ଭୋକ
ଭୋକ
ରାସ୍ତା କଡ଼ରେ ପଡ଼ି ପଡ଼ି
ଭୋକ ସବୁ ଆବର୍ଜନା ସାଜନ୍ତି
ସଭ୍ୟ ସମାଜର ସ୍ଵଛ ଚଷମା ତଳେ,
ତପ୍ତ ମଧ୍ୟାହ୍ନରେ ଅଭାବୀ ପେଟକୁ ନେଇ
କେତେ ଭୋକ ଦେହସୁହା ହୋଇଯାଏ
ନିୟତିର ବିଚିତ୍ର କାହାଣୀରେ।
କେଉଁଠି ଭୋକ ସାଜେ
ଏକ ବିନିମୟର ମାଧ୍ୟମ
କାଠ ଟେବୁଲ ତଳେ
ଫାଇଲରୁ ଧୂଳି ଝାଡ଼ିବା ପାଇଁ,
କେବେ ସେ ଭୋକରେ କିଏ
ଚିପିଦିଏ ଅସହାୟର ତଣ୍ଟି
ନିଜ ଲହଲହ ଜିହ୍ଵାର ତୃପ୍ତିବୋଧ ପାଇଁ।
କିଛି ଭୋକ ମରିଯାଏ ଦୀର୍ଘକାଳ ପାଇଁ
ଥରୁଟିଏ ପୁରିଗଲେ ପେଟ
ଏଇ ଯେମିତି ଭୋଟ ପରେ ପାଞ୍ଚବର୍ଷ ଲାଗି
ନେତାଏ ଭୁଲିଯାନ୍ତି ସେ ଅମଡ଼ା ବାଟ।
କିଛି ବି କମ ଭୋକିଲା ନୁହଁନ୍ତି
ଏ ନିରୀହ ସାଜୁଥିବା ସାଧାରଣ ଜନତା
ଭୋଟ ପୂର୍ବ ରାତିରେ ବିକ୍ରି ହୁଅନ୍ତି
ଖଣ୍ଡେ ଆଖିଝଲସା ନୋଟ ଲୋଭରେ
ଓ ଗୋଟେ ବୋତଲ ନିଶାର ମୋହରେ।
କ
ିଛି ପେଟ ପୁରିଗଲେ ବି ଭୋକ ମରେନା
କିଛି ଭୋକ ପେଟ ପୁରିବାର ଆଶା ରଖେନା।
ତଥାପି ଏ ଭୋକ ଗ୍ରାସିଛି ପ୍ରତିଟି ଆତ୍ମାକୁ
କେଉଁଠି ଚୋରେଇ ନେଲାଣି ମନୁଷ୍ୟତ୍ୱ
କେଉଁଠି ଭୋକ ପାଇଁ କିଏ
ବୁଲା କୁକୁର ସାଥିରେ ବସେ ମିତ।
ସେଇ ଭୋକ ପାଇଁ ତ ସବୁ ନାଟ
ବେପାରୀ ଠକେ ଗ୍ରାହକକୁ ଲାଭ ଦ୍ୱାହିରେ
ବାବୁ ଲୁଟନ୍ତି ଜନତାଙ୍କୁ କିଛି ଉପୁରି ମୋହରେ
ବେକାରୀ ପାଏ ଚାକିରୀ ଏଠି ଲାଞ୍ଚ ବଦଳରେ
ଦୋଷୀ ଖସିଯାଏ ଗୁଞ୍ଜିଦେଇ କିଛି ପକେଟ ଭିତରେ
ରୋଗୀଟେ ସାଜେ ଆହାର ଏଠି ମେଡିକାଲରେ
ଛାତ୍ରର ଜୀବନ ବନ୍ଧା ପଡିଛି ତା ମାସିକ ଫିସରେ।
ହଁ ଏ ଭୋକ ବିନା ବି ଜୀବନ ନିରର୍ଥକ
କିନ୍ତୁ ଆଵଶ୍ୟକତାଠାରୁ ଅଧିକ ଭୋକ
ଜାଳିଦିଏ ଜୀବନର ବାସ୍ତବ ମୂଲ୍ୟବୋଧକୁ
ଏମିତି ଭୋକ, ଖାଇବା ଓ ବଦହଜମି ଭିତରେ
କେବେ ସରିଯାଏ ନିଜ ଭାଗର ବଳକା ସମୟ
ଆଉ କିଛି ବିକଳ୍ପ ନଥାଏ ରିକ୍ତ ପାପୁଲିରେ।