STORYMIRROR

Kulamani Sarangi

Classics

3  

Kulamani Sarangi

Classics

ବହ୍ନିକନ୍ୟା -୪୧

ବହ୍ନିକନ୍ୟା -୪୧

3 mins
13


ବ୍ୟାସଦେବଙ୍କ ନିର୍ଣ୍ଣୟ ଏବଂ ବହ୍ନିକନ୍ୟାଙ୍କର ସ୍ୱୟଂବର

****

ବହ୍ନିକନ୍ୟାକୁ ପଞ୍ଚପତି ଗ୍ରହଣ କରିବା ସନ୍ଦର୍ଭରେ ପ୍ରଶ୍ନ କରିବାର ଅଧିକାର କାହାର ନାହିଁ....ସେ ଯୁଗରେ ନଥିଲା କି ଏ ଯୁଗରେ ମଧ୍ୟ ନାହିଁ, କାରଣ ସେ ଏକ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟରେ ଅଗ୍ନି କୁଣ୍ଡରୁ ଜନ୍ମ ନେଇଥିଲେ। ଅର୍ଥାତ୍ ତାଙ୍କର ଜନ୍ମ ପୂର୍ବରୁ ନିର୍ଣ୍ଣିତ ଏବଂ ବିଧି ଅଭିପ୍ରେତ ଥିଲା। ମହାଶକ୍ତିର ଅଧିକାରିଣୀ ଧର୍ମ, ଶକ୍ତି,କର୍ମ ଏବଂ ସୌନ୍ଦର୍ଯ୍ୟ ସହିତ ମିଳିତ ନହେଲେ ତାଙ୍କ ପାଇଁ ଅଭିପ୍ରେତ କାର୍ଯ୍ୟ(ଧର୍ମ ସଂସ୍ଥାପନା) କିପରି ସମ୍ଭବ ହେବ?ଏକଥା ନିଶ୍ଚିତ ଭାବରେ ସେ ବିସ୍ମରି ଯାଇଥିଲେ।ବ୍ୟାସଦେବ ତାହା ସ୍ମୃତି ଗୋଚର କରାଇବା ପରେ ତାଙ୍କର ପଞ୍ଚପାଣ୍ଡବଙ୍କୁ ବିବାହ କରିବା ନିର୍ଣ୍ଣୟ ନେବାରେ କୌଣସି ସନ୍ଦେହ ରହିଲା ନାହିଁ। ଶ୍ରୀକୃଷ୍ଣ ତ ଆଗରୁ ଜାଣିଥିଲେ.. ଆର୍ଯ୍ୟାବର୍ତ୍ତରେ ଧର୍ମ ସଂସ୍ଥାପନା ପାଇଁ ପାଣ୍ଡବଙ୍କ ସହିତ ବହ୍ନିକନ୍ୟାଙ୍କର ପରିଣୟ ନିହାତି ଆବଶ୍ୟକ।

***


ଏଣେ ରାଜଦରବାର କରି ଆୟୋଜନ,

ଦ୍ରୌପଦୀଙ୍କୁ ଡକାଇଲେ ଦ୍ରୁପଦ ରାଜନ।

ପାଞ୍ଚାଳ ଦରବାରରେ ମୌନ ବିରାଜଇ,

ସମସ୍ତଙ୍କ ମନେ ପ୍ରଶ୍ନବାଚୀ ଥିଲା ରହି।

ବସିଛନ୍ତି ପଣ୍ଡୁପୁତ୍ରେ, ସଙ୍ଗେ ମାତା କୁନ୍ତୀ,

ସିଂହାସନେ ବିରାଜିତ ପାଞ୍ଚାଳ ଭୂପତି।


ଧୃଷ୍ଟଦ୍ୟୁମ୍ନ ସତ୍ୟଜିତ,ଶିଖଣ୍ଡୀ ସହିତ, 

ନିଜ ନିଜ ସ୍ଥାନ କରିଥିଲେ ଅଳଂକୃତ।

ପହଞ୍ଚିଲେ ଯାଜ୍ଞସେନୀ ହୋଇ ନତମୁଖ,

ପହଞ୍ଚିଲେ ବାସୁଦେବ ଯାଦବ ପ୍ରମୁଖ ।

ସଙ୍ଗେ ତାହାଙ୍କର ଥିଲେ ଗୁରୁ ସନ୍ଦିପନି,

ଗର୍ଗାଚାର୍ଯ୍ୟ ସହ ପହଞ୍ଚିଲେ ବ୍ୟାସ ମୁନି।


ପୂଜାକଲେ ସର୍ବେ ବ୍ୟାସଦେବଙ୍କର ପାଦ,

ପାଣ୍ଡବଙ୍କୁ ଦେଖି ମୁନି ହୋଇଲେ ପ୍ରମୋଦ।

ଆଶୀର୍ବାଦ କଲେ କୃଷ୍ଣା ଶୀରେ କର ରଖି,

ମୁନିପାଦେ ମଥାନତ କଲେ ଚନ୍ଦ୍ରମୁଖୀ।


ପୂଜ୍ୟପୂଜା ବିଧି ଯହୁଁ ହୋଇଲା ସମ୍ପନ୍ନ, 

ସମସ୍ୟା ବର୍ଣ୍ଣନା କରି ଦ୍ରୁପଦ ରାଜନ।

"ବୋଇଲେ ଏହାର ପ୍ରଭୁ ସମାଧାନ କର,

ତୁମ୍ଭ ପାଶେ ଥାଏ ସବୁ ପ୍ରଶ୍ନର ଉତ୍ତର ।

ତୁମ୍ଭ ସମ ବିଶ୍ବେ କେହୁ ନାହିଁ ପ୍ରଭୁ ଜ୍ଞାନୀ,

ମୁଖୁ ଯା ହୁଏ ନିସ୍ରୁତ ସର୍ବେ ଥାନ୍ତି ମାନି।


ବରିବ କେସନେ କନ୍ୟା ପାଞ୍ଚ ପାଣ୍ଡୁପୁତ୍ରେ?

ଅନୀତି ହେବନାହିଁ କି ଏ ସାରା ଜଗତେ?  

ଲକ୍ଷଭେଦ କରିଛନ୍ତି ପାର୍ଥ ଧନୁର୍ଦ୍ଧର, 

ସେହି ସିନା ଯୋଗ୍ୟ ଧରିବାକୁ ଜେମା କର।

ମାତୃ-ସତ୍ୟ ଦ୍ୱାହି ଦେଇ ପାଣ୍ଡୁ ପାଞ୍ଚ ଭାଇ,

ଇଚ୍ଛା କରନ୍ତି କୃଷ୍ଣାଙ୍କୁ ପରିଣୟ ପାଇଁ ।"


ଶୁଣି ବ୍ୟାସଦେବ କ୍ଷଣେ ହୋଇଲେ ମଉନ,

ଚକ୍ଷୁ ନିମିଳିତେ କିଛି କରିଲେ ସ୍ମରଣ।


ଚକ୍ଷୁ ଖୋଲି ଦ୍ବାପ୍ୟାୟନ ବୋଲନ୍ତି "ରାଜନ 

ଯାଜ୍ଞସେନୀ ନୁହେଁ ଏକ କନ୍ୟା ସାଧାରଣ।

ଅଗ୍ନିରୁ ସମ୍ଭୂତା ଅଟେ ସେହି ବହ୍ନିକନ୍ୟା,

ଦୁଷ୍କୃତ ବିନାଶ ଅର୍ଥେ ତାହାର ସର୍ଜନା।

ସେହି ଦୁର୍ଗା,ସେହି କାଳୀ ସେ‌ହି ଆଦିମାତା,

ଧନଦାତ୍ରୀ କମଳିନୀ ଅଯୋନୀ ସମ୍ଭୂତା।

ସେହି ପ୍ରେମମୟୀ ସେହି ଧ୍ବଂସର କାରଣ,

ସମସ୍ତ ଜ୍ଞାନ ଭଣ୍ଡାରେ ସେହି ପରିପୂର୍ଣ୍ଣ।


"ଏକ" ବୋଲି ତାକୁ ତୁମ୍ଭେ ନକର ବିଚାର,

ଜଣାଯାଏ ଏକ ମାତ୍ର ରୂପ ଅସୁମାର।

ଅସମ୍ଭବ କଳିବାକୁ ତାର ଶକ୍ତି କେହି,

କ୍ଷିତି ଜଳ ଅଗ୍ନି ବାୟୁ ବ୍ୟୋମ ଶକ୍ତି ସେହି।

ନାରାୟଣୀ ଶକ୍ତି ଅଛି ତା ଅଙ୍ଗେ ଜଡ଼ିତ,

ଧର୍ମ ସଂସ୍ଥାପନା ପାଇଁ ବିଶ୍ବେ ତାର ଜାତ।


ତା କର୍ମକୁ ପ୍ରଶ୍ନ କରିବାର ଅଧିକାର,

ଦେବତାଙ୍କ ନାହିଁ ଆମ୍ଭେ ମନୁଷ୍ୟ ତ ଛାର।

ସମ୍ପୂର୍ଣ୍ଣ ହେଲେ ବି ବହ୍ନି ଦୁହିତା ଅପୂର୍ଣ୍ଣ,

ସେ ପୂର୍ଣ୍ଣତା ପ୍ରାପ୍ତି ପାଇଁ ବିଚଳିତ ମନ।

ଆମ୍ଭେ ଛାର ଏ ସନ୍ଦର୍ଭେ କିବା ଦେବୁ ନ୍ୟାୟ,

ବହ୍ନିକନ୍ୟା ଯା ଇଚ୍ଛିବ ତାହା ହେବ ରାୟ।


ମାତ୍ର ନୀତିଗତ କଥା କହୁଛି ମୁଁ ଶୁଣ,

ତଦନ୍ତେ ନିର୍ଣ୍ଣୟ ତୁମ୍ଭେ ଘେନିବ ରାଜନ।

"ଅନୀତି ନୁହେଁ ସମାଜେ ବହୁପତି ବ୍ରତ,

ଆଦି ସମାଜରେ ଦିନେ ଥିଲା ତା ଗୃହିତ।

କାଳକ୍ରମେ ସମାଜରୁ ହୋଇଛି ତା ଲୁପ୍ତ,

କିନ୍ତୁ ପଣ୍ୟଦ୍ରବ୍ୟ ସମ ନୁହେଁ ନାରୀ ଚିତ୍ତ ।


ଏହିପରି ବିବାହରେ କନ୍ୟାର ସମ୍ମତି,

ଆବଶ୍ୟକ ହୋଇଥାଏ ‌ହେ ପାଞ୍ଚାଳ ପତି।

ହିମାଳୟ ଅରଣ୍ୟରେ'ଖାସା' ଜନଜାତି,

ବହୁପତିବ୍ରତେ ବ୍ରତୀ ଏବେ ବି ଅଛନ୍ତି ।


ମର୍ଯ୍ୟାଦା ପାଳନ ଯେବେ ପତ୍ନୀ ପାରେ କରି

ବହୁପତି ଘେନି ମଧ୍ୟ ହେବ ସତୀନାରୀ।

ସମୟର ସୀମା ପ୍ରତି ପତି ପାଇଁ ଦେଇ,

ପାତିବ୍ରତ୍ୟ ପାଳିବାରେ ବାଧା କିଛି ନାହିଁ ।


ସ୍ବାମୀମାନେ ସେ ସମୟ ସୀମାକୁ ମାନିବେ,

ସମୟ ସୀମା ଗାରକୁ କେହି ନଲଙ୍ଘିବେ।

ସେ ସମୟ ସୀମା ହୋଇପାରେ କିଛି ମାସ,

ହୋଇପାରେ ମଧ୍ୟ ତାହା ଗୋଟିଏ ବରଷ।


ବହ୍ନିକନ୍ୟାକୁ ଜିଜ୍ଞାସା କର ନରସାଇଁ

ସମ୍ମତି ନଥିଲେ କିଛି ନପାରିବ ହୋଇ।

ସେ ଇଚ୍ଛିଲେ ପାଞ୍ଚ ପତି କରିବ ବରଣ,

ନଚାହିଁଲେ ପଣ୍ଡୁପୁତ୍ରେ ଯିବେ ନିଜ ସ୍ଥାନ ।


ସମସ୍ତଙ୍କ ଦୃଷ୍ଟି ଥିଲା କୃଷ୍ଣା ମୁଖେ ସ୍ଥିର,

ନତମୁଖେ ଧରଣୀରେ କାଟୁଥିଲେ ଗାର।

ଯାଜ୍ଞସେନୀ ମୌନ ଦେଖି କହିଲେ ଶ୍ରୀହରି,

ଏଥିରେ ଦ୍ୱିରୁକ୍ତି ଆଉ କାହିଁ ଦଣ୍ଡଧାରୀ?

ମୌନେ ସମ୍ମତି ଲକ୍ଷଣ ନପାର କି ଜାଣି?

ପାଣ୍ଡବଙ୍କୁ ପତି ରୂପେ ବରିବ କଲ୍ୟାଣୀ।


ଚାହିଁ କନ୍ୟାମୁଖ ରାଜା ପାଇଲେ ଇଙ୍ଗିତ,

ପାଞ୍ଚ ପତି ବରିବାକୁ କନ୍ୟା ସନମତ।

ବିଚାରିଲେ ରାଜା ଧନ୍ୟ ପାଣ୍ଡୁ ପରିବାର,

ଦେହ ଭିନ୍ନ, ଆତ୍ମା କିନ୍ତୁ ଏକ ସଭିଙ୍କର।

ପରସ୍ପର ସଙ୍ଗେ ବନ୍ଧା ସ୍ନେହ,ପ୍ରେମ ଡୋରେ,

ହିମାଦ୍ରି ସମାନ ଦୃଢ ପଣ ପାଳିବାରେ।


ବାସୁଦେବଙ୍କର ଶୁଭ ଦୃଷ୍ଟି ସଦା ପାଇ,

ଶୌର୍ଯ୍ୟ, ବିର୍ଯ୍ୟେ ପଟାନ୍ତର ଏହାଙ୍କର ନାହିଁ ।

ହୋଇଲେ ଜାମାତା ମୋର ବଢାଇବେ ଯଶ,

ଦ୍ରୋଣ କିବା ଛାର ଜିଣି ପାରିବି ମୁଁ ବିଶ୍ୱ।

ବହ୍ନିକନ୍ୟା ବିଲକ୍ଷଣ ବର୍ଣ୍ଣିଲେ ଯା ବ୍ୟାସ,

ସେହି ନେବ ଏ ସନ୍ଦର୍ଭେ ନିର୍ଣ୍ଣୟ ଅବଶ୍ୟ।


ଘେନି ଗର୍ଗ,ସନ୍ଦୀପନୀଙ୍କର ସନମତି,

ସଖୀକୁ ପେଶିଲେ କନ୍ୟା ପାଶେ ନରପତି।

ପାଞ୍ଚ ପତିଙ୍କୁ ବିବାହ କରିବା ନିମିତ୍ତ,

ଅବଶେଷେ ବହ୍ନିକନ୍ୟା ହେଲେ ସନମତ।

ସଖୀ ଜଣାଇଲା କୃଷ୍ଣା ସନମତି ବାଣୀ

ମହା ସନ୍ତୋଷ ଲଭିଲେ ପାଞ୍ଚାଳ ନୃମଣି।

ପଞ୍ଚପାଣ୍ଡବଙ୍କ ସହ କୃଷ୍ଣା ସ୍ୱୟମ୍ବର-

ନିମନ୍ତେ ଆଦେଶ କଲେ ପାଞ୍ଚାଳ ଈଶ୍ବର ।


(ବହ୍ନିକନ୍ୟାଙ୍କର ସ୍ୱୟଂବର ସମାପ୍ତ)

*****


Rate this content
Log in

Similar oriya poem from Classics