ଭକ୍ତର ଭଗବାନ
ଭକ୍ତର ଭଗବାନ


ଶୁଣ ଭକ୍ତଗଣ ଦେଇ ମନ କର୍ଣ୍ଣ
ରଘୁ ଭକ୍ତି କଥା ମନ ଦେଇ ଶୁଣ।
ସେହୁ ମତ୍ସ୍ୟଜୀବୀ ଜୀବିକା ତାହାର
ଜାଣେ ଜୀବ ହତ୍ୟା ପାପର ଭଣ୍ଡାର।
ଜୀବ ହତ୍ୟା ହେବ ଭାବିଣ ମନରେ
ମାଛଧରା କାର୍ଯ୍ୟ କରେନି କର୍ମରେ।
ପରିବାର ତାର ଦରିଦ୍ର ଅପାର
ଜୀବନ ବ୍ୟତୀତ ହୁଏ କଷ୍ଟକର।
ହୁଅନ୍ତି ବିରକ୍ତ ପତ୍ନୀ ମାତା ତାର
ମାରି ଆଣ ମାଛ ଚଳିବ ସଂସାର।
ଜାଲ ଘେନି ଯାଏ ସମୁଦ୍ରକୁ ନିତ୍ୟେ
ବସି ଥାଏ ତୁଠେ ଚିନ୍ତା ଓ ଚିନ୍ତିତେ।
ମୁହିଁ ମତ୍ସ୍ୟଜୀବୀ ଜୀବିକା ମୋହର
ହେବ ଜୀବ ହତ୍ୟା କଲେ ତା ବ୍ୟପାର।
ଜୀବ ହତ୍ୟା ପାପ ଅତି ଭୟଙ୍କର
କିମ୍ପା କଲୁ ପ୍ରଭୁ ଜୀବିକା ମୋହର ।
ବିନା ମାଛ ଧରି ଘରକୁ ଆସୁଛି
ମାତାପତ୍ନୀ ଗାଳି ନିତ୍ୟେ ସେ ଶୁଣୁଛି।
ମାତା କୁହେ ପୁତ୍ର ମାଛ ନ ଆଣିଲୁ
ଗୃହ ପାଇଁ ଧ୍ୟାନ ତିଳେ ତୁ ନ ଦେଲୁ।
କିପରି ଟି ତୋର ଏ ଗୃହ ଚଳିବ
କାର୍ଯ୍ୟ ମାଛଧରା ଜୀବିକା ଗୌରବ।
ପତ୍ନୀ ମାତା କଥା ଯନ୍ତ୍ରଣା ଅପାର
ମନମଧ୍ୟେ କରେ ପୁଣି ସେ ବିଚାର।
ଅଛନ୍ତି ଦୁଃଖରେ ପତ୍ନୀମାତା ମୋର
ମାରିବି ମୁଁ ମାଛ ନହୋଇ କାତର।
ଦଶ କୋଷ ଦୂର ବଡ଼ଦେଉଳରୁ
କାଳିଆର ଧ୍ୟାନ କରୁଛି ଗୃହରୁ।
ଜାଲ ଧରି ଭକ୍ତ ସମୁଦ୍ର କୁ ଗଲା
ମାଛଧରା ଜାଲ ମେଲେଇ ସେ ଦେଲ ।
ଲାଗିଲା ଜାଲରେ ଦେଖେ ଲାଲ୍ ମାଛ,
ରାବ୍ ଜଗନ୍ନାଥ ଦିଏ ସେହୁ ମାଛ।
ଆଶ୍ଚର୍ଯ୍ୟ ହୋଇଲା ଶୁଣି ତାର ରାବ୍
ହୃଦେ ଗୁଞ୍ଜେ ତାର ଜଗନ୍ନାଥ ରାବ୍।
ପ୍ରଭୁ ରାବ୍ ଦିଏ ଏହୁ ଲାଲ୍ ମାଛ
ନ ମାରିବି ମୁହିଁ ପ୍ରଭୁ ଏହୁ ମାଛ।
ଧରି ସେହୁ ମାଛ ଜଙ୍ଗଲକୁ ଗଲା
ଝରଣା ନିକଟେ ପୁଷ୍କରିଣୀ ଥିଲା।
ମାଛ ଛାଡି ଦେଲା ସେ ପୁଷ୍କରିଣୀରେ
ବସି ଗଲା ତୁଠେ କାଳିଆ ଭକ୍ତିରେ।
ତିନି ଦିନ ହେଲା ବସିଛି ଭକ୍ତିରେ
ଅନାହାରେ ତହିଁ ପ୍ରଭୁଙ୍କ ଭକ୍ତିରେ।
ବୃଦ୍ଧ ବ୍ୟକ୍ତି ଜଣେ ଦେଖିଲେ ତାହରେ
କାହିଁ ପାଇଁ ରଘୁ ବସିଛୁ ତୁଠରେ।
ଘଟଣା ସମସ୍ତ ବୃଦ୍ଧକୁ କହିଲା
କଲି ଅପରାଧ ବଲି ସେ କହିଲା।
ତିନି ଦିନ ହେଲା ଘର ଯାଇ ନାହିଁ
ଭକ୍ତି ଜଗନ୍ନାଥେ କରୁଅଛି ମୁହିଁ।
କାହିଁ ପାଇଁ ତୁହି ମାଛକୁ ଛାଡ଼ିଲୁ
ଗୃହ କଥା ଚିନ୍ତା ତିଳେ ନ କରିଲୁ।
କେଉଁ କଥା କୁହ ହେ ବୃଦ୍ଧ ପ୍ରବର
ଜୀବ ହତ୍ୟା ପରା ପାପର ସାଗର।
ଜଗନ୍ନାଥ ରାବ୍ ଗୁଞ୍ଜେ ତା ମୁଖରୁ
ବୁଝି ହେଉ ନାହିଁ ପ୍ରଭୁଙ୍କ ନୀଳାରୁ।
ବୃଦ୍ଧା ନୁହେଁ ସେହୁ ପ୍ରଭୁ ଜଗନ୍ନାଥ
ଦର୍ଶନ ପାଇଲା ରଘୁ ବିଶ୍ବନାଥ।
ଘର ଯାଅ ଭକ୍ତ ହୋଇ ଆନନ୍ଦିତ
ଖୋଜୁଛନ୍ତି ଗୃହେ ଚିନ୍ତା ଆତୁରିତ।
ପରମ ଭକତ ଅଟୁ ଆରେ ରଘୁ<
/p>
ନାମ କଳିଯୁଗେ ଗୁଞ୍ଜୁ ରଘୁ ରଘୁ।
ନହୁ ଅନ୍ନ କଷ୍ଟ ହୋଇ ଯିବ ଦୂର
ପରମ ଭକତ ଅଟୁ ତୁ ମୋହର।
ଦର୍ଶନ ପାଇସେ ରଘୁ ଧନ୍ୟ ହେଲା
ପ୍ରଭୁ ନିର୍ଦ୍ଦେଶେ ରଘୁ ଘରକୁ ଗଲା।
ଦେଖି ଗୃହ ଜନ ହେଲେ ସେ ଆନନ୍ଦ
ରଘୁ ଦେଖିଲା ମାତ ପତ୍ନୀ ଆନନ୍ଦ।
ରୋଗ ଭଲ ହୁଏ ରଘୁ ଛୁଇଁ ଦେଲେ
ସତ୍ୟ ହୁଏ ସବୁ ରଘୁ କହିଦେଲେ।
ଦୁଃଖ କଷ୍ଟ ଗଲା ରଘୁ ଆନନ୍ଦିତ
କରେ ଭକ୍ତି ରଘୁ ହୋଇ ଭକ୍ତିଚିତ।
ପୁରୀ କ୍ଷେତ୍ରେ ପରା ବ୍ରହ୍ମାଣ୍ଡ ଠାକୁର
କଳିଯୁଗେ ପ୍ରଭୁ ପୁରୀ ନିରାକର।
ବାୟୁ ଦିଗେ ଉଡେ ବାନା ନୀଳଚକ୍ର
ଦେଖୁ ଥାଏ ଭକ୍ତ ପ୍ରଭୁ ନୀଳଚକ୍ର।
ଅସମ୍ଭବ ହୁଏ ସମ୍ଭବ ଟି ତହିଁ
ସାକ୍ଷାତ ପ୍ରଭୁଙ୍କୁ ମହିମା ଟି ଯହିଁ।
ସ୍ବପ୍ନରେ କହିଲେ ରଘୁ ଅରକ୍ଷିତେ
କରିବି ଭୋଜନ ତୋର ଗୃହ କ୍ଷେତ୍ରେ।
ତୋର ଘରେ କାଲି ଭୋଜନ କରିବି
ରୋଷେଇ କରିବୁ ଅତି ଯତ୍ନ କରି।
କୁହେ ରଘୁ ତାର ପତ୍ନୀକୁ ମଧୁରେ
ସାର ନିତ୍ୟକର୍ମ ଶୀଘ୍ରରେ ଆଜରେ ।
ଘରେ ଜଗନ୍ନାଥ କରିବେ ଭୋଜନ
ସ୍ବାଦିଷ୍ଟ ବ୍ୟଞ୍ଜନ କରହେ ରନ୍ଧନ।
ଶୁଣି ସ୍ବାମୀକଥା ପତ୍ନୀ ହସହସ
କି କହୁଛ ସ୍ବାମୀ ଲାଗୁ ଅଛି ହସ।
ସ୍ବପ୍ନ କଥା ରଘୁ ପତ୍ନୀ କୁ କହିଲା
ଭକ୍ତି ପ୍ରେମେ ପତ୍ନୀ ରନ୍ଧନ କରିଲା।
ବଡ଼ଦେଉଳରେ ନାହିଁ ଜଗନ୍ନାଥେ
ଆଶ୍ଚର୍ଯ୍ୟ କଲେ ଟି ଜଗତର ନାଥେ।
କହିଲେ ରାଜାଙ୍କୁ କରିଣ ରୋଦନ
ନାହିଁ ଦେଉଳରେ ପ୍ରଭୁ ନିରଞ୍ଜନ।
ରାଜା ମନକଷ୍ଟେ ଆସିଲେ ମନ୍ଦିର
କେଉଁ ଅପରାଧ କଲି ନିରାକର।
ପ୍ରଭୁ କହିଲେ ଟି ଶୁଣହେ ରାଜନ
କରି ନାହୁ କିଛି ଦୋଷରେ ରାଜନ।
ରଘୁ ଘରେ ମୁହିଁ କରିବି ଭୋଜନ
ହୋଇଲେ ଆଶ୍ଚର୍ଯ୍ୟ ଶୁଣି ତା ରାଜନ।
ରାଜା ରଘୁଘରେ ଧାଇଁଧାଇଁ ଗଲେ
ରଘୁର ହସ୍ତରୁ ଖାଇବା ଦେଖିଲେ।
ପତ୍ନୀ ବାଢେ ଅନ୍ୟ ରଘୁ ତା ଖୁଆଏ
ଅପୂର୍ବ ଦୃଶ୍ୟକୁ ରାଜା ଦେଖୁ ଥାଏ।
ଧନ୍ୟ ମହାପ୍ରଭୁ ଦିଅ ହେ ଦର୍ଶନ
କେଉଁ ପାପୁ ପ୍ରଭୁ ନ ଦିଅ ଦର୍ଶନ।
ରାଜା ଭକ୍ତିଜାଣି ଦେଲେ ଟି ଦର୍ଶନ
ରଘୁ ପତ୍ନୀ ରାଜା କଲେଟି ଦର୍ଶନ।
ରାଜାକୁ କହିଲେ ପ୍ରଭୁ ଜଗନ୍ନାଥ
ରଘୁକୁ ଆଣି ହେ ରଖ ତୁମ ସାଥ।
ରାଜ ଉଆସରେ ରଖିବି ରଘୁକୁ
ନିତି ଦିନ ପ୍ରଭୁ ପୂଜିବି ରଘୁକୁ।
ତ୍ରେତୟାର ପରା ଭକ୍ତ ହନୁମତ,
ଦ୍ବାପର ଯୁଗେ ସଖା ଅର୍ଜୁନ ଭକ୍ତ।
କଳିଯୁଗେ ପ୍ରଭୁ ରଘୁ ତୋର ଭକ୍ତ
ଭକ୍ତଙ୍କର ଭକ୍ତ ରଘୁ ଶ୍ରେଷ୍ଠ ଭକ୍ତ।
ରଘୁ ଭକ୍ତିକଥା କରିଲେ ଶ୍ରବଣ
ମନବାଞ୍ଛା ଭକ୍ତେ ହୁଅଇ ପୁରଣ।
ପ୍ରେମ ଭକ୍ତି ଶ୍ରଦ୍ଧା ମନରେ ଶ୍ରବଣ
ହୁଏ ପାପ ତାପ ତହିଁ ନିବାରଣ ।