ବିବାହ ବନ୍ଧନ
ବିବାହ ବନ୍ଧନ
ସଂସାର ରେ ଯେତେ ରହିଛି ବନ୍ଧନ ମାନ
ବିବାହ ବନ୍ଧନ ତନ୍ମଧ୍ୟରେ ଅନ୍ୟତମ ।
ପବିତ୍ର ବନ୍ଧନ ବିବାହ‐ବନ୍ଧନ ଅଟେ
ଯହିଁ ବେନି ମନ, ପ୍ରାଣ,ଓ ଆତ୍ମା ନିକଟେ ।
ହୂଦୟ ସହିତ ହୁଏ ସନ୍ନିକଟ ଯେବେ
ପବିତ୍ର‐ପୀରତି ଘେନି ପତି‐ପତ୍ନୀ ଭାବେ ।
କେତେ ମଧୁମୟୀ କେତେ ପ୍ରେମମୟୀ ଆଶା
ଆଶଙ୍କା , ଆକାଂକ୍ଷା, ଭାବ‐ଆବେଗ‐ଭରସା ।
ମିଶା ହୋଇ ଯହିଁ ନବୀନ ଭାବ‐ସ୍ପନ୍ଦନେ
ଆବଦ୍ଧ ହୁଅନ୍ତି ଶୁଭ‐ପରିଣୟ କର୍ମେ ।
ସ୍ତିରୀ ଓ ପୁରୁଷ ଉଭୟ ପ୍ରାଣର ସାଥୀ
ସାଜନ୍ତି ଯେଉଁଠି ଅଗ୍ନିଙ୍କୁ ରଖନ୍ତି ସାଖୀ ।
ଏକ ଆରେକର ସହାୟ ହେବାକୁ ପଣ
ପରସପର ହିତେ ଅର୍ପନ୍ତି ଆପଣା ପ୍ରାଣ ।
ଚିର ସଉହାର୍ଦ୍ୟ, ସମତା , ମମତା ଘେନି
ଚଳିବା ଲକ୍ଷ୍ୟରେ ଅଗ୍ରସର ହେବେ ବେନି ।
ଏକ ଆରେକର କର କୁ ବନ୍ଧନ ସତ
କରନ୍ତି ଯେଉଁଠି ମନ୍ତ୍ରପଢି ପୁରୋହିତ ।
ହାତଗଣ୍ଠି ବୋଲି ବୋଲନ୍ତି ତାହାକୁ ସତ
ତାହା ପରେ ବେନି ବିବାହ ବନ୍ଧନେ ରତ ।
ରହି ଚିରକାଳ ଚଳିବା ପାଇଁ ବନ୍ଧନେ
ଜୀବନ‐ଯାତ୍ରାର ସାଥୀ ଆଉ ସାଖୀ ପଣେ ।
ଆପଣା ଆପଣା ସୁଖ ଦୁଃଖ ଯେତେ ବାଣ୍ଟି
ସଂସାରୀ ଭାବରେ ଯହିଁ ଆବଦ୍ଧ ହୁଅନ୍ତି ।
ଶୁଭ ପରିଣୟ, ବିବାହ ବନ୍ଧନ ତାହା
ପ୍ରଣୟୀ ପ୍ରାଣର ନୂଆ‐ଜୀବନର ରାହା ।
ସେଇଠୁ ଆରମ୍ଭ ହୋଇ ଚାଲେ ଚିରଦିନ
ହାତ ଧରି ସାଥେ ଚାଲନ୍ତି ଉଭୟ ଜନ ।
ସଂଚାରି ପରାଣେ ନବ‐ଭାବଉଦ୍ଧୀପନ
ସହିତ ଯେ କେତେ ସପନ‐ଭାବ‐ସ୍ପନ୍ଦନ ।
ଝଡ‐ଝଞ୍ଜାମୟ ଭବ‐କାରାଗାରେ ବଦ୍ଧ
ହୋଇ ହା' ହୁତାଶେ ସମୟ ସହିତ ଯୁଦ୍ଧ ।
କରି ଜୀଇଁବାକୁ ଜୀବନ ସଂଗ୍ରାମେ ମନ
ସେହି ଦିନ ଠାରୁ ଲାଗିରହେ ଚିରଦିନ ।
ଆହା କି! ଉତ୍ସାହ ,ଆହାକି ! ଆନନ୍ଦ ମନେ
ପରବ ଭାବରେ ପାଳନ୍ତି ତାହାକୁ ଜନେ ।
ଅନ୍ୟ ବନ୍ଧନ ଓ ବିବାହ ମଦ୍ଧେ ପ୍ରଭେଦ
ବନ୍ଧନ ରେ ଦୁଃଖୀ ମାତ୍ର ବିବାହେ ଆନନ୍ଦ ।
ସଂସାର ଜଂଜାଳ‐ଜାଲେ ଛନ୍ଦି ହୁଏ ଜନ
ଜୀବନ‐ଜୀବିକା ପାଇଁ ଧନ୍ଦି ହୁଏ ମନ ।