ଭୋଦୁଅ ସଞ୍ଜରେ
ଭୋଦୁଅ ସଞ୍ଜରେ
ବରଷା ଆସିଲେ ପ୍ରିୟସୀ ମୋହର
ମୁରୁକି ମୁରୁକି ହସେ
ପ୍ରୀତି ବଗିଚାର ସଜ ଫୁଲ ପରି
ମହକି ମହକି ବାସେ ।
ମନେ ଛୁଇଁଯାଏ ସେଦିନର କଥା
ଯେଦିନ ପହିଲି ଦେଖା
ଭୋଦୁଅ ସଞ୍ଜରେ ବୟସ ତୁଠରେ
ପ୍ରେମ ହୋଇଥିଲା ଲେଖା,
ଆଖିର ଭାଷାକୁ ଦୁହେଁ ପଢୁଥିଲୁ
ପ୍ରଣୟ ବତୁରା ରସେ ।
ବରଷା ଆସିଲେ ପ୍ରିୟସୀ ମୋହର
ମୁରୁକି ମୁରୁକି ହସେ
କାହିଁକି କେଜାଣି ଭିଜିବାକୁ ସିଏ
ଭାରି ଭଲପାଏ କୁହେ
ବିନ୍ଦୁ ବିନ୍ଦୁ ବାରି ଆନନ ପଖାଳି
ରୂପବତୀ ରୂପ ବାହେ,
ଜୋଛନା ନଈରେ ନିଜକୁ ଭସାଇ
ହୃଦୟ ଦୁଆରେ ବସେ ।
ବରଷା ଆସିଲେ ପ୍ରିୟସୀ ମୋହର
ମୁରୁକି ମୁରୁକି ହସେ ।

