ଭୋକ
ଭୋକ
ଭୋକର ଭୂଗୋଳ ପଢ଼ିପଢ଼ି ଆଜି
ଗରିବ ବିଚରା ମରେ
ମୁଠେ ଭାତ ପାଇଁ ତା' ହୃଦୟ କାନ୍ଦେ
ଲୁହ ପିଇ ଓଠ ଧାରେ l
ଭୋକର ଜ୍ୱାଳାଟା ଅତୀବ ନିର୍ମମ
ଭାବିଲେ ଲାଗଇ ଭୟ
ସେ ଭୋକର ଦାଉ ସହି ନ ପାରି କି'
ଏ ମଣିଷ ଅସହାୟ l
ଭୋକ ତ ମାନେନି ଜାତି ଧର୍ମ ବର୍ଣ୍ଣ
ଜୀବନ ଯନ୍ତ୍ରଣା ବେଳ
ଦେଖେନି ସେ କେବେ ପିଲା କି' ବୟସ୍କ
ବଳୁଆ ଅବା ନିର୍ବଳ l
ଏ ଦୁନିଆ ଦାଣ୍ଡେ ସର୍ବେ ହାଇଁପାଇଁ
ନିଜ ପେଟ ଭୋକ ପାଇଁ
ଥମିଯାଏ ପାଦ ସରେନାହିଁ ପଥ
ତଥାପି ହାରନ୍ତି ନାଇଁ l
ଭୋକର ରାକ୍ଷସ ପିଛା ଛାଡ଼େ ନାହିଁ
ପାଖେ ଥାଏ ନିରନ୍ତର
ଦୀନ ହୀନ ଦୁଃଖି ଅଭାବି ଜନଙ୍କୁ
କରିଦିଏ ଛାରଖାର l
ହାତ ଯୋଡ଼ି ମୁହିଁ କରୁଛି ଗୁହାରି
ଶୁଣ ଆହେ ସରକାର
ଦାନାପାଣି ଦେଇ ଭୋକର ଦାଉରୁ
ଭୋକିଲାକୁ ରକ୍ଷାକର l
