ଭିନ୍ନ ଏକ ଯୋଦ୍ଧା
ଭିନ୍ନ ଏକ ଯୋଦ୍ଧା
କେତେ କେତେ କ୍ଳେଶ ସହି ଜୀବନେ,
ସଫେଇ କରଇ ସେ ନିତି ଦିନେ।
ପରିବେଶ ହୁଏ ତା'ଲାଗି ସ୍ୱଚ୍ଛ,
ଦିଶଇ ସୁନ୍ଦର ନଗର ଗୁଚ୍ଛ।
ସଂକ୍ରମଣ ବ୍ୟାଧି ହୁଅଇ ହ୍ରାସ,
ଭୂତାଣୁ, ଜୀବାଣୁ ହୁଅନ୍ତି ନାଶ।
ନିରିମଳ ଶୋଭା ଦିଶେ ଜଗତ,
କି ସୁନ୍ଦର ଦିଶେ ସଡକ ପଥ!
ତିଳେ ଧୂଳି ମଳି ନଥାଏ ଯହିଁ,
ସମ୍ଭବ ହୁଅଇ ଏଠି ତା'ପାଇଁ।
କରିଥାଏ ଶ୍ରମ କେଡେ ଯତନେ,
ନଥାଏ ବିରତି ତାର ଜୀବନେ।
ତାତ,ବୁଷ୍ଟି, ହିମେ ନଥାଏ ଡର,
ଚିର ଦିନ କାଳେ କରମେ ବୀର।
ନୀଚ୍ଚ ତାର କାମ ଲୋକ ଲୋଚନେ,
କେବେ ସେ ପାଇବ ମାନ ଭୁବନେ?
ଅଟ୍ଟହାସ୍ୟ ତାରେ କରନ୍ତି ଜନେ,
ତଥାପି ଥକିନି ସେ ତା' ଜୀବନେ।
'କରମ ହିଁ ସାଇଁ' ଭାଳି ତା' ଚିତ୍ତେ,
କରଇ କରମ ଆନନ୍ଦେ କେତେ!
ଅଳପ ବେତନେ କରେ କରମ,
କରମକୁ ସଦା ଭାଳେ ଧରମ।
ଜୀବନ ତାହାର ଦୁର୍ଦ୍ଦିନେ ବିତେ,
କା'ର କିସ ଯାଏ ତା'ପାଇଁ ସତେ?
ମହାମାରୀ କାଳେ ସଭିଏଁ ଯହିଁ,
ଗୃହେ ରହି ବାହ୍ୟେ ଯାଆନ୍ତି ନାହିଁ।
ସେ'କାଳେ କରମ କରେ ସାହସେ,
ନଥାଏ ତା' ଭୀତି ଜୀବନ ପାଶେ।
ଏକ ପକ୍ଷେ ଭାଳି ଜୀବିକା ବାରେ,
ଆଗେଇ ସେ ଆସେ କର୍ତ୍ତବ୍ୟ ଧାରେ।
ଅନ୍ୟ ପକ୍ଷେ ଭାଳି କରୋନା କଥା,
ଜୀବନେ ତାହାର ବଢଇ ବ୍ୟଥା।
ବିପଦେ ଥାଇ ତା' ନିଜ ଜୀବନ,
ସ୍ୱଚ୍ଛ ପରିବେଶେ ଲଗାଏ ମନ।
ଆପଣା ସୁରକ୍ଷା ଉପକରଣ,
ଏ'ଦୁର୍ଦ୍ଦିନେ ତାର ନଥାଏ ଜାଣ।
ଅସ୍ବଚ୍ଛ, ବିପଦ ପରିବେଶେ ସେ,
ଯୋଦ୍ଧା ପରି ଆସେ ଯୁଦ୍ଧ ସକାଶେ।
ସଭିଏଁ ଦରଦ ଦେଖାନ୍ତି ନାନା,
ନାହିଁ କା'ର ତିଳେ ସମବେଦନା?
ପ୍ରଶାସନ ଆଖି ପଡ଼ିଲେ ତିଳେ,
କ୍ଳେଶ ହ୍ଵନ୍ତା ଦୂର ଦୁର୍ଦ୍ଦିନ କାଳେ।
ଦୁର୍ଦ୍ଦିନେ ସେ ସିନା ବାସ୍ତବ ଯୋଦ୍ଧା,
ମାତ୍ର ଦୁଃଖେ ତାର ଜୀବନ ବନ୍ଧା।
