ଭଲ ମଣିଷ ଟେ ହୁଅ
ଭଲ ମଣିଷ ଟେ ହୁଅ
ଲେଖି ପାରୁନାହିଁ ଆଉ ମୁଁ କବିତା
ଆସୁନି ଶବ୍ଦର ଜୁଆର
ଯୁଆଡେ ଚାହିଁଲେ କରୋନା ର କାୟା
ଲମ୍ବାଇଛି ତାର ବିଶାଳ ଚେର ।
କେଉଁଠି କାନ୍ଦୁଛି ସ୍ତ୍ରୀ ମୁଣ୍ଡ କୋଡି
କେଉଁଠି କାନ୍ଦୁଛି ଝିଅ
ପୁଅକୁ ହରାଇ ଆକୁଳ ଅନ୍ତର
ମାଆର ଶୁଖୁନି ଲୁହ ।
ଦେଖି ପଢି ସବୁ ଏ ବିକଳ ଚିତ୍ର
ହୃଦୟଟା ହୋଇଯାଏ ଅସ୍ଥିର
ଆସେନାହିଁ ହୃଦେ ଭାବର ସମ୍ଭାର
ସଜାଇ ପାରେନା କବିତା ସାର ।
ଅଢେ଼ଇ ଦିନର ସଂସାର ହାଟ ଏ
ଦିନେ ହେଲେ ସରିଯିବ
ହାଟର ସଉଦା ବାଟରେ ସରିଲେ
ସେଠି ଲେଉଟାଣି ହେବ ।
ସବୁ କିଛି ଜାଣିଛି ଏ ମୁଢ଼ ମଣିଷ
ତଥାପି ସ୍ୱାର୍ଥରେ ଅନ୍ଧ
ପର ପେଟ ଲୁଟି ନିଜ ପାଇଁ ସିଏ
ଧନ ଠୁଳ କରି ବାନ୍ଧୁଛି ବନ୍ଧ ।
ପରିବର୍ତ୍ତନ ର ସମୟ ଆସିଛି
ହୁଅ ବନ୍ଧୁ ସଚେତନ
ଦୁଃଖୀର ଦୁଃଖରେ ସମଦୁଃଖୀ ହୁଅ
ସୃଷ୍ଟି କର ନିଜ ସ୍ଥାନ ।
ଯେତେ ବି ସମ୍ପତି ଠୁଳ କରିଥିବ
ଆଉ କାହା ତଣ୍ଟି ଚିପି
ତୁମ ଶବ ସହ କିଛି ବି ଯିବନି
ଖାଲି ସମୟ ରହିବ ସାଖୀ ।
ଭଲ ମଣିଷ ଟେ ହୋଇ ଥିବ ଯଦି
ଲୋକଙ୍କ ହୃଦୟେ କରିବ ଘର
ଶରୀର ଟା ତୁମ ପାଉଁଶ ହେଲେବି
ନାମ ହୋଇଯିବ ଚିର ଅମର ।
