ଭସ୍ମାସୁର
ଭସ୍ମାସୁର
ସଇତାନ ଯହିଁ କରେ ବେଦପାଠ
ସଇତାନ ଭଗବାନ
ଦିନରେ ଦିଶଇ ତାରା ଆକାଶରେ
କାଳରାତ୍ରୀ ସବୁ ଦିନ ।
ସଇତାନ ମନ ଭାନୁମତୀ ପେଡି
ଯାଦୁ କୁହୁକରେ ଭରା
ପାହେ ନାହିଁ ରାତି ସପନ ସରେନି
ଆଖି ହୁଏ ନାହିଁ ଖୋଲା ।
ଭୂତ ଭବିଷ୍ୟତ ସବୁ ଅନ୍ଧକାର
ନଷ୍ଟଗତି ବର୍ତ୍ତମାନ
ଧ୍ୱ°ସେ ତିନିକାଳ ଦୁଷ୍ଟ ସଇତାନ
ଅନାର୍ଯ୍ୟ ସେ ବେଇମାନ ।
ଶୁଣେ ନାହିଁ କିଛି ବୁଝେ ନାହିଁ କିଛି
ଅହଙ୍କାରୀ ସଇତାନ
ହୁଏ ହର୍ତ୍ତାକର୍ତ୍ତା ଦଇବ ବିଧାତା
ଚକ୍ରବର୍ତ୍ତୀ ଚତୁରଙ୍ଗ ।
ସୁଖ ସମ୍ପଦକୁ ଆବୁରେ ଚତୁରେ
ସବୁ କହେ ମୋର ମୋର
ସହିପାରେ ନାହିଁ ସମ ଆଲୋଚନା
ବିଷମ ତା ବ୍ୟବହାର ।
ପହଁରେ କୁହୁଡି ଗିଳିପାରେ ନିଆଁ
ହୁତାଶନ ସଇତାନ
ସିଏ ଭସ୍ମାସୁର ଗୋଡାଇବ ପଛେ
ନାଶିବ ମଙ୍ଗଳ ଧର୍ମ ।
ଦଉଡନ୍ତି ଶିବ ହୋଇଣ ଉଲଗ୍ନ
କୃପାକର ଜଗନ୍ନାଥ
ଦିଅ ସଦବୁଦ୍ଧି ଉଦ୍ଧରନ୍ତୁ ସାଧୁ
ମୁଣ୍ଡେ ମାରୁ ଦୁଷ୍ଟ ହାତ ।
