ଭିଟାମାଟି
ଭିଟାମାଟି


ହଁ ସେଇ ଚାଳଛପର ଘର
ଠାଏ ଠାଏ କଣା ହୋଇ
ବର୍ଷାର ଛିଟ୍ କା ଭାଙ୍ଗିଦେଇଛି
ମୋ ନିଦ କେଇଥର,
ଆଉ ଜହ୍ନ! ମୋ ପ୍ରେୟସୀ
ଅଳସ ଆଖିରେ ଅଳପ ଲାଜେଇ
ଚାଳର ସେ କଣାଦେଇ
ଲୁଚି ଲୁଚି ଗପିଛି ମୋ ସାଙ୍ଗେ
ନିରବରେ ଅନେକ ଥର ।
ଜେଜେମା' କାହାଣୀର ଜୀବନ୍ତ ସ୍ମୃତି
ମୋ ଭିଟାମାଟି,
ରାତିରେ ଗଛସବୁ
କେମିତି ବିକଟାଳ ମୂର୍ତ୍ତୀହୋଇ ଡରାନ୍ତି
ଅନ୍ଧାରଘଡି,ବାବନାଭୁତ,ତଣ୍ଟିକଟା ବାବାଜୀ
କେମିତି ସବୁ ଜୀବନ୍ତ ହୋଇଉଠନ୍ତି
ମୋର ଜେଜେମା'ର ଗପରେ
ଭୟରେ ଥରି ଜେଜେ ମା'କୁ
କେଇଥର ଭିଡିଧରିଛି ।
ଏଠାରେ ମୁଁ ଦେଖିଛି
ମୋ ବାପାଙ୍କର ସଂଘର୍ଷ
ବାପାଙ୍କର ଆଖିରେ ମୋ ପାଇଁ
ଆକାଶଛୁଆଁ ସ୍ବପ୍ନ,
ବୋଉର ପଣତକାନିର ଅସରନ୍ତି ସ୍ନେହଁ
ଜେଜେବାପାଙ୍
କ କଡା ଆକଟ
ଜେଜେମା'ର ଅନୁଶାସନ
ନଦୀ,ପାହାଡ ,ପୋଖରୀ,ଝାଉଁବଣ
ମୋ ଅତି ଆପଣାର।
ଏଠି ସମସ୍ତେ ଲାଗନ୍ତି
ଭାରି ଆପଣାର,ଆପଣାର
ଦାଦା,ଖୁଡି,ଅପା,ଭାଇର ସଂପର୍କରେ,
ପର୍ବପର୍ବାଣୀ,ମେଳମଉଛବର ମହକରେ
ଗାଁ ଶିକ୍ଷକଙ୍କ ଜ୍ଞାନର ମଶାଲରେ
ସାଙ୍ଗସାଥିଙ୍କର ବୋହୁଚୋରି ଖେଳରେ
ମୁଁ କେତେବେଳେ ବୋହୁହୋଇ
ଚାଲିଆସିଲି ଭିନ୍ନ ଏକ ଦୁନିଆରେ ।
ହଁ ଏବେ ମୋ ଭିଟାମାଟି
ମୋ ପାଇଁ ଏକ ସ୍ମୃତିର
ବନ୍ଦକୋଠରୀ ମାତ୍ର,
ସଂସାରର କର୍ତ୍ତବ୍ୟରେ ଛନ୍ଦି
ଦିନରାତି ଦୌଡୁଦୌଡୁ
ଆଖିରୁ ବୋହିଯାଏ ଦୁଇଟୋପା ଲୁହ
ଖାସ୍ ମୁଁ ଫେରିଯାଆନ୍ତି କି
ତୋ କୋଳକୁ ଆଉଥରେ
ମନଭରି ଖେଳନ୍ତି,ମନଖୋଲି ହସନ୍ତି
ଦାସଟିଏ ପରା ମୁଁ ସମୟଚକ୍ରର
ଭିଟାମାଟି ଏବେ ମୋର ସ୍ବପ୍ନ।