ଭକ୍ତ ସାଲବେଗ
ଭକ୍ତ ସାଲବେଗ
ଚାଲି ନପାରିଲା ଭକତ ତୁମର
ସାତଶ ପଚାଶ କୋଶ ।
ବାଟମଙ୍ଗଳାଠୁ ଆତୁରେ ଡାକିଲା
ରଖାଇଲ ନନ୍ଦିଘୋଷ ।୧।
ଆସି ମେଘମାଳ ବରଷିଲେ ଜଳ
ଜଳାର୍ଣ୍ଣବ ଦଡଦାଣ୍ଡ ।
ଚାରିଦିନ ଯାଏଁ ନଗଡିଲା ରଥ
କଲ କେଡେ ବଡ କାଣ୍ଡ ।୨।
ରଥରେ ଦେଖିବେ ଚକାନୟନଙ୍କୁ
ମାନସିକ ଭକତର ।
କରିଲ ପୂରଣ ଭକତ ଜୀବନ
ଭକ୍ତ ଗଡିଲା ଦାଣ୍ଡର ।୩।
ଶୁଖିଗଲା ଜଳ ଲାଗିଲା ଗହଳ
ହେଲା ତୁମ ଘୋଷଯାତ ।
ଭକ୍ତ ସାଲବେଗ ନାମ ସେ ଦିନରୁ
ହୋଇଲା ଜଗତେ ଖ୍ୟାତ ।୪।
ତୁମରି କୃପାରୁ ଦିନେ ସେ ମୁକତ
ହୋଇଥିଲେ ବାଧିକାରୁ ।
ତୁମ ଶ୍ରୀପୟରେ ପଶିଲେ ଶରଣ
ବିଶ୍ବାସେ ମାତୃ କୃପାରୁ ।୫।
ମାତା ଯା ବ୍ରାହ୍ମଣୀ ଲଳିତା ଯା ପିତା
ଲାଲବେଗ ଯେ ଯବନ ।
ଭକ୍ତ ସାଲବେଗ ତୁମରି ଭକତ
ରଚିଲେ ତୁମ ଭଜନ ।୬।
ଅନେକ ଜଣାଣ ସୃଷ୍ଟି ସେ କରିଲେ
ମନ୍ଦିର ଥିଲା ବାରଣ ।
ସତେ ସେ ତୁମରି ପାଶେ ରହିଛନ୍ତି
ପାଇ ଦିବ୍ଯ ଦରଶନ ।୭।
ଧନ୍ୟ ଜଗନ୍ନାଥ ଧନ୍ୟ ସେ ଭକତ
ତୁମରି ନାମକୁ ଗାଇ ।
ଭକ୍ତ ସାଲବେଗ ହୋଇଲେ ଭକତ
ବଇଷ୍ଣବ ଦୀକ୍ଷା ନେଇ ।୮।
ଭକତଙ୍କ ସ୍ମୃତି ଚିର ବିଦ୍ୟମାନ
ତାଙ୍କ ସ୍ମୃତିପୀଠ ଠାରେ ।
ନନ୍ଦିଘୋଷ ରଥ ଏବେ ବି ଅଟକେ
ବଳଗଣ୍ଡି ନିିକଟରେ ।୯।
