ଭକ୍ତ ବଳରାମ ଦାସ
ଭକ୍ତ ବଳରାମ ଦାସ
ଜୟ ପ୍ରଭୁ ଜଗନ୍ନାଥ ଭକତ ଜୀବନ
କୃପା କର ଏ ଭକ୍ତକୁ ତୋଳି କିଛି ଜ୍ଞାନ ।
ତୁମରି ଭକତ ଜଣେ ବଳରାମ ଦାସ
ତାଙ୍କ ଗୁଣ ବର୍ଣ୍ଣିବାକୁ ମନେ ଅଭିଳାଷ ।
ସପନେ ଦେଖିଲି ମୁହିଁ ଭଗ୍ନ ଏକ ଘରେ
ପ୍ରଦୀପ ଜଳୁଛି ଯେହ୍ନେ ମିଞ୍ଜି ମିଞ୍ଜି ତାରେ ।
ଗବାକ୍ଷେ ଆଘାତ ଦେଇ ବୋଲେ କ୍ଷୀଣ ସ୍ଵରେ
କିଏ ସେ ବସିଛି ତୁମେ ନିଭୃତ କୋଣରେ ।
ଅସ୍ପଷ୍ଟ ଶଦ୍ଦ ଝଙ୍କୃତ ହୁଏ ପ୍ରତିଧ୍ୱନି
ଘୁରାଇ ଆଣିଲି ମୋର ସନ୍ଦେହ ଚାହାଁଣି ।
ଯାହା ମୁଁ ଦେଖିଲି ବୁଦ୍ଧି ହଜି ଗଲା ମୋର
ଅସ୍ଥି ଆଭୂଷଣ ଯେହ୍ନେ ସର୍ବାଙ୍ଗ ଶରୀର ।
ଆଖିରେ ଧରିବ ସତେ ପୋଷଟେ ଚାଉଳ
ପ୍ରଭୁ ପ୍ରୀତି ଚିତ୍ତ ଯେହ୍ନେ ଭକ୍ତିରେ ଆକୁଳ ।
କର ଯୋଡ଼ି ବୋଲଇ ମୁଁ ଦିଅ କିଛି ଜ୍ଞାନ
ଅପାର କରୁଣା ବଳେ ଭକତେ ଗଣନ ।
ବେନି ନେତ୍ର ସିକ୍ତ ପ୍ରାୟେ ହୋଇ ଛଳଛଳ
ବସ ପୁତ୍ର କହିବି ମୁଁ ଗଡି ଯାଏ ବେଳ ।
ପଞ୍ଚ ସଖା ମଧ୍ୟେ ସ୍ଥାନ ତୁଛ ଏଇ ପ୍ରାଣ
ପ୍ରଭୁଙ୍କ କୃପାରୁ ଲେଖା ମୋ ଦାଣ୍ଡି ପୁରାଣ ।
ମୃଗୁଣୀ ସ୍ତୁତି କୁ ଆଣେ ଏଇ ମୋର ଜ୍ଞାନ
ଶ୍ରୀକ୍ଷେତ୍ର ଗୋସାଇଁ ପାଇଁ ମନ ମୋ ଉଚ୍ଛନ୍ନ ।
ଲକ୍ଷ୍ମୀ ପୁରାଣ ଲେଖାକୁ ଗୃହିଣୀଙ୍କ ପାଇଁ
ଯଦି ନିୟମ ପାଳିବେ କଲ୍ୟାଣ ହୁଅଇ ।
ଆପଣା ଦୋଷରେ ପଡ଼ି ହୁଏ ମୁଁ ଦଣ୍ଡିତ
ଶ୍ରୀକ୍ଷେତ୍ର ଧାମରୁ ମୁହିଁ ହୁଏ ବିତାଡିତ ।
ଭକ୍ତ ଜନ ଦୀନକୃଷ୍ଣ ମନରେ ଚିନ୍ତିତ
କେଉଁ ଆଡେ ଚାଲି ଗଲା ପରମ ଭକତ ।
ମନରେ ବାନ୍ଧିଲେ ଆଣ୍ଟ ଦର୍ଶନ କରିବେ
ରଥ ସଜାଡି ବସିଲେ ମୋ ପାଶେ ଆସିବେ ।
ସଙ୍ଗତେ ଆସିଲେ ମାତ ଦେବୀ କମଳିନୀ
ଦେଖିଣ ବୋଲନ୍ତି ମୋତେ ଶୁଣ ମୋର ବାଣୀ ।
ଗ୍ରାମେ ଜରାଜୀର୍ଣ୍ଣ ଅବସ୍ଥାରେ ତୁହି ଯିବୁ
ଶିରୀକ୍ଷେତ୍ର ମୁହଁ ତୁହି ଆଉ ନଦେଖିବୁ ।
ସ୍ମିତ ହାସ୍ୟେ ବୋଇଲି ମୁଁ ଶୁଣ ମୋର ମାତା
ଏଇ ମୋର ଶ୍ରୀମନ୍ଦିର ଦେଖ ପ୍ରଭୁ ପିତା ।
ଜଗନ୍ନାଥ ମହାପ୍ରଭୁ ଥିବେ ଯେଉଁ ସ୍ଥାନେ
ପରିଣତ ହେଉ ଥାଏ ଶ୍ରୀକ୍ଷେତ୍ରର ନାମେ ।
ମୋର ବାଣୀ ଶୁଣି ପ୍ରଭୁ ଅତି ଆନନ୍ଦରେ
ଧନ୍ୟ ହେଲି ଆଜ ମୁହିଁ ବଳରାମ ପୁରେ ।
ଆତ୍ମହରା ହୋଇ ମୁହିଁ ବୁଜି ଦେଲି ଆଖି
ମୋ ଭାବକୁ ପ୍ରଭୁ ପାଦେ ରଖି ଦେଲି ଲେଖି ।
କିଛି କ୍ଷଣ ଅନ୍ତେ ଯେହ୍ନେ ହୋଇଲା ନିସ୍ତବ୍ଧ
କର୍ଣ୍ଣେ ନବାଜିଲା ଆଉ ଭକ୍ତି ରସ ଶଦ୍ଦ ।
ଜୀର୍ଣ୍ଣଶୀର୍ଣ୍ଣ କୁଟୀରକୁ କରିଲି ପ୍ରଣାମ
ଧନ୍ୟ ହେଲି ହାତେ ପାଇ ଭକ୍ତ ବଳରାମ ।
ବୟୋଜ୍ୟେଷ୍ଠ ବଳରାମ କୀର୍ତ୍ତି ଯେ ଅମାପ
ଲେଖନୀ ଚାଳନେ ଭୂଲେ ମନରୁ ସନ୍ତାପ ।
ଧର୍ମ ତତ୍ତ୍ଵ ଜ୍ଞାନ ଯେତେ ହୁଏ ପରିସ୍ଫୁଟ
ଉତ୍କଳ ମଉଡ ମଣି ଭାବ ଯେ ଅତୁଟ ।