Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kulamani Sarangi

Classics

3  

Kulamani Sarangi

Classics

ବହ୍ନିକନ୍ୟା -୨୭

ବହ୍ନିକନ୍ୟା -୨୭

3 mins
39



(ରାଜପୁତ୍ରଙ୍କ ଅସ୍ତ୍ରବିଦ୍ୟା ପ୍ରଦର୍ଶନ)

***

କୁନ୍ତୀ ଏକଚକ୍ର ପୁରରେ ଆଶ୍ରୟ ଦାତା ବ୍ରାହ୍ମଣ ଘରେ ବସି ପଣ୍ଡୁ ପରିବାରର ଭାଗ୍ୟ ବିଡମ୍ବନା କଥା ଚିନ୍ତାକରି ମର୍ମାହତ ହୋଇ ପଡିଛନ୍ତି।ତାଙ୍କ ପାଖରେ ଅଛନ୍ତି ଅର୍ଜୁନଙ୍କ ଭଳି ବିଶ୍ଵର ଶ୍ରେଷ୍ଠ ଧନୁର୍ଦ୍ଧର,ଭୀମଙ୍କ ଭଳି ଶ୍ରେଷ୍ଠ ଗଦାଧାରୀ, ଯୁଧିଷ୍ଠିରଙ୍କ ଭଳି ଅଦ୍ୱିତୀୟ ଭାଲ-ପ୍ରବୀଣ ଯୋଦ୍ଧା ତଥା ନକୁଳ ଓ ସହଦେବଙ୍କ ସଦୃଶ କୁନ୍ତ ଏବଂ ଖଡ୍ଗ ଯୁଦ୍ଧରେ ପ୍ରବୀଣ ବୀର।ବିଶ୍ବର ଯେକୋୖଣସି ସାମରିକ ଶକ୍ତି ତାଙ୍କ ପୁତ୍ର ମାନଙ୍କ ଶକ୍ତି ଆଗରେ ତୁଚ୍ଛ;ଅଥଚ ଭିକ୍ଷା ଥାଳ ଧରି ଦ୍ୱାରେ ଦ୍ବାରେ ବ୍ରାହ୍ମଣ ବେଶରେ ଭିକ୍ଷା ମାଗି ବୁଲୁଛନ୍ତି ସେମାନେ !! ଅର୍ଜୁନ ଏବଂ ଭୀମଙ୍କ ପ୍ରଶ୍ନ.... କାହିଁକି ମାଆ କାହିଁକି?କି ଲାଭ ଏ ଶକ୍ତି ଥାଇ?କେତେ ଦିନ ଭୀରୁ ପଳାତକ ଭାବରେ ବଣ ଜଙ୍ଗଲରେ ଲୁଚି ଲୁଚି ଜୀବନ ବିତାଇବା ? ଏହି ମୁହୁର୍ତ୍ତରେ ଆଦେଶ ଦିଅ ମାଆ, ହସ୍ତିନାକୁ ଧ୍ବସ୍ତ ବିଧ୍ବସ୍ତ କରି ଧୃତରାଷ୍ଟ୍ରଙ୍କ ବଂଶ ଲୋପକରି ରାଜ ସିଂହାସନ ଆରୋହଣ କରାଇବୁ ଆମେ ଯୁଧିଷ୍ଠିରଙ୍କୁ।


କିନ୍ତୁ କୁନ୍ତୀ ଓ ଯୁଧିଷ୍ଠିର ଏ ପ୍ରସ୍ତାବରେ ସହମତ ହୋଇନାହାନ୍ତି।ଏହା ବଂଶ ଆଭିଜାତ୍ୟର ପ୍ରଶ୍ନ। ନିଜ ବଂଶକୁ ନିଜେ କିପରି ଧ୍ବଂସ କରିବେ ସେମାନେ।ତା'ଛଡା ଶତ୍ରୁକୁ ହେୟଜ୍ଞାନ କରିବା ଅନୁଚିତ। ଦୁର୍ଯ୍ୟୋଧନ ବର୍ତ୍ତମାନ ହସ୍ତିନାର ଯୁବରାଜ।ସମସ୍ତ ରାଜଶକ୍ତି ତା'ଦ୍ବାରା ପରିଚାଳିତ। ସେଥିପାଇଁ ଆତ୍ମଗୋପନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମହାତ୍ମା ବିଦୂର।ତାଙ୍କର ପରବର୍ତ୍ତୀ ନିର୍ଦ୍ଦେଶ ନପାଇବା ପର୍ଯ୍ୟନ୍ତ ପାଣ୍ଡବ ମାନେ ନିଜେ କିଛି କରିବା ଅନୁଚିତ ବୋଲି କୁନ୍ତୀ ମତ ଦେଇଛନ୍ତି।


ଆଜି କୁନ୍ତୀଙ୍କ ଆଖି ଆଗରେ ଭାସିଯାଏ କିପରି ତାଙ୍କ ସିଂହ ଶିଶୁ ମାନେ, ଶିକ୍ଷା ଉପରାନ୍ତେ, ହସ୍ତିନାରେ ସମସ୍ତ ଜନସାଧାରଣଙ୍କ ସମକ୍ଷରେ ଅଦ୍ଭୁତ ଅସ୍ତ୍ରଶସ୍ତ୍ର ବିଦ୍ୟା ପ୍ରଦର୍ଶନ କରିଥିଲେ।

******

ରାଜକୁମାରଙ୍କ ଶିକ୍ଷା ଉପରାନ୍ତେ 

ଧାର୍ଯ୍ୟହେଲା ଏକ ଦିନ,

ଯେ ଯାହାର ଅସ୍ତ୍ରବିଦ୍ୟାର ସାମର୍ଥ୍ୟ 

କରିବାକୁ ପ୍ରଦର୍ଶନ।


ନବର ସମୀପେ ପ୍ରଶସ୍ତ ପ୍ରାଙ୍ଗଣ 

ସଜ୍ଜିତ ହେଲା ସେ ଅର୍ଥେ,

ନିମନ୍ତ୍ରିତ ହେଲେ ନଗ୍ର ପ୍ରଜାଗଣ

ସ୍ପର୍ଦ୍ଧା ଦର୍ଶନ ନିମନ୍ତେ।


ଧୃତରାଷ୍ଟ୍ର,ଭୀଷ୍ମ,ଦ୍ରୋଣ,କୃପ ସଙ୍ଗେ 

ବିଦୂର ଥିଲେ ଆସୀନ,

ରାଣୀ ଅନ୍ତଃପୁର ବାସିନୀଙ୍କପାଇଁ 

ଥିଲା ସ୍ବତନ୍ତ୍ର ବିଧାନ।


ଝିନ୍ନ ପରଦାର ଅନ୍ତରାଳେ ବସି 

ଦେଖୁଥିଲେ ଅନ୍ତେବାସୀ,

ସ୍ବର୍ଣ୍ଣ ସିଂହାସନେ ବସିଥିଲେ ରାଜା 

ଧୃତରାଷ୍ଟ୍ର କୁରୁବଂଶୀ।


ପ୍ରାଙ୍ଗଣର ଚତୁର୍ପାଶ୍ୱ ସୁରକ୍ଷିତ,

ପ୍ରବେଶ ଦ୍ବାରେ ତୋରଣ,

ସ୍ବାଗତ ନିମିତ୍ତ ସୁସଜ୍ଜିତହୋଇ 

ଦିଶୁଥିଲା ମନୋରମ।


ଗହ ଗହ ଶବ୍ଦେ କମ୍ପିଲା ପ୍ରାଙ୍ଗଣ 

ଆସନ୍ତେ ରାଜକୁମାରେ,

ନିଜ ଅସ୍ତ୍ରଶସ୍ତ୍ରେ ସଜ୍ଜିତ କୁମାରେ

ବସିଲେ ସ୍ବଆସନରେ।


କୃପାଚାର୍ଯ୍ୟ କଲେ ଘୋଷଣା ଉତ୍ସବ 

ଆରମ୍ଭ କରିବାପାଇଁ,

ଗୁରୁଙ୍କ ପାଦରେ ନମିଲେ କୁମାରେ 

ଏକ ପରେ ଏକ ଯାଇ।


କଲେ ପ୍ରଦର୍ଶନ ଆଗେ ଦୁର୍ଯ୍ୟୋଧନ 

ଗଦା ଯୁଦ୍ଧର ପଟୁତା,

ତହୁଁ ଦେଖାଇଲେ ମଲ୍ଲ ଗଦାଯୁଦ୍ଧ 

ଭୀମ ଭୀମ-ବଳବନ୍ତା।


ଯୁଧିଷ୍ଠିଙ୍କ ଭାଲଯୁଦ୍ଧ,ନକୁଳଙ୍କ 

କୁନ୍ତ ଚାଳନା ଚାତୁରି,

ସହଦେବଙ୍କର ଅସି ଚାଳନାର 

ପ୍ରଶଂସା ମୁଖେ ସବୁରି।


ଦିବା ଦ୍ବିପ୍ରହର ପର୍ଯ୍ୟନ୍ତ କୁମାରେ

ପ୍ରଦର୍ଶନ କଲେ ଖେଳ,

ବିସ୍ମିତ କରିଲା ସମସ୍ତ କ୍ରୀଡାରୁ

ପାର୍ଥଙ୍କ ଧନୁ କୌଶଳ।


ମେଘବାଣ ତେଜି ରଚିପାରୁଥିଲେ 

ଧନଞ୍ଜୟ ଅନ୍ଧକାର,

ପୁଣି ନେଉଥିଲେ ଉଡାଇ ସେ ମେଘ 

ପଠାଇ ବାୟବ୍ୟ ଶର।


ଅଗ୍ନିବାଣ ତେଜି ସୃଷ୍ଟି କରୁଥିଲେ 

ଲହ ଲହ ଶିଖା ପାର୍ଥ,

ଜଳବାଣେ ବୀର ସେ ଅଗ୍ନିଶିଖାକୁ 

କରୁଥିଲେ ନିର୍ବାପିତ।


'ସାଧୁ ସାଧୁ' ଶବ୍ଦେ କମ୍ପିଲା ପ୍ରାଙ୍ଗଣ,

ଦୁର୍ଯ୍ୟୋଧନ ଈର୍ଷାଭରେ,

ଦନ୍ତ କଡମଡ କରୁଥିଲା ବସି 

ସ୍ବ ସୋଦର ଗହଣରେ।


ଏ ସମୟେ ଏକ ଅଦ୍ଭୁତ ଘଟଣା 

ଘଟିଲା ସ୍ପର୍ଦ୍ଧା ପ୍ରାଙ୍ଗଣେ,

ଦ୍ବାରଦେଶେ ଉଭା ଦେବୋପମକାନ୍ତି 

ଅପୂର୍ବ ଯୁବକ ଜଣେ।


ଆଜାନୁ ଲମ୍ବିତ ବାହୁରେ ଶୋଭିତ 

ଜ୍ୟୋତିର୍ମୟ ଦିବ୍ୟ ଧନୁ,

ତୂଣୀରେ ପୂରିତ ଶାଣିତ ବାଣ,ତା 

ତେଜ ନିର୍ଗମିତ ତନୁ।


ପୃଷ୍ଠେ ଶୋଭାପାଏ ବିଶାଳ ଫଳକ 

କଟିଭାଗେ ଝୁଲେ ଅସି,

କର୍ଣ୍ଣରେ ମକର କୁଣ୍ଡଳ,ବକ୍ଷରେ 

କବଚ ଉଠେ ଝଲସି।


ଗୁରୁ,ଗୁରୁଜନେ କରି ନମସ୍କାର 

ପାର୍ଥକୁ ଚାହିଁ ବୋଲଇ,

କଲ ଯେଉଁ ବିଦ୍ୟା ପ୍ରଦର୍ଶନ ତାହା

ତୃଚ୍ଛ ଅଟେ ମୋହ ପାଇଁ।


ଶୁଣି ଆସ୍ଫାଳନ,ପଚାରିଲେ ଦ୍ରୋଣ

"କିଏ ହେ ତୁମ୍ଭେ ନିର୍ବୋଧ?

ପ୍ରଦର୍ଶନ କଲେ ସିନା ତୁମ୍ଭ ବିଦ୍ୟା 

ହେବ ଆମ୍ଭ ହୃଦବୋଧ।"


ଅନୁମତି ନେଇ ଯୁବା ପ୍ରଦର୍ଶଇ

ଅଦ୍ଭୁତ ରଣ କୌଶଳ,

ପ୍ରତି ପ୍ରଦର୍ଶନ ଅର୍ଜୁନ ସହିତ 

ହେଉଥିଲା ସମତୁଲ।


ଆଶ୍ଚର୍ଯ୍ୟହୋଇଲେ ସର୍ବେ,ଦୁର୍ଯ୍ୟୋଧନ 

ମନହୋଇଲା ଉତ୍ଫୁଲ୍ଲ,

ଆନନ୍ଦ ଉଲ୍ଲାସେ ଧାଇଁଯାଇ ପାଶେ 

ବନ୍ଧୁ ବୋଲି କଲା କୋଳ।


ବୋଇଲା ଯୁବକ,"ହେ କୁରୁ ନାୟକ 

ନାମ ଅଟେ ମୋର କର୍ଣ୍ଣ,

ତୁମ୍ଭର ବନ୍ଧୁତା ଯଥେଷ୍ଟ ମୋପାଇଁ ,

ଲୋଡାନାହିଁ ଧନ,ଧାନ୍ୟ।


ଚାହେଁ ମୁ ତୁମ୍ଭର ଘନିଷ୍ଠ ମିତ୍ରତା,

ଏହି ମୋର ଅନୁରୋଧ,

ଅନୁମତି ଦେଲେ ଗୁରୁଜନ, ପାର୍ଥ 

ସଙ୍ଗେ ମୁଁ କରିବି ଯୁଦ୍ଧ।"


ବନ୍ଧୁସ୍ନେହେ ପୂର୍ଣ୍ଣ,ଦୁର୍ଯ୍ୟୋଧନ ମନ,

କହେ ଆଲିଙ୍ଗନ କରି,

"ଆଜହୁଁ ତୁମ୍ଭେ ମୋ ପ୍ରିୟତମ ମିତ୍ର 

ଅଟ ହେ ବୀର କେଶରୀ"।


ଦେଖି ଏହି ଭାବ ତୃତୀୟ ପାଣ୍ଡବ 

କ୍ରୋଧରେ ହୋଇ ଅସ୍ଥିର,

ବୋଲେ"କିଏ ତୁମ୍ଭେ ଅନାହୂତପ୍ରାଣୀ 

ପାର୍ଥକୁ ଆହ୍ବାନକର?


ରଣ ଭିକ୍ଷା କର ନଲାଗେ କି ଡର,

ଅର୍ବାଚୀନ ମୂଢମତି,

ସୂର୍ଯ୍ୟପାଶେ କେବେ ହୁଏ ତୁଳନୀୟ 

ତୁଚ୍ଛ ଖଦ୍ୟୋତର ଜ୍ୟୋତି?


ବୋଲେ କର୍ଣ୍ଣ"ଏହା ଉନ୍ମୁକ୍ତ ପ୍ରାଙ୍ଗଣ,

ନୁହେଁ ଖାଲି ତୁମ୍ଭପାଇଁ,

ରଣ ଯେ ଜିଣିବ ବୀର ବୋଲାଇବ,

ମିଛେ ଗରଜୁଛ କାହିଁ?"


ଦୁଇ ବୀର ହେଲେ ମୁହାଁମୁହିଁ,

ସର୍ବେ ଚାହିଁଛନ୍ତି କୁତୁହଳେ,

କୃପ ଏସମୟେ ନୀତିଗତ ପ୍ରଶ୍ନ 

କର୍ଣ୍ଣ ସମକ୍ଷେ ସ୍ଥାପିଲେ।


"ବୋଇଲେ "ହେ କର୍ଣ୍ଣ ଯା'ସହିତ ରଣ 

କରିବାକୁ ଚାହଁ ବୀର,

ମଧ୍ୟମ ପାଣ୍ଡବ ପୃଥା ନନ୍ଦନ ସେ 

ହସ୍ତିନା ରାଜକୁମାର।


ରାଜପୁତ୍ର ସଙ୍ଗେ ସ୍ପର୍ଦ୍ଧା ଲଢିବାର

ଯୋଗ୍ୟ ଉଚ୍ଚ ବଂଶଧାରୀ,

ତୁମ୍ଭ ପରିଚୟ ଦିଅ ,ତା ନହେଲେ,

ଯାଅ ସ୍ଥାନ ତ୍ୟାଗକରି।"


କୃପ ପ୍ରଶ୍ନ ଶୁଣି କର୍ଣ୍ଣ ବୀରମଣି 

ମଥା ପୋତିଦେଲେ ଧୀରେ,

ଦେଖି ଦୁର୍ଯ୍ୟୋଧନ ତେଜି ସ୍ବଆସନ 

କହେ ଗର୍ଜି କ୍ରୋଧଭରେ।


"ଅଯଥା ଏ ବଂଶ ପରିଚୟ ପ୍ରଶ୍ନ 

କିପାଁ କର ଗୁରୁବର,

କିଏ ନଜାଣିଛି ଜନ୍ମର ବୃତ୍ତାନ୍ତ 

ପଣ୍ଡୁ ପାଞ୍ଚ ଭାଇଙ୍କର?


ପିତୃତ୍ବକୁ ନେଇ ଅନେକ ଅପ୍ରିୟ 

ପ୍ରଶ୍ନ ହୋଇପାରେ ଏଥି,

କିଏ ଧର୍ମସୁତ,କିଏ ବାୟୁପୁତ୍ର 

କେ ଇନ୍ଦ୍ର ପୁତ୍ର ଅଟନ୍ତି।


ଜନ୍ମ ଯାହାହେଉ କର୍ଣ୍ଣ ମହାବାହୁ 

କର୍ମେ କ୍ଷତ୍ରି ଧୁରନ୍ଧର,

ଜନ୍ମ ସିନା ଅଟେ ଦୈବର ଅଧୀନ,

ପୁରୁଷାକାର ନିଜର।"


ମାନଗୋବିନ୍ଦର ଏ ଶ୍ଲେଷ ବଚନେ 

ବୃକୋଦର ଗଲେ କମ୍ପି,

ନିବୃତ କରିଲେ ତାଙ୍କୁ ଯୁଧିଷ୍ଠିର,

ଧୀରେ କନ୍ଧେ ହସ୍ତ ଥାପି।


ତହୁଁ ଦୁର୍ଯ୍ୟୋଧନ ବୋଲେ"ସମାଧାନ

ଅଛି ଗୁରୁଙ୍କ ପ୍ରଶ୍ନର,

ଆଜିଠାରୁ କର୍ଣ୍ଣ ଅଙ୍ଗଦେଶ ରାଜା,

ନିର୍ଣ୍ଣୟ ଏହି ଆମ୍ଭର।


ମୋ ଅଧୀନେ ଅଛି ଯେଉଁ ଅଙ୍ଗଦେଶ,

ତାହାର ସେ ଦଣ୍ଡଧର,

ଅଙ୍ଗଦେଶ ରାଜା ସଙ୍ଗେ ସ୍ପର୍ଦ୍ଧାପାଇଁ 

କି ବାଧା ଧନଞ୍ଜୟର?"


କର୍ଣ୍ଣ ମସ୍ତକରେ ମୁକୁଟ ପିନ୍ଧାଇ 

ଦେଇ କୁରୁ ଯୁବରାଜ,

ଧୃତରାଷ୍ଟ୍ରଠାରୁ ନେଇ ଅନୁମତି 

କରେ ଅଭିଷେକ କାର୍ଯ୍ୟ।


ଯୁଦ୍ଧ କରିବାକୁ ଧନଞ୍ଜୟ ସଙ୍ଗେ 

କର୍ଣ୍ଣ ହୁଅନ୍ତି ଉଦ୍ୟତ,

ସୂତ ଅଧିରଥ ସଭାସ୍ଥଳେ ଆସି 

ପହଞ୍ଚିଲେ ଅକସ୍ମାତ।


ପୁତ୍ରର ମସ୍ତକେ ଦେଖିଣ ମୁକୁଟ 

ଆନନ୍ଦେ ଝରାଇ ଲୁହ,

ଆଲିଙ୍ଗନ କଲେ ଅଧିରଥ ପୁତ୍ରେ,

ବୁକୁରୁ ଉଠଇ କୋହ।


ପିତାଙ୍କର ପାଦଧୁଳି ଲଗାଇଲେ 

କର୍ଣ୍ଣ ତକ୍ଷଣେ ମସ୍ତକେ,

କପାଳ ଚୁମ୍ବନ କଲେ ଅଧିରଥ 

ମନ ଆନନ୍ଦ ପୁଲକେ।


ଦେଖି ଏ ସମସ୍ତ ଭୀମ ବଳବନ୍ତ 

ଉଚ୍ଚେ କଲେ ହର୍ଷଧ୍ବନୀ,

ବୋଇଲେ "ଏହାର ଜନ୍ମର ବୃତ୍ତାନ୍ତ 

ଜଣାଗଲା ହେ ଫାଲ୍ଗୁନୀ।


ସୂତପୁତ୍ର ଏ ତ ତୁମ୍ଭସଙ୍ଗେ ରତ,

ହେବ କେହ୍ନେ ଯୁଦ୍ଧେ ବୀର?

ଏ ତ ରାଧାପୁତ୍ର,କେମନ୍ତେ ହେ ଭ୍ରାତ 

ହେଲା ଅଙ୍ଗ ନରବର?"


"ଏବେ ଅଙ୍ଗରାଣ ସଙ୍ଗେ କର ରଣ 

ଆହେ ଇନ୍ଦ୍ରଙ୍କ ନନ୍ଦନ",

ବୋଲି ଡାକେ ଦୁର୍ଯ୍ୟୋଧନ,ଶୁଣି ପାର୍ଥ 

ଉଭା ତୋଳି ଧନୁର୍ବାଣ।


ଯୋଗକୁ ଏକାଳେ ପଶ୍ଚିମ ଆକାଶେ 

ସୂର୍ଯ୍ୟ ହୋଇଗଲେ ଅସ୍ତ।

ସ୍ପର୍ଦ୍ଧା ହେଲା ଶେଷ,ମହାଦୁଃଖେ କର୍ଣ୍ଣ 

ରହିଲେ ହୋଇ ନିରସ୍ତ।


ମନେପଡେ ଆଜି କୁନ୍ତୀଙ୍କର ସେହି 

ବିଗତ ଦିନର କଥା,

ଦେଖି ରାଧେୟଙ୍କୁ ସେଦିନ ତାଙ୍କର 

ଘୂରିଯାଇଥିଲା ମଥା।


ରାଜପୁରେ ଫେରି ଅଶ୍ରୁ ଝରାଇଲେ 

କୁନ୍ତୀ କର୍ଣ୍ଣ କଥା ଝୁରି,

କବଚ,କୁଣ୍ଡଳ ଦେଖି ଜାଣିଲେ ସେ 

ପ୍ରଥମ ପୁତ୍ର ତାଙ୍କରି।


କ୍ରମଶଃ.......


Rate this content
Log in

Similar oriya poem from Classics