ଭୁଲିବାନି ଆମେ ସମ୍ପର୍କ ନୀଡ଼
ଭୁଲିବାନି ଆମେ ସମ୍ପର୍କ ନୀଡ଼
ସମ୍ପର୍କର ମୂଲ୍ୟ ନୁହଁଇ ତଉଲ
ଧନ ଯଶ ମାନଠାରେ
ବୁଝେ ଯେଉଁ ଜନ କେବେ ସିଏ ନ୍ୟୁନ
ନହୋଇ ବଡ଼ପଣରେ
ହୃଦେ ସଦା ସାଇତି
ରଖିଥାଏ ତା'ର ଆପଣାଲୋକଙ୍କୁ
ମୋତି ସମ ମାଳ ଗୁନ୍ଥି
ଚିକିମିକି ଦିଶଇ ତା' ଜ୍ୟୋତି ।
ନୀଡ଼ଟି ତାହାର ଦିଶେ ମନୋହର
ବୋଳାବୋଳି ସ୍ନେହ ପ୍ରୀତି
ପରସ୍ପରଠାରେ ଆଶା ଭରସାରେ
ବିଶ୍ବାସ ତୋଳଇ ଗୀତି
ମାଙ୍ଗଳିକ ଧ୍ବନିରେ
ଗୃହ ପ୍ରକମ୍ପିତ ପ୍ରଫୁଲ୍ଲିତ ଚିତ୍ତ
ଆନନ୍ଦ ଉଲ୍ଲାସ ଭରେ
ସର୍ବେ ରହିପାରନ୍ତି ସୁଖରେ ।
କାହାର ଅନ୍ତର ଈର୍ଷା ଅସୂୟାର
ଶିକାର ଯେବେ ବି ହୁଏ
ଲବେ ଶାନ୍ତି ତୃପ୍ତି ନ ପାଇ ସେ ମତି
ପଡ଼ି ରହେ ଅସହାୟେ
ସ୍ବାର୍ଥର ଦୀପ ଜାଳି
କେହି କ'ଣ କେବେ ଲଭି ମହାନନ୍ଦ
କରିପାରେ ମର୍ତ୍ତ୍ୟେ କେଳି ?
ଅନୁଭବ ନର୍କଠାରୁ ବଳି ।
ଆମେ ସେଥିପାଇଁ ଭୁଲିଯିବା ନାହିଁ
କେବେ ସମ୍ପର୍କର ନୀଡ଼
ଯେଉଁଠି ରହିବା ଘେରାଇ ଚାଲିବା
ଆପଣାପଣର ବାଡ଼
କରି ତାକୁ ସୁଦୃଢ଼
ଜୀବନ କାଟିବା ଅତି ହରଷରେ
ନିଜକୁ ନଭାବି ବଡ଼
ଥାଇ ହୃଦୟ ନିଃସ୍ବାର୍ଥ ଗଡ଼ ।।
