ଭିନ୍ନ ଏକ ମୀରା
ଭିନ୍ନ ଏକ ମୀରା
ଆଖିର ପଲକ ତତଲା ଲୁହରେ
ପୋଡ଼ିଯାଏ ଥିରିଥିରି,
କାହାକୁ କହିବ କିଏବା ଶୁଣିବ
ନକହି ଯାଉଛି ମରି |
ଛାତିରେ ପଥର ଲଦି ଦେଇଅଛି
ଶୁଭୁନି କାନେ ଶବଦ,
ହୃଦୟ ଭିତର ରୁନ୍ଧି ହୋଇଯାଏ
ପାଟିରେ ଫୁଟୁନି କାନ୍ଦ |
ରହି ରହି ଶୁଭେ ଅବୁଝାରୁ ପଦେ
ଚମକି କବାଟ କୋଣେ,
କାହିଁ କିଛି ନାହିଁ କାହିଁକି ବା ହେବ
ମନ ଭ୍ରମ ତାକୁ ମଣେ |
କାନେ ଚୁପି ଚୁପି କିଏ ବା କହିବ
ଗାଇବ ପ୍ରେମର ଗୀତି ,
ସିଏ ଚାଲିଗଲା ଅଫେରା ଦେଶକୁ
ଛାଡ଼ି ଦେଇ ପ୍ରିୟାପ୍ରୀତି |
ଅଚିହ୍ନା ମଣିଷ କରି ଦେଇଗଲା
ସଂସାର ପାହାଚେ ସିନା,
ପଡ଼ି ରହିଥିବି ସ୍ମୃତି ଗଣୁଥିବି
ମୀରା ସାଜି ଦିନାହୀନା ।
ରାଧା କଳଙ୍କିନୀ ହେଲେ ହୋଇଥାନ୍ତି
ଯମୁନା କୂଳରେ ବସି,
କୃଷ୍ଣ ନାମ ଧରି ଦିନରାତି କାଟି
ଅବା ମୀରା ପରଦେଶୀ |
ହୋଇପାରିଲିନି ରାଧା କିବା ମୀରା
ଏଡ଼େ ଭାଗ୍ୟ ମୋର କାହିଁ,
ପର କରିଦେଲ ଛାଡ଼ି ଚାଲିଗଲ
ନିତି ଝୁରେ ବାଟ ଚାହିଁ |
ଏତେ ବଡ଼ ଧରା ହୋଇଗଲା ସରା
ଚାରିକାନ୍ଥେ ବାନ୍ଧିଦେଲ,
ହସର ଖୁସିର ସଂସାର ଛଡ଼ାଇ
ମୋତେ ଏକା କରିଦେଲ |
ଦୁଇଦିନ ପାଇଁ ସାଥି କରିଥିଲ
ହେଲ ଆକାଶର ତାରା,
କୋଟିଏ ତାରାରୁ ତୁମକୁ ଖୋଜୁଛି
ଦେଉନାହିଁ ମୋଟେ ଧରା |
ଭିନ୍ନ ମୀରା ମୁହିଁ ହୁଏ ପାଗଳିନୀ
ତୁମକୁ ହୃଦରେ ଚାପି,
ଜାଣୁଛି ଜୀବନେ ନାହିଁ ଦରଶନ
କାହିଁଗଲ ପ୍ରିୟ ଛପି |