ଭୋକିଲା ଜୀବନ
ଭୋକିଲା ଜୀବନ
ଏତେ ସହଜ ନୁହଁ ମାପିବା ଅନ୍ୟର
ପେଟର ଭୋକକୁ
ତାର ଗଭୀରତା କେତେ ତାହା ଅନ୍ୟ
ଜଣେ ଜାଣିବାକୁ ।
ଭୋକିଲା ଯିଏ, ଅକୁହା ଯନ୍ତ୍ରଣାରେ ସେ
ଡ଼ହଳ ଵିକଳ ହୁଏ
ଭୋକରେ, ଅଭାବ ଭିତରେ ଛାତିରେ
ସେ ମନ ମାରି ଶୁଏ ।
ଶୋଇବା ପରେ, ପାହିବା ରାତି ଆଉ
ଆଗାମୀ ସକାଳ ଭିତରେ
କିପରି ଫୁଟିବ ଭାତ, ଚିନ୍ତା କରି କରି ମନ
ଦୁଃଖରେ ଶୋଇ ରହେ ।
ପୁରିବ କିପରି ପେଟ, ଖୋଜେ ରାସ୍ତା ପାଖ
ଡ଼ଷ୍ଟବିନ ଭିତରୁ
ଦରାଣ୍ଡି ହୂଏ, ମିଳିବକି ଖାଦ୍ୟ ଫୋପାଡି
ଥିବା ପଲିଥିନରୁ ।
ମନ କଥା କାହା ଆଗେ କହିଵ ଏହି ପୁଂଜି
ସର୍ବସ୍ୱ ସମାଜରେ
ଖୋଜି ଚାଲେ ଦରଦୀ ହୃଦୟର ମଣିଷ
ଅଛନ୍ତିକି ସଂସାରରେ ।
ଭୋକିଲା ମଣିଷର ବିଶ୍ୱାସ ନାହିଁ, ମିଳିବ
ଆନ୍ତରିକତା ବିନ୍ଦୁଏ
କାରଣ 'ମୋ ' ଆତ୍ମକୈନ୍ଦ୍ରିକ ବ୍ୟକ୍ତି ସମୂହରେ
ମିଳିବା ତ ସମ୍ଭବ ନୁହେଁ ।
କାନରେ ଶୁଭୁଥାଏ ସ୍ୱାର୍ଥଲୋଭୀ ପ୍ରାସାଦରେ
ରହୁଥିବା ପିଶାଚର ହସ
ଅମଣିଷ ମାନବିକତାହୀନ ତାର ଅବସ୍ଥାରେ
ଡେଉଁଥାଏ କରି ଠୋ ଠୋ ହସ ।
