ଭକ୍ତ ହନୁମାନ
ଭକ୍ତ ହନୁମାନ
ଭକତ ପ୍ରବର ହନୁମାନ ବୀର
ଅପ୍ରମିତ ତୁମ ବଳ।
ଶରୀରର ତେଜ ସ୍ଵର୍ଣ୍ଣାଦ୍ରି ପରାୟ
ନାଶକର ଖଳ ବଳ ।
ଜ୍ଞାନୀ ଅଗ୍ରଗଣ୍ୟ ପବନନନ୍ଦନ
ଅଞ୍ଜନା ମାତା ତନୟ।
ସକଳ ଗୁଣର ଅଧିକାରୀ ତୁମେ
ଭକତଙ୍କର ଆଶ୍ରୟ ।
ରଘୁପତିଙ୍କର ଭକତ ପ୍ରବର
ଆହେ ବାନର ଶେଖର।
ସୁଗ୍ରୀବେ ମଇତ୍ର କରାଇଲ ତୁମେ
ଭେଟାଇଲ ରଘୁବୀର ।
ସୀତା ଠାବ କଲ ଅଶୋକ ବନରେ
ରତ୍ନମୁଦି ତାଙ୍କୁ ଦେଲ ।
ଅକ୍ଷୟ କୁମାର ବିନାଶ କରିଲ
ଲଙ୍କାଗଡ ଜାଳିଦେଲ ।
ରାମ କାର୍ଯ୍ୟ ପାଇଁ ଆଗଭର ହୋଇ
ତୁମେ ଭକ୍ତ ହନୁମାନ ।
ବିଶଲ୍ୟକରଣୀ ଖୋଜି ଦେଲ ଆଣି
ରଖିଲ ଲକ୍ଷ୍ମଣ ପ୍ରାଣ ।
ପବନ ସମାନ ଗତି ତ ତୁମର
ଆହେ ଭକ୍ତ ହନୁମାନ ।
ଅଷ୍ଟ ଚିରଞ୍ଜିବୀ ମଧ୍ଯେ ପୂଣ୍ୟଶ୍ଳୋକ
ହୋଇଥାଅ ତୁମେ ଗଣ୍ୟ।
ଅଷ୍ଟସିଦ୍ଧି ନବନିଧି ଦାତା ତୁମେ
ନାମ ଶୁଣିଲେ ତୁମର ।
ଭୂତ ପ୍ରେତ ଆଦି ପାଶରେ ନରହି
ହୋଇଥାନ୍ତି ସର୍ବେ ଦୂର ।
ବୁଦ୍ଧି ବିବେକ ବିଜ୍ଞାନର ନିଧାନ
ତୁମେ ଭକ୍ତ ହନୁମାନ ।
କେଉଁ କାର୍ଯ୍ୟ ଅବା ହୁଅଇ କଠିନ
ଲଭିଲେ ତୁମ କଲ୍ୟାଣ ?
ସଜୀବ ଦେବତା ଏ କଳିରେ ତୁମେ
ପ୍ରଭୁଭକ୍ତ ହନୁମାନ ।
ହୃଦେ ମୋ ବିରାଜ ଆହେ କପିରାଜ
କରିବ ମୋର କଲ୍ୟାଣ ।
