ଭକତ ଭାବରେ ବନ୍ଧା
ଭକତ ଭାବରେ ବନ୍ଧା
ଭକତ ଭାବରେ ବନ୍ଧା ଜଗନ୍ନାଥ
ଏକଥା ନଜାଣେ କିଏ ?
ସହି ନପାରନ୍ତି ଭକତର ଦୁଃଖ
ଭକତ ଜୀବନ ସିଏ ।୧।
ଯାଜପୁରବାସୀ ବନ୍ଧୁ ମହାନ୍ତି ସେ
ପରିବାରବର୍ଗ ନେଇ ।
ସୁଖେ ଦୁଃଖେ ଦିନ କଟୁଥିଲା ତାଙ୍କ
ପ୍ରଭୁଙ୍କର ନାମ ନେଇ ।୨।
ପଡିଲା ଅକାଳ ଆସିଲା ଦୁର୍ଭିକ୍ଷ
କିଛି କାହୁଁ ନମିଳିଲା ।
ପତ୍ନୀ କଲେ ଗାଳି ପରିବାର ସହ
ଶ୍ରୀକ୍ଷେତ୍ରେ ଆସି ମିଳିଲା ।୩।
ଶିରୀମନ୍ଦିରର ପେଜନଳାଠାରେ
କଟାଉଥାଆନ୍ତି ରାତି ।
ଭୋକିଲା ପେଟକୁ କି ନିଦ ଲାଗିବ
ନଶୁଏ ବନ୍ଧୁ ମହାନ୍ତି ।୪।
ଅଧରାତି ହେଲା ଥାଆନ୍ତି ଭୋକିଲା
ଶୁଭିଲା ହେ ବନ୍ଧୁ ମୋର ।
ନିଅ ଏ ପ୍ରସାଦ ଖାଇ ପରିବାର
କ୍ଷୁଧା ନିବାରଣ କର ।୫।
ଏଣେ ତେଣେ ବନ୍ଧୁ ଚାହୁଁଛନ୍ତି କିଏ
କାହାକୁ କହୁଛି ବୋଲି ।
ହେ ଯାଜପୁରିଆ ବନ୍ଧୁ ଭୋଗ ନିଅ
କହି ଦେଲେ ଗଲେ ଚାଲି ।୬।
ସୁବର୍ଣ୍ଣ ଥାଳିରେ ଅନ୍ନ କ୍ଷୀରି ପୁରି
ବିବିଧ ବ୍ୟଞ୍ଜନ ଖାଇ ।
ସପରିବାର ସେ ପେଜନଳା ପାଖେ
ରାତିରେ ପଡିଲେ ଶୋଇ। ୭।
ସୁବର୍ଣ୍ଣର ଥାଳି କାହାକୁ ଦେବେ ସେ
କେଉଁ ପଣ୍ଡା ଥିଲେ ଦେଇ ।
ବୁଝି ନପାରି ସେ ଗଖିଥିଲେ ପାଶେ
ଲୁଗାରେ ତାକୁ ଗୁଡାଇ ।୮।
ରାତି ପାହିଲାରୁ ଶିରୀମନ୍ଦିରରେ
ଖୋଜା ହେଲା ସୁନାଥାଳି ।
ଖୋଜି ନପାଇଲେ ପଣ୍ଡାମାନେ ଆସି
ପେଜନଳାଠାରେ ମିଳି ।୯।
ଦେଖିଲେ ବନ୍ଧୁକୁ ଗୁଡାଗୁଡି କରି
ଲୁଗାରେ ରଖିଛି ଥାଳି ।
ଚୋର ବୋଲି ନେଇ ରାଜାଙ୍କ ପାଶରେ
ଅଭିଯୋଗ କଲେ ମିଳି। ୧୦।
ହୋଇଲା ବିଚାର ରଖ କାରାଗାରେ
ଏ ବଡଚୋରକୁ ନେଇ ।
ଶ୍ରୀଜଗନ୍ନାଥଙ୍କ ସୁବର୍ଣ୍ଣ ଥାଳିକୁ
ଚୋରି କଲା କାହିଁପାଇଁ ।୧୧।
କାରାଗାରେ ନେଇ ରଖିଲେ ରାତିରେ
ରାଜା ଦେଖିଲେ ସପନ ।
ଭକତକୁ ମୋର ମୁଁ ଦେଲି ଆହାର
ତୁ କିପାଁ ଦେଉ କଷଣ ?୧୨।
ତୁରନ୍ତ ତାହାକୁ କାରାମୁକ୍ତ କରି
ସୁବ୍ଯବସ୍ଥା କର ତାର ।
କ୍ଷୁଧା କବଳରୁ ପାଉ ସେ ମୁକତି
ତା ସହ ତା ପରିବାର ।୧୩।
ଶ୍ରୀଜଗନ୍ନାଥଙ୍କ ସ୍ୱପ୍ନାଦେଶ ଲଭି
ତୁରନ୍ତ ରାଜନ ଯାଇ ।
କାରାମୁକ୍ତ କରି ବନ୍ଧୁ ମହାନ୍ତିଙ୍କୁ
ନିଉଛାଳି ହେଲେ ତହିଁ ।୧୪।
କ୍ଷମାକର ଦୋଷ ନଜାଣି ଅପ୍ରାଧ
କଲି ମୁଁ ତୁମ ପାଶର ।
ମହାପ୍ରଭୁଙ୍କର ବନ୍ଧୁ ତୁମେ ବନ୍ଧୁ
ଦୋଷ ନଧରିବ ମୋର ।୧୫।
ଶ୍ରୀଜଗନ୍ନାଥଙ୍କ ମନ୍ଦିରରେ ସେବା
ସୁଯୋଗ ପାଇଲେ ବନ୍ଧୁ ।
ରହିବା ଖାଇବା ବ୍ଯବସ୍ଥା ହୋଇଲା
ସବୁ କଲେ ଦୀନବନ୍ଧୁ ।୧୬।
