ ରେ ତାକୁ ସମସ୍ତେ ମାନନ୍ତି

ପର୍ବ ପର୍ବାଣୀ କଥା ତ ଛାଡ଼

ବାହାଘର, ପୁଆଣିରେ ମଧ୍ୟ

ଆଗ ଖୋଜା ପଡେ ହରିଆ ମାଆକୁ

କାଳେ ତାକୁ ସବୁ ଜଣା

ସେ ନ ଦେଖିଲେ ପୁଆଣି ସଜ ପୁରା ହେବନି

କି କାହାର କଁଅଳା ଛୁଆ ଦେହରେ

ପ୍ରଥମେ ତେଲ ନ ଲଗେଇଲେ

ସେ ଉଧେଇବନି

ଏମିତି କେତେ କଥା ମନେ ପଡ଼ୁଥିଲା

ହରିଆ ମାଆର

ଆଜି କତରା ଲାଗି

ନା ଉଠି ପାରୁଛି ନା ବସି ପାରୁଛି

ପଡି ରହିଛି କାଠ ଗଣ୍ଡିଟା ପରି

ସେହି ନୁଆଁଣିଆ ଚାଲ ଘରେ

ଏକମାତ୍ର ସାହାରା ସେହି ଲଣ୍ଠନ,

ଆଜି ସବୁ ଶ୍ରୀହୀନ

ଗାଆଁ ବି ଶ୍ରୀହୀନ

ଗାଆଁ ଲୋକ ସବୁ ଭସିଗଲେ

ତା ସହିତ ତା ପରିବାର

ପୁଅ, ବୋହୂ ଭାସିଗଲେ

ନାତି ନାତୁଣୀ ବୁଡି ମଲେ

ହରିଆ ଜନ୍ମ ହେବା ପରେ ପରେ

ତା ବାପ ବି ଚାଲି ଯାଇଥିଲା ଆରପାରିକୁ

ସବୁ ଥିବାବେଳେ

ପୁଣି ଆସି ଶ୍ରୀହୀନ କରିଦେଇଥିଲା ତା ଘରକୁ

ଉଜାଡି ଦେଇଥିଲା ତା ସଂସାରକୁ

ସେ କରାଳ କାଳ ରୂପି ମହାବାତ୍ୟା

ଆଜି କେହି ନାହାନ୍ତି ତା ପାଖେ

କେବଳ ସାହାରା ପାଲଟିଛି

ସେହି ଲଣ୍ଠନଟା

ଯାହାକୁ ସରାଗରେ ଦେଇଥିଲା ତା ଗେରସ୍ତ

ଠିକ୍ ଆଜି ବି ମିଞ୍ଜି ମିଞ୍ଜି ଜଳି

ତାକୁ ସାହାରା ଦେଉଛି ଲଣ୍ଠନ

ତା ହରିଆ ଭଳି, ତା ଗେରସ୍ତ ଭଳି

ଖାଲି ସାହାରା ତ ଦଉନି

ସୂଚେଇଦେଉଛି

ଜୀବନର ଦୋ ଛକିରେ ଛିଡ଼ା ହୋଇ

କେମିତି ଜୀବନକୁ ଅତିବାହିତ କରିବାକୁ ପଡ଼ିବ

ଯେମିତିକି ହରିଆ ମାଆର ଜୀବନରେ

ବହୁତ ଆନନ୍ଦ ଥିଲା

ସେପରି ଲଣ୍ଠନ ଜୋରରେ ଜଳିଲା ବେଳେ

ଅନାୟାସରେ ବାଟ କଢ଼ାଉଥିଲା ଅନ୍ଧାରୀ ରାସ୍ତାରେ

କେବଳ ଫରକ୍ ଏତିକି କାଚଟା କଳା ପଡ଼ିନଥିଲା,

କ୍ରମଶଃ ଜୋରରେ ଜଳୁଥିବା ଲଣ୍ଠନର ସଳିତାଟି

ଧିରେ ଧିରେ କ୍ଷୀଣ ହୁଏ

ଏବଂ ଆପଣାର ନିଃଶ୍ୱାସର ଅଙ୍ଗାରର ଧୂଆଁରେ

ଚମକୁଥିବା କାଚଟି କଳା ପଡ଼ିଯାଏ,

ସେମିତି ଆଜି ବିବର୍ଣ୍ଣ ହୋଇଉଠିଛି ସମୟ 

ହରିଆ ମାଆ ଜୀବନରେ

ତା ହସ ଖୁସି ସଂସାରଟି ଭାଙ୍ଗି ରୁଜି କଳା ପଡ଼ିଯାଇଛି

ମହାବାତ୍ୟାର ନିଃଶ୍ୱାସରେ

ଏମିତି ଏକ ସମୟରେ ପହଞ୍ଚିଛି ହରିଆ ମା

ଅଣନିଃଶ୍ୱାସି ହୋଇ ପଡୁଛି

କ୍ଷୀଣ ଶରୀର ଭିତରେ ଲୁଚି ରହିଥିବା ଆତ୍ମା

ବୋଧେ ବାହାରି ବାକୁ ଚେଷ୍ଟା କରୁଛି

ଧିରେ ଧିରେ ଜଳୁଥିବା ତା ଚିର ସହଚର ଲଣ୍ଠନଟି

ମଧ୍ୟ ହୁତ ହୁତ ହୋଇ ଜଳି ଉଠି ଲିଭିଯିବା ସଙ୍ଗେ ସଙ୍ଗେ

ବୋଧେ ହରିଆ ମାଆର ପ୍ରାଣ ବାୟୁ

ବାହାରି ଯାଇଥିଲା ଶରୀର ଛାଡ଼ି

ଖେଳ ଶେଷ - ଜୀବନ ଶେଷ

କାଚ ଭିତରେ ସଳିତାର ଅବଶୋଶ

ବାହାରେ ଜୀବନ ଆଉ

ସଳିତାର କିଛି ପାଉଁଶ ଅନ୍ଧାରକୁ

ଆହୁରି ଗାଢ଼ ଅନ୍ଧାରରେ ପରିଣତ କରିସାରିଥିଲା ।



Rate this content
Log in

Similar oriya poem from Abstract