ବିବେକକୁ ପ୍ରକାଶ କର
ବିବେକକୁ ପ୍ରକାଶ କର
ସମୟ ନୂହେଁ ତ କାହାର ଅଧୀନ
ଅବିଶ୍ରାନ୍ତ ଗତିରେ ଚାଲେ ରାତି ଦିନ ।
ତାର ଗତି ଚକା ଭଉଁରି ପରି ଖେଳ
ଯୁଗେ ଯୁଗେ ବଦଳେ ବେଳକୁ ବେଳ ।
ସମୟର ତାଳେ ତାଳେ ହସ ଖୁସି ପରା
କ୍ଷଣିକ ଯାତରା, ପୁଣି ଦୁଃଖ ଲୁହ ଲହୁ ଭରା ।
ଯେତେ ହେଉ ସାଧନା ଅବା ସିଦ୍ଧିର ବଳ
କେହି ଖୋଜି ପାଇ ନାହାଁନ୍ତି ତା ଥଳ କୁଳ ।
ରେ ମଣିଷ ବିଶ୍ୱକୁ ଧ୍ବଂସ କରିବାର ଆସ୍ଫାଳନ
କିଆଁ କରୁ ଅକାଳ ବିନାଶକୁ ନିଜେ ନିମନ୍ତ୍ରଣ ।
ଆଜି ମଣିଷପଣିଆ ଢିଙ୍କି ପରି ହଜାଇଛ
ପରଶ୍ରୀକାତରତା ହୃଦୟେ ବୀରତ୍ୱ ଖୋଜୁଛେ ।
ନିଜେ ନିଜ ବିବେକକୁ ଗୁରୁ ଭାବେ କର ଭଜନ
ଗୋଟିଏ ସୂତ୍ରରେ ହୋଇ ବନ୍ଧା ଶାନ୍ତ କର ମନ ।
ସତ୍ୟ ସତ୍ୟ ତ୍ରିବାର ସତ୍ୟ, ଏ ମୋର ଜଣାଣ
ମିଛ ଅହଂକାରେ ନହୁଅ କର୍ତ୍ତବ୍ୟେ ଅସାବଧାନ ।
ଅବିଶ୍ୱାସ ଓ ଅନ୍ଧ ବିଶ୍ୱାସର ଅନ୍ଧାରି ଗଳିରେ
ଧୁରନ୍ଧର ହୋଇ ଶାନ୍ତି ଖୋଜୁଛ ମନର ଭିତରେ ।
ଭଲୁଛୁ କିପରି ମନ ତ ତୋହର ନିଜ ଗୁରୁ,
ଉତ୍ତର ମିଳିଥିଲା ଉଦ୍ଧବ କେତେ ତୁ ପଚାରୁ ।
ଧରମ ଦ୍ୱାହି ଦେଇ ଯୁଦ୍ଧର ଦୁଃଖକୁ ଡାକନା,
ହୃଦୟରୁ ଶାନ୍ତିକୁ ଛାଡନା, ନଚେତ ଭୋଗିବ କଷଣ ।
ଅଜ୍ଞାନତା ଅହଂକାରକୁ ଛାଡି ବିବେକକୁ ପ୍ରକାଶ କର
ବିଶ୍ୱର ମଙ୍ଗଳ ସାଧନ ପାଇଁ ଏହି ଜ୍ଞାନ ସରବ ଗୁରୁଙ୍କର ।
