ଭଉଁରୀ
ଭଉଁରୀ
ପାଣିର ଭିତରେ ଭଉଁରୀ ଖେଳଇ
ଦେଖିଲେ ମାଡଇ ଡର
ନାଉରୀ ଭାଇଟି ଆହୁଲା ଧରିଣ
ବାଟୋଇକି କରେ ପାର ।
କେତେ ନିର୍ଭୟରେ ନାଉରୀ ଭାଇଟି
ଦେଇ ଆଶ୍ବାସନା ବାଣୀ
ମଙ୍ଗଳା ସୁମରି ଭଉଁରୀ ସୁଅରେ
ପାରି କରେ ସେ ତରଣୀ ।
ଏକୂଳ ସେ କୂଳ ପାଣି ଖାଉ ଥାଏ
ଭଉଁରୀର ସୁଅ ଖେଳେ
ସେ ଭଉଁରୀ ସୁଅରେ ପଡେ ଥରେ ଯିଏ
ଡୁବି ଯାଏ ସେଇ ଜଳେ ।
ବଞ୍ଚି ପାରେ ନାହିଁ ସେ ସୁଅ ମୁହଁରୁ
କଲବଲ କେତେ ହୁଏ
ଅକାରଣଟାରେ ନୀରିହ ଜୀବନ
ସେଇଠି ଯେ ଚାଲି ଯାଏ ।
ଏମିତି ମାନବ ଭଉଁରୀର ଖେଳ
ଚକ୍ରାନ୍
ତ ଛଳନେ ଖେଳେ
ନିମିଷ ଭିତରେ ସର୍ବନାଶ କରେ
ମାରି ଦିଏ ବିନା ଜଳେ ।
ପାଣି ଭଉଁରୀର ସୁଅ ଠାରୁ ବେଶୀ
ଭୟ ଏ ମାନବ ଜାତି
ଉପରେ ଉପରେ ସମ୍ପର୍କ ବାନ୍ଧନ୍ତି
ଭିତରେ କରନ୍ତି କ୍ଷତି ।
ମଣିଷ ମନର ଭଉଁରୀ ଖେଳକୁ
ବୁଝିବା ସହଜ ନୁହେଁ
କେତେବେଳେ ସିଏ ବତାସୀ ପବନ
ତୋଫାନ ଝଡରେ ବହେ ।
କେତେବେଳେ କାହାକୁ କେଉଠି ଡୁବାଇ
ଅକ୍ଳେଶରେ ମାରି ଦିଏ
କେତେବେଳେ ମିଛ ଉଭଁରୀ ଖେଳରେ
ବାହାନେ ଫସେଇ ଥାଏ ।
ଭଉଁରୀ ଭିତରେ ଯିଏ ପଡି ଯାଏ
ବାହାରିବା କଷ୍ଟକର
ଲହୁ ଲୁହାଣରେ କଲବଲ ହେଇ
ଜୀବନ ସରଇ ତାର ।।