ଭୁବନ ମୋହନ ହେ ଚକାନୟନ
ଭୁବନ ମୋହନ ହେ ଚକାନୟନ
ଥକାମନ ଚାଲ ଯିବା ଚକାନୟନ ଦେଖିବା
ଆଖିରେ ଆଖି ମିଶାଇ ମନ କଥାକୁ କହିବା
ନୀଳାଚଳ ଧାମ ଶ୍ରୀକ୍ଷେତ୍ର ପୁରୀ ଶ୍ରୀମନ୍ଦିରେ
ପ୍ରଭୁ ବିରାଜି ଅଛନ୍ତି ଭାଇ ଭଉଣୀ ସାଙ୍ଗରେ
କିଏ କହେ ଜଗନ୍ନାଥ କିଏ କହେ ଚକାଆଖି
ଆଖିରେ ଆଖି ମିଶିଲେ ମନ ଯାଉଅଛି ଲାଖି
କିଏ କହେ ଚକା ଆଖି ସବୁ ନିରେଖି ଦେଖୁଛି
କିଏ କହେ ନିତିଦିନ ଷାଠିଏ ପଉଟି ଖାଉଛି
କିଏ କହେ ଚକାଆଖି ଚଳନ୍ତି ଜୀବନ୍ତ ଠାକୁର
କିଏ କହେ ଚକା ଆଖି ସଂସାରେ ସବୁଠୁ ସୁନ୍ଦର
ଚକାଆଖିରେ ଆଖି ମିଶାଇ ଦେଖିଦେଲେ ଥରେ
କିଛି ନୂଆ ଅନୁଭବ ହୁଏ ତନ ମନ ହୃଦୟରେ
ଭୁବନ ମୋହନ ଶକ୍ତି ଅଛି ସେହି ଚକାନୟନରେ
ମନ ମୋହିତ ହୁଅଇ ଦେଖି ଆଖି ମିଶାଇ ଆଖିରେ
ଏତେ ଜ୍ଞାନ ନାହିଁ ମୋର ସେହି ଭାବ ଜାଣିବାକୁ
ଭାବଗ୍ରାହୀ ହିଁ ଜାଣୁଛନ୍ତି ନିଜ ଭକ୍ତର ଭାବକୁ
ଚକାଡୋଳା, ଚକା ଚକା ଆଖି ହେ ଚକାନୟନ
ତୁମ ଶ୍ରୀ ଚରଣରେ ଧ୍ୟାନ ରହୁ ନିତି ପ୍ରତିଦିନ
ଚକିତ ହୃଦୟ ମୋର ଦେଖି ଦେଲେ ଚକାଆଖି
ଶ୍ରୀ ମନ୍ଦିର ଦର୍ଶନ ପାଇଁ ମନ ପ୍ରାଣ ଯାଏ ଲାଖି
ଅନ୍ତର ଦୁଃଖ ବେଦନା ତୁମେ ଜାଣ ଚକାଡୋଳା
ରକ୍ଷା କର ଏ ସଂସାରୁ ବୁଡି ଯାଉଛି ମୋ ଭେଳା
ବହୁତ ଦିନ ହେଲାଣି ଦେଖିନାହିଁ ସେହି ଚକାଆଖି
ଡୋରି ଲଗାଇ ଟାଣି ନିଅ ପ୍ରଭୁ ଦେଖିବି ସେ ଆଖି
କି କୁହୁକ,କି ମୋହନ ରହିଛି ସେ ଚକାନୟନ ରେ
ଦେଖି ଦେଲେ ଥରେ ନାଚି ଉଠେ ହୃଦୟ କନ୍ଦରେ
ମୋହ ମାୟା ବନ୍ଧନୁ ପାରି କର ଦେଇ ଦିବ୍ୟଜ୍ଞାନ
ସାରା ସଂସାର ମୋହରେ ରହିଛି ହେ ଚକାନୟନ।
ଦ୍ଵାପରେ ମୋହନ ବଂଶୀର ମଧୁର ସ୍ଵର ଲୟରେ
ଗୋପାଙ୍ଗନା ଭୁଲିଲେ ନିଜକୁ କୃଷ୍ଣଙ୍କ ପ୍ରେମରେ
ଭୁବନ ମୋହନ ବଂଶୀ ବଜାଅ ହେ ଚକାନୟନ
ମାୟା ମୋହ ବନ୍ଧନ ତୁଟି ଯାଉ ଶୁଣି ବଂଶୀ ସ୍ଵନ।
