ଭିଟାମାଟି
ଭିଟାମାଟି
ଦେଖୁ ଦେଖୁ ଏ ଦୁନିଆ ରେ ସବୁ ବଦଳି ଗଲା,
ଦଇବ କି ଖେଳ ଖେଳିଲା, କି ବେଳ କାଳ ଆସିଲା ।
ଆଗେ ଥିଲା ଯିଏ ଥିଲା ସବୁଠାରୁ ପ୍ରିୟ ଜନ୍ମ ସ୍ଥାନ,
ଆଜି ତ ସେ ଏକା ହୋଇ ଯାଇ ହୁଏ ବଡ଼ ହିନିମାନ ।
ଭୁଲିଛନ୍ତି ଏବେ ସେ ଏନ୍ତୁଡ଼ି ଶାଳ, ନିଜ ଜନ୍ମ କଥା,
କହିବାକୁ ଲାଗେ ଲାଜ, କାଳେ ନଇଁ ଯିବ ତାଙ୍କ ମଥା ।
ଭୁଲିଛନ୍ତି, ଜନମଠୁ ଯେ ଧରି ରଖିଥିଲା ବହୁତ ଧ୍ୟାନ,
ଏବେ ତୁଛ ଲାଗେ ସେ, ନ ନିଅନ୍ତି ତାର ତିଳେ ନାମ ।
ଭାବନ୍ତି ସେ ନାଁ ଧରିଲେ କାଳେ କମିବ ମାନ ସମ୍ମାନ,
ଗର୍ବେ ଭୁଲିଛନ୍ତି, ଜୀବନ ରଖିଛି ସେ ଦେଇ ଖାଇବାକୁ ଅନ୍ନ ।
ବାହ୍ୟ ଚାକ ଚକ୍ୟ ତାଙ୍କୁ କିମିଆ କରିଛି ସତେ,
ନିଜ ଭିଟାମାଟି କଥା ମନେ ପଡିବ ବା କେମନ୍ତେ ।
ସେ ମାଟିରେ ଖେଳ କୁଦ କରି ବିତିଛି ଯାହାର ଦିନ,
ପୂର୍ବପୁରୁଷ ଙ୍କର ଯିଏ ସଦା କରେ କିର୍ତ୍ତୀ ର ଗୁଣ ଗାନ ।
ଯେଉଁ ମାଟି ଦିନେ ମଥାରେ ଲଗାଇ ଫୁଲୁଥିଲା ତାଙ୍କ ଛାତି,
ଆଜି ଭୁଲିଛନ୍ତି ତାକୁ, ସେ ଅତୀତ ତ ଆଜି ଏକ ସୁପ୍ତ ସ୍ମୃତି ।
ସେହି ପୁରାତନ ଘରେ ଦିନେ ଶୁଭୁଥିଲା କୋଳାହଳ,
ଆଜି ସେ ଶୂନଶାନ, ସେଠି ନୀରବତା କରେ ଖେଳ ।
ଯେବେ ଯାଏ ଥିଲେ ପିତା ମାତା ସେଠାରେ,
ଲୁଚି ଲୁଚି ସେ ତ ଆସୁଥିଲେ ଖାଲି ବାଧ୍ୟ ବାଧ୍ୟକତାରେ ।
କହୁଥିଲେ ସଦା ତାଙ୍କୁ ଛାଡ ଏହି ଘର ଦ୍ୱାର ଚାଲ,
ଆମ ସଙ୍ଗେ ରହିବ ଖୁସିରେ, ଏହି ଭଙ୍ଗା ଘରକୁ ଭୁଲ ।
ହସି ହସି ବୃଦ୍ଧ ପିତା ମାତା କରୁଥିଲେ ସଦା ମନା,
କହୁଥିଲେ, ଏ ଭିଟାମାଟି ର କାହିଁ ବା ଅଛି ତୁଳନା ?
ଆରେ କେତେ କେତେ ଦୁଃଖ ସୁଖ ସବୁ ରହିଛି ଏଠାରେ,
ବିତିଛି ଜୀବନ ଏଇ ଘରେ ବଡ଼ ଆନନ୍ଦରେ ।
ଏ ମାଟିର ବୁକୁରେ କେତେ ଯେ ଜଞ୍ଜାଳ ରଖିଛି ପାଦ,
ସହିଛି ଏ ମାଟି, ଦେଖିଛି କେତେ ବିପଦ ଆପଦ ।
ପିତା ମାତା କୁହନ୍ତି, ସେ ଶୁଣେ ଜନମ ସମୟ ର ବେଳେ,
ଏ ଘର କମ୍ପୁଥିଲା ସବୁ ଆତ୍ମୀୟଙ୍କ ଆନନ୍ଦର କୋଳାହଳେ ।
ଯେବେ ସେ ଚାଲିବା ଶିଖିଲା ତାଙ୍କ ହାତ କୁ ଧରି,
ତା ଠୁକୁ ଠୁକୁ ଚାଲିରେ ଏ ଘର ଖୁସିରେ ଥିଲା ତ ପୁରି ।
ପାଠ ପଢା ବେଳେ ବସି ଏ ଘର ର ଏହି ଚଟାଣରେ,
ପଢୁଥିଲା ସେ ବସି ନୀରବରେ ବଡ଼ ମନଯୋଗରେ ।
କେତେ କେତେ କଥା କେତେ ମଧୁ ସ୍ମୃତି ରହିଛି ଏହି ଘରେ,
ତୁ ଭୁଲିଗଲୁ ଭିଟାମାଟି କଥା, ଆମେ ତ ଭୁଲି ନ ପାରୁରେ ।
ଏବେ ନିଜ ପେସା ଲାଗି ତୁ ଚାଡ଼ିଛୁ ତ ଏଇ ମାଟି,
କିନ୍ତୁ, କେବେ କି ତୁ ନ ଦିଅ ତୋ ସମ୍ପର୍କ କୁ କାଟି ।
ପେଟ ପୋଷିବାର ପାଇଁ ଯାଇଛୁ ତୁ ବିଦେଶ,
କିନ୍ତୁ ଏବେ ବି ସୁନ୍ଦର ଆମ ସଭିଙ୍କର ଏହି ଦେଶ।
ଯେତେ ଯାହା ହେଲେ ଏ ତ ଅଟେ ଆମ ଜନ୍ମଭୂମି,
ଏହାର ମମତା ଦେବନି କେବେ ତ ତୋ କର୍ମଭୂମି ।
ଯୁଗ ବଦଳିଲା, ତୋ ମନ ବି ଅବୁଝା ହେଲା,
ମିଥ୍ୟା ଆଭିଜାତ୍ୟ ତୋତେ ଏବେ ତ କିମିଆ କଲା ।
ସେଠି ଯାଇ ରହି କହୁଛୁ ଏବେ ସେ ତୋହର ଘର,
ସାଇ ପଡିସା ତ ସେଠି ନ ଭାବନ୍ତି ତତେ କେବେ ଆପଣାର ।
ଏଇଠି ଜନମି, ଏହା କୋଳେ ବଢି ରଖିଛୁ ଶେଷ ଯାତ୍ରା ର ଆଶା,
ଭିଟାମାଟି ଭୁଲି ଯିବୁନି ରେ ଧନ, କର୍ମଭୂମିର ତତେ ଘାରିଛି ନିଶା ।।
