ଭୋକ
ଭୋକ
ତୁମ ପାଇଁ ସିନା ଦେହ ଭୋକ ବଡ
ପେଟ ରୁହେ ନାହିଁ ଖାଲି
ପେଟ ଭୋକେ ଆମେ ଆଉଟୁ ପାଉଟୁ
ଘରେ ଜଳେନାହିଁ ଚୁଲି I
ଭୋକକୁ ତ ତୁମେ ଭେଟିନ କେବେବି
ଭେଟିବାକୁ ଯେବେ ଇଛା
ଭୋକିଲା ଚାଳିକୁ ବୁଲି ଆସ ଥରେ
ପୂର୍ଣ୍ଣ ହେବ ମନୋବାଞ୍ଛା I
ତୁମେ କି ଦେଖିନ ମୋ ପୁଅ କିପରି
ତମ ବାରିପଟେ ରହି
ତୁମ ଫିଙ୍ଗା ଭାତ ଖୁଣ୍ଟି ଖୁଣ୍ଟି ଖାଏ
କୁକୁର ବି ଥାଏ ଚାହିଁ I
ତୁମରି ବଳକା ଅଇଁଠାକୁ ଯାହା
ଫିଙ୍ଗିଦିଅ ନର୍ଦ୍ଦମାରେ
ବୁଲାକୁତ୍ତୀ ଠାରୁ ଛଡେଇ ମୋ ପୁଅ
ଖାଇଯାଏ ବିକଳରେ I
ଘରେ ଦୁଇପ୍ରାଣୀ ରୋଗୀଣା ଶରୀର
ଖଟି ପାରୁନାହୁଁ ଆଉ
ପେଟରେ ଆମର ଓଦାକନା ଦେଇ
ସହୁଛୁ ଭୋକର ଦାଉ I
ତୁମ ଦେହ ସିନା ରକ୍ତ ମାଂସେ ଗଢା
ଖରା ବର୍ଷା ବାଧିଯାଏ
ପରିବାର ମୋର ରାଜରାସ୍ତା କଡେ
ଛିଣ୍ଡା ଜରି ତଳେ ଶୁଏ I
ବଡଲୋକ ତୁମେ ଘିଅଭାତ ଖାଇ
କ୍ଷୀରରେ ହାତକୁ ଧୁଅ
ଅଇଁଠା ଟିକିଏ ମିଳେନାହିଁ ବୋଲି
ଝରେ ମୋ ଆଖିରୁ ଲୁହ I
ସହି ହେଉନାହିଁ ପେଟର ଜ୍ୱାଳାକୁ
କୋରି ହୋଇଯାଏ ଛାତି
ବୁଝି ପାରେନାହିଁ କେଉଁ ଦୋଷପାଇଁ
ଭୋକ ମୋର ଚିର ସାଥି I
